Latest Odisha News

BREAKING NEWS

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ।

ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି। ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜସ୍ଥାନ ଉପରେ ଏବେ ସାରା ଦେଶ ନଜର ରହିଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲଢେ଼ଇରେ ବିରାମ ଲାଗିଥିବାବେଳେ କଂଗ୍ରେସ ସରକାରର ଲୋଭନୀୟ ଯୋଜନା ଲୋକଙ୍କୁ ଆକର୍ଷିତ କରିବ ବୋଲି ଦଳ ଆଶା ରଖିଛି। ତେଣୁ ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ ସରକାର ବଦଳିବାର ପରମ୍ପରାରେ ଏଥର ବିରାମ ଲାଗିବା ସହ କଂଗ୍ରେସ ଶାସନକୁ ବଜାୟ ରଖିବ ବୋଲି ଆଶାବାଦୀ।

ସେଥିପାଇଁ ଆସନ୍ତା ଅଗଷ୍ଟ ମାସ ନଅ ତାରିଖରେ କଂଗ୍ରେସର ହେଭିୱେଟ ନେତାମାନେ ରାଜସ୍ଥାନ ଗସ୍ତ କରିବେ। ଏକାସାଙ୍ଗରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜସ୍ଥାନ ଗସ୍ତ କରିବେ।

ରାଜସ୍ଥାନର ବଂସୱାରା ଜିଲ୍ଲାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ ତିନି ନେତା। ଦଳର ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧୱା ଏହି ସୂଚନା ଦେଇଛନ୍ତି।

ଅଗଷ୍ଟ ନଅ ତାରିଖ ଆଦିବାସୀ ଦିବସ ଭାବେ ପାଳିତ ହେଉଥିବାରୁ ଏହି ଦିବସରେ ବିଶାଳ ସଭା କରିବାକୁ ଦଳ ଯୋଜନା କରିଛି। ବଂସୱାରାରେ ଆଦିବାସୀ ସମ୍ପ୍ରଦାୟର ବିଶାଳ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସର ଏହି ତିନି ଶୀର୍ଷ ସ୍ତରର ନେତା।

ଆଦିବାସୀଙ୍କୁ ଫୋକସ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ଗ୍ବାଲିଅରରେ ଜନସଭା କରିଥିବା ବେଳେ ଏବେ ରାଜସ୍ଥାନରେ କଂଗ୍ରେସର କେନ୍ଦ୍ରୀୟ ନେତା ଏକାଠି ହେବେ।

ଏପିରିକି ନିର୍ବାଚନ ପାଇଁ ରାଜସ୍ଥାନରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମଧ୍ୟ ଦଳ ତ୍ୱରାନ୍ୱିତ କରିଛି। ଦଳୀୟ ସର୍ଭେ ଓ ଜିତିବା ସମ୍ଭାବନାକୁ ଆଖି ଆଗରେ ରଖି ଦଳ ପ୍ରାର୍ଥୀ ଦେବ ବୋଲି କୁହାଯାଇଛି।

ସେପଟେ ରାଜସ୍ଥାନରେ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପରେ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇଛି। ରାଜ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ରାଜେନ୍ଦ୍ର ଗୁଢ଼ା ଖୋଦ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ।

ବିଧାନସଭାରେ ମଣିପୁର ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକ ମାନେ କଥା ଉଠାଇଥିବା ବେଳେ ଗୁଢ଼ା ନିଜ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ବିରୋଧୀ ଗେହଲଟ ସରକାରକୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି।

ତେଣୁ ଗୋଟିଏ ପଟେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା କରି ଗେହଲଟ ସରକାର ଲୋକଙ୍କ ସମର୍ଥନ ପାଇବାକୁ ଯୋଜନା କରୁଥିବା ବେଳେ ଗୁଢ଼ାଙ୍କ ମନ୍ତବ୍ୟ ସରକାରକୁ ଅଡୁଆରେ ପକାଇଛି।

ପାଇଲଟ ଅଡୁଆ ତୁଟିଥିବା କୁହାଯାଉଥିବା ବେଳେ ଆଉ ଗୋଟିଏ ପଟେ ଗୁଢାଙ୍କୁ ନେଇ ନୂଆ ଅଡୁଆ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦଳ ଆଦିବାସୀଙ୍କୁ ନିଜ ପକ୍ଷକୁ ଟାଣିବାକୁ ଯୋଜନା କରିଛି।

ସେପଟେ ବିଜେପି ମଧ୍ୟ ରାଜସ୍ଥାନକୁ ଅଧିକ ଫୋକସ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ପ୍ରମୁଖ ବିଜେପି ନେତାମାନେ ରାଜସ୍ଥାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

Comments are closed.