Vijay PM in 2029: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନ ନେବେ ଥାଲାପତି ବିଜୟ? ରାହୁଲ ଗାନ୍ଧୀ ତାଙ୍କୁ…TVK ବିଧାୟିକା ଦେଲେ ବଡ଼ ବୟାନ
ଚେନ୍ନାଇ: ୨୦୨୯ରେ ବିଜୟ ହେବେ ପ୍ରଧାନମନ୍ତ୍ରୀ?
‘ହାତ ଧରି ଆସନରେ ବସାଇବେ ରାହୁଲ ଗାନ୍ଧୀ’
ତାମିଲନାଡୁ ରାଜନୀତିରେ ଏବେ ଗୋଟିଏ ନାଁକୁ ନେଇ ଜୋରଦାର ଚର୍ଚ୍ଚା…ଥାଲାପତି ବିଜୟ। ରାଜ୍ୟରେ କ୍ଷମତା ଦଖଲ କରିବା ପରେ ଏବେ ଜାତୀୟ ରାଜନୀତିରେ ମଧ୍ୟ ବିଜୟଙ୍କୁ ବଡ଼ ଭୂମିକାରେ ଦେଖୁଛି ତାଙ୍କ ଦଳ TVK। ଆଉ ଏହାରି ଭିତରେ TVK ବିଧାୟିକା କନିମୋଝି ସନ୍ତୋଷଙ୍କ ଏକ ବୟାନ ରାଜନୀତିକ ମହଲରେ ହଇଚଇ ସୃଷ୍ଟି କରିଛି।
TVKର ଆଷ୍ଟ୍ରୋଲଜର ତଥା ସେଲିବ୍ରିଟି ବିଧାୟିକା କନିମୋଝି ଦାବି କରିଛନ୍ତି ଯେ, ‘୨୦୨୯ରେ ବିଜୟ ହେବେ ପ୍ରଧାନମନ୍ତ୍ରୀ’। ଏପରିକି ସେ କହିଛନ୍ତି, ରାହୁଲ ଗାନ୍ଧୀ ନିଜେ ବିଜୟଙ୍କ ହାତ ଧରି ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବେ। କନିମୋଝି ଭବିଷ୍ୟବାଣୀ କରି କହିଛନ୍ତି, “ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ, ସେହିଭଳି ୨୦୨୯ରେ ତାଙ୍କ ହାତ ଧରି ବିଜୟଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ କରିବେ।” ଯାହାକୁ ନେଇ ଏବେ କଂଗ୍ରେସ ଏବଂ ଟିଭିକେ ମଧ୍ୟରେ ଆମର୍ଭ ହୋଇଛି ଟଣାଓଟରା ।
କାରଣ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ବିଜୟଙ୍କୁ ୨୦୨୯ର PM ଭାବେ ପ୍ରୋଜେକ୍ଟ କରିବାକୁ ନେଇ କଂଗ୍ରେସ ଭିତରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବରେ ପ୍ରୋଜେକ୍ଟ କରୁଥିବା ବେଳେ ବିଜୟଙ୍କୁ ୨୦୨୯ର PM ଭାବେ ପ୍ରୋଜେକ୍ଟ ନକରିବାକୁ କଂଗ୍ରେସ ପୂର୍ବରୁ TVK ନେତା ଓ ମନ୍ତ୍ରୀଙ୍କୁ ଚେତାବନୀ ଦେଇଥିଲା। ଏହି ପ୍ରସଙ୍ଗକୁ ନେଇ ୫ ଜଣ କଂଗ୍ରେସ ବିଧାୟକ ସରକାରରୁ ଓହରିବା ନେଇ ଚେତାବନୀ ଦେଇଥିବା କୁହାଯାଉଛି। ଏଥିସହିତ ବିଜୟଙ୍କ ସରକାରରେ କଂଗ୍ରେସର ୨ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି।
ଏପଟେ ବିଜୟଙ୍କ PM ପ୍ରୋଜେକ୍ସନକୁ ନେଇ ବିରୋଧୀ AIADMK ମଧ୍ୟ ଟାର୍ଗେଟ କରିଛି। ଦଳର ନେତା ଇଡାପ୍ପାଡି କେ. ପାଲାନିସ୍ୱାମୀ ବ୍ୟଙ୍ଗ କରି କହିଛନ୍ତି, ‘ଏଭଳି ଚାଲିଲେ ବିଜୟ ଚାହିଁଲେ ଆମେରିକାର ରାଷ୍ଟ୍ରପତି ମଧ୍ୟ ହୋଇପାରନ୍ତି’!
ଯାହାକୁ ନେଇ ଏବେ ତାମିଲନାଡୁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଶ୍ନ ଉଠୁଛି, ତାମିଲନାଡୁ ପରେ ଏବେ କ’ଣ ଦିଲ୍ଲୀ ଦଖଲର ସ୍ୱପ୍ନ ଦେଖୁଛି TVK? ୨୦୨୯ରେ ସତରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଯିବ କି? ନା ଏହା କେବଳ ରାଜନୈତିକ ବୟାନବାଜି? ଏହାକୁ ନେଇ ଏବେ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।

