Latest Odisha News

BREAKING NEWS

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ ସୁନୀଲଙ୍କୁ ଶ୍ରେୟ ମିଳେ। ଏବେ ମଧ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ହେଉଥିବା ଆଗୁଆ ନିର୍ବାଚନ ପ୍ରଚାର, ଆଗୁଆ ଯୋଜନା ଘୋଷଣା ଓ ବ୍ୟାପକ ପ୍ରଚାର ପ୍ରସାର ସୁନୀଲଙ୍କ ପ୍ରସ୍ତୁତ ରଣନୀତି।

ତେଣୁ ସୁନୀଲଙ୍କ ଏହି ଅବଦାନ ପାଇଁ ତାଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମୁଖ୍ୟ ଉପଦେଷ୍ଟା ପଦ ମିଳିଛି। ଯାହାକି କ୍ୟାବିନେଟ ମନ୍ତ୍ରୀ ପଦ ସହ ସମାନ। କର୍ଣ୍ଣାଟକରେ କ୍ୟାବିନେଟ ମନ୍ତ୍ରୀ ଭଳି ସମ୍ମାନ ସହ ସମସ୍ତ ସୁବିଧା ପାଇବେ ସୁନୀଲ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର।

କର୍ଣ୍ଣାଟକର ବଲ୍ଲାରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କାନୁଗୋଲୁ ବେଙ୍ଗାଳୁରୁରେ ରୁହନ୍ତି। ଏପରିକି ପୂର୍ବରୁ ମଧ୍ୟ ସେ ବିଜେପି, ଡିଏମକେ ଓ ଏଆଇଏଡିଏମକେ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଗତବର୍ଷ କଂଗ୍ରେସରେ ଯୋଗ ଦେବାକୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମନା କରିବା ପରେ କାନୁଗୋଲୁଙ୍କୁ ଦଳ ଗୁରୁ ଦାୟିତ୍ୱ ଦେଇଛି। ଗତବର୍ଷ ମେ ମାସରେ ସୁନୀଲଙ୍କୁ ୨୦୨୪ ଟାସ୍କଫୋର୍ସର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲା। ଦଳର ଉଦୟପୁର ସଭାରେ ହୋଇଥିବା ନବ ସଂକଳ୍ପ ଅବସରରେ ଏହି ଟିମ ଗଠିତ ହୋଇଛି।

ଏହି ଟିମରେ କାନୁଗୋଲୁଙ୍କ ସହ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ, ମୁକୁଲ ୱାସନିକ, ଜୟରାମ ରମେଶ, କେ ସି ଭେନୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ରହିଛନ୍ତି। କଂଗ୍ରେସର ଦୁର୍ଦିନ ସମୟରେ ଦଳକୁ ନୂଆ ରାସ୍ତା ଦେଖାଇଥିବା ଭାରତ ଯୋଡୋ ଯାତ୍ରାର ଡିଜାଇନ ସୁନୀଲ ପ୍ରସ୍ତୁତ କରିଥିଲେ।

ସୁନୀଲଙ୍କ ସମେତ ସିଦ୍ଦରମେୟଙ୍କ ରାଜନୈତିକ ସଚିବ ଭାବେ ଏମଏଲସି କେ ଗୋବିନ୍ଦରାଜ ଓ ନାସିର ଅହମଦଙ୍କୁ ନିଯୁକ୍ତି ଦିଆଯାଇଛି। ଆଗକୁ ହେବାକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସୁନୀଲ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବିଭିନ୍ନ ରାଜ୍ୟର ସ୍ଥିତିକୁ ସର୍ଭେ କରିବା ସହ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ ହେଉଛି। କିନ୍ତୁ ନିର୍ବାଚନର ବହୁ ପୂର୍ବରୁ ଦଳ ପକ୍ଷରୁ ବିଭିନ୍ନ ଯୋଜନା ଦ୍ୱାରା ଆକର୍ଷିତ କରାଯାଉଛି। ଏପରିକି ଆଗ୍ରେସିଭ ଢଙ୍ଗରେ ପ୍ରଚାର ମଧ୍ୟ କରାଯାଉଛି। ତେଣୁ ସୁନୀଲଙ୍କୁ ସ୍ୱତନ୍ତ୍ର ରଣନୀତିକୁ ନେଇ କଂଗ୍ରେସ ଅନ୍ୟ ରାଜ୍ୟରେ ବଡ ସଫଳତା ପାଇଁ କାର୍ଯ୍ୟକୁ ଜୋରଦାର କରିଥିବା କୁହାଯାଉଛି।

Leave A Reply

Your email address will not be published.