ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଦୂରକୁ ଯାତ୍ରା କରିଥାନ୍ତି । କାରଣ ଟ୍ରେନ୍ ଯାତ୍ରା ବସ୍ ଓ ବିମାନ ଭଡ଼ା ଠାରୁ ଢେର୍ କମ୍ । ପ୍ରାୟ ସମସ୍ତେ ଯାତ୍ରା ସମୟରେ ଟ୍ରେନରେ ମୋବାଇଲ୍ ଚାର୍ଜରେ ବସାଇଥାନ୍ତି । ସେଥିରୁ କେତେକ ରାତିସାରା ବି ମୋବାଇଲକୁ ଚାର୍ଜରେ ବସାଇ ଶୋଇ ପଡ଼ିଥାନ୍ତି ।
ତେବେ, ମୋବାଇଲ୍ ଫୋନ୍ ଲାପଟପକୁ ସାରା ରାତି ଚାର୍ଜରେ ବସାଇବା ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛି ରେଲୱେ । ଟ୍ରେନରେ ଲାଗୁଥିବା ନିଆଁକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ରାତି ୧୧ଟାରୁ ସକାଳ ୫ଟା ମଧ୍ୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣ ମୋବାଇଲ୍ ଓ ଲାପଟପ୍ ଚାର୍ଜ କରିପାରିବେ ନାହିଁ । ପଶ୍ଚିମ ରେଲୱେ ଏହି ୬ ଘଣ୍ଟିଆ ନିୟମକୁ ପ୍ରଣୟନ କରି ସାରିଛି ।
ଏବଂ ଆଗକୁ ସାରା ଦେଶରେ ଚାର୍ଜିଂ ଉପରେ ୬ ଘଣ୍ଟିଆ ରୋକ୍ ଲଗାଇବାକୁ ରେଲୱେ ବୋର୍ଡ ସମସ୍ତ ରେଲୱେକୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ନିୟମ ପୂର୍ବରୁ ମଧ୍ୟ କାର୍ଯ୍ୟକାରୀ ଥିଲା । ବେଙ୍ଗଳୁରୁ-ହଜୁର ସାହେବ ନାନ୍ଦେଡ ଏକ୍ସପ୍ରେସରେ ନିଆଁ ଲାଗିବା ପରେ ୨୦୧୪ରେ ଏଭଳି ନିଷ୍ପତ୍ତି ନେଇଥିଲା ଭାରତୀୟ ରେଲୱେ ।
ଓଭର ଚାର୍ଜିଂ ଯୋଗୁଁ ଟ୍ରେନରେ ଲାଗୁଥିବା ନିଆଁକୁ ଦେଖି ରେଲୱେ ଏଭଳି ନିଷ୍ପତ୍ତି ନେଇଛି । ବିଶେଷକରି ଦୂର ଯାତ୍ରା ବେଳେ ଇଲେକ୍ଟ୍ରୋନିକ୍ସ ଉପକରଣ ରାତି ସାରା ଚାର୍ଜରେ ବସୁଛି । ବ୍ୟାଟେରି ସମ୍ପୂର୍ଣ୍ଣ ଚାର୍ଜିଂ ହେବା ପରେ ଓଭରଚାର୍ଜିଂହେଉଛି । ତେଣୁ, ଆପଣ ରାତି ୧୧ଟା ପରେ ଟ୍ରେନରେ ଯାତ୍ରା କରୁଥିଲେ ମୋବାଇଲକୁ ଫୁଲ୍ ଚାର୍ଜ କରିନିଅନ୍ତୁ । ନଚେତ୍ ସାଙ୍ଗରେ ପାୱାର ବ୍ୟାଙ୍କ ରଖନ୍ତୁ ।
Comments are closed.