Latest Odisha News

ରାହୁଲଙ୍କୁ ଘରୁ କାଢ଼ିଦେଲେ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାଗ୍ୟ ଏବେ ଫିଟୁଥିବା କୁହାଯାଉଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ରାହୁଲଙ୍କ ଭାଗ୍ୟ ଫିଟାଇ ଦେଲା ବୋଲି ଆଲୋଚନା ହେଉଛି। ରାହୁଲଙ୍କୁ ଦଣ୍ଡାଦେଶ ପରେ ପରେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ତାଙ୍କ ପାଇଁ ସୋନେ ପେ ସୁହାଗା ଭଳି ହୋଇଥିବା କୁହାଯାଉଛି।

ଏବେ ଆଉ ଏକ ପ୍ରସଙ୍ଗ ଏଥିରେ ରାହୁଲଙ୍କୁ ଆହୁରି ସହାୟକ ହେବ ବୋଲି କୁହାଯାଉଛି। ତାହା ହେଉଛି ରାହୁଲଙ୍କୁ ଘରୁ ବାହାର କରିବା ପ୍ରସଙ୍ଗ। ନିୟମ ଅନୁଯାୟୀ ସଦସ୍ୟ ପଦ ଯିବା ପରେ ବାସଭବନ ଖାଲି କରିବା କଥା। ତେଣୁ ନିୟମ ଅନୁଯାୟୀ ଏହା ହେଉଛି।

ରାହୁଲ ଗାନ୍ଧୀ ଦୀର୍ଘ ବର୍ଷ ଧରି ରହୁଥିବା ୧୨ ତୁଗଲକ ଲେନ ଘର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଏପ୍ରିଲ ୨୨ ତାରିଖ ସୁଦ୍ଧା ତାଙ୍କୁ ଘର ଛାଡିବାକୁ କୁହାଯାଇଛି। ତେଣୁ ରାହୁଲଙ୍କ ଆସବାବପତ୍ର ଟ୍ରକରେ ବୁହାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଘର ଛାଡିଲେ ଆସବାବପତ୍ର ବୋହିକି ନେବା କିଛି ନୂଆ କଥା ନୁହେଁ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ରାହୁଲଙ୍କ ଘର ଛାଡ଼ିବାକୁ ଲୋକେ ଭିନ୍ନ ଦୃଷ୍ଟିକୋଣରେ ଦେଖୁଛନ୍ତି। ରାହୁଲ ବିଜେପି ସରକାର ଓ ମୋଦିଙ୍କ ବିରୋଧରେ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକରେ ଲଗାତର କହିବାରୁ ତାଙ୍କୁ ବିଜେପି ଏଭଳି ଢଙ୍ଗରେ ହଇରାଣ କରୁଛି ବୋଲି ଲୋକେ ଆଲୋଚନା କରୁଥିବା ଦେଖାଯାଇଛି।

ଏପରିକି ଜେଲ ଦଣ୍ଡ ମିଳିଲା, ସଂସଦରୁ ବାହାର କରାଗଲା, ଶେଷରେ ଘରୁ ବି ତଡିଦେଲେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ଏପରିକି ଏହି ପ୍ରସଙ୍ଗ ଲୋକଙ୍କ ହୃଦୟକୁ ଛୁଇଁଥିବାରୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରୁଥିବା ଦେଖାଯାଇଛି।

ସଦସ୍ୟ ପଦ ରଦ୍ଦ ହେବା ପରେ ନିଜର ପୂର୍ବତନ ନିର୍ବାଚନ ମଣ୍ଡଳୀ ୱାୟନାଡ଼ ଗସ୍ତ ସମୟରେ ରାହୁଲ ଏ କଥା ଉଠାଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସର ଏହା ମୁଖ୍ୟ ଅସ୍ତ୍ର ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କଥା ଏତିକିରେ ଶେଷ ହେଉନି। ରାହୁଲଙ୍କ ବିରୋଧରେ ବିଭିନ୍ନ ଜାଗାରେ ବିଜେପି ନେତା ଓ ଅନ୍ୟ ମାନଙ୍କ ପକ୍ଷରୁ ମାନହାନି ମାମଲା ରୁଜୁ ହେଉଛି। ଯାହାକୁ ରାହୁଲଙ୍କ ଚର୍ଚ୍ଚାକୁ ଆହୁରି ବଢ଼ାଉଛି। ରାହୁଲଙ୍କ ବିରୋଧରେ ଏସବୁ କାର୍ଯ୍ୟାନୁଷ୍ଠାନ ତାଙ୍କ ସପକ୍ଷରେ ଏକ ବଡ଼ ବାତାବରଣ ତିଆରି କରିବାରେ ସହାୟକ ହେଉଥିବା କୁହାଯାଉଛି। କିନ୍ତୁ ଆଗାମୀ ନିର୍ବାଚନ ଗୁଡିକରେ ଏସବୁ ଭୋଟରେ କେତେ ପରିବର୍ତିତ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed.