Latest Odisha News

BREAKING NEWS

ରାଜ୍ୟରେ ଜୁନ୍‌ ୧୮ ପର୍ଯ୍ୟନ୍ତ ବର୍ଷା, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା ଦେଇ ଗତି କରୁଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଂଶକୁ ମୌସୁମୀ ଛୁଇଁବା ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ କହିଛି, ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ଗରମ, ଗୁଳୁଗୁଳି ଲାଗି ରହିପାରେ ।

ସେହିପରି ମଧ୍ୟମ ଧରଣର ଝଡ଼ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବୈଜ୍ଞାନିକ କହିଛନ୍ତି, ଏ ବର୍ଷ ମୌସୁମୀ ପୂରା ଦୁର୍ବଳ ରହିଛି। ନା ଆରବ ସାଗରୀୟ ଶାଖାରେ ବଳ ଅଛି ନା ବଙ୍ଗୋପ ସାଗରୀୟ ଶାଖା ସକ୍ରିୟ ଅଛି। ଅନ୍ୟପଟେ ଜମ୍ମୁ ଆଡୁ ପଶ୍ଚିମା ଝଡ଼ ଆସିଲାଣି। ଯଦି ୨/୪ ଦିନରେ ମୌସୁମୀ ସକ୍ରିୟ ନ ହେବ, ତେବେ ଆଗକୁ ବର୍ଷା ଆହୁରି କମିପାରେ। କାରଣ ପଶ୍ଚିମା ଝଡ଼ ପଛରେ ଶୁଷ୍କ ପବନ ଆସିଥାଏ। ୧୮/୧୯ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଥିବା ପୂର୍ବରୁ ଅନୁମାନ କରାଯାଇଥିଲା। ଏବେ ସ୍ପଷ୍ଟ କୁହାଯାଇପାରିବ ନାହିଁ । ଯଦି ଏହି ଲଘୁଚାପ ହେବ, ତେବେ ମୌସୁମୀ ଆଗକୁ ବର୍ଷା କରାଇବ। ନଚେତ୍ ସ୍ଥିତି ଚିନ୍ତାଜନକ ହୋଇପାରେ ।

Comments are closed.