ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଆଧୁନିକ ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ବଳ ଏକ ଅମଳିନ ପ୍ରତିଭା । ସୃଷ୍ଟି ପ୍ରକ୍ରିୟାର ସ୍ୱତନ୍ତ୍ର ମୌଳିକ ଦୃଷ୍ଟିକୋଣରୁ ସେ ସାରସ୍ଵତ ଜଗତରେ ଅନ୍ୟାନ୍ୟ । ସମୟର ପ୍ରାଣ ସ୍ପନ୍ଦନରେ ତାଙ୍କ ସାହିତ୍ୟ ବେଶ୍ ଉର୍ଜସ୍ୱଳ ଓ ପ୍ରାଣବନ୍ତ । ଜାତୀୟ ଭାବଧାରାର ପରିସ୍ଫୁଟନ ଓ ଅବହେଳିତ ପଲ୍ଲୀ ପ୍ରତି ସୂକ୍ଷ୍ମ ବିଚାରଧାରା ତାଙ୍କ ସୃଷ୍ଟି ସର୍ଜନାର ମୁଖ୍ୟ ବିଭବ । ପଲ୍ଲୀହିଁ ତାଙ୍କ ସାହିତ୍ୟର ପ୍ରାଣକେନ୍ଦ୍ର । ପଲ୍ଲୀ ଭୂମି ପ୍ରତି ତାଙ୍କ ହୃଦୟ ତଟରେ ଗଭୀର ମମତ୍ୱ ବୋଧ ଜାଗରିତ ହୋଇଥିଲା । ସେ ସ୍ୱୟଂ ଥିଲେ ପଲ୍ଲୀବାସୀ । ତେଣୁ ପଲ୍ଲୀର ପ୍ରାଣ ପ୍ରାଚୁର୍ଯ୍ୟ, ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ସେ ବଢିଛନ୍ତି । ପଲ୍ଲୀର ଧୂଳି ମାଟି ,ପାଣି ପବନରେ ଖେଳିଛନ୍ତି । ପଲ୍ଲୀର ସୁଖ ଦୁଃଖ, ହସ କାନ୍ଦ, ଆଶା ନିରାଶାର କୋମଳ ସ୍ପର୍ଶରେ ତାଙ୍କର ଅନୁଭୂତି ପ୍ରାଣ ସ୍ୱଚ୍ଛଳ ହୋଇଉଠିଛି । ଫଳ ସ୍ୱରୂପ ସେ ପଲ୍ଲୀ ପ୍ରକୃତିର ଚରଣରେ ଅଲକ୍ତକ, ଅଧରରେ ହାସ୍ୟରେଖା, କପୋଳରେ ତିଳକଚିତା ଆଙ୍କି ଦେଇଛନ୍ତି । ତାଙ୍କର ପଲ୍ଲୀ ପ୍ରକୃତିର ନିସର୍ଗ ସୌନ୍ଦର୍ଯ୍ୟମୟ ସର୍ଜନା ଗୁଡିକ ମଧ୍ୟରେ ପଲ୍ଲୀ ଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ଜନ୍ମଭୂମି, ନିର୍ମାଲ୍ୟ, ନାନା ବାୟା ଗୀତ, ସୀତା ବନବାସ, କୃଷ୍ଣାକୁମାରୀ , ଶର୍ମିଷ୍ଠା ଆଦି । ସହାନୁଭୂତି ଶୀଳ ଦରଦୀ କବି ମନର ସୂକ୍ଷ୍ମ ଭାବନା ସବୁ ସୃଷ୍ଟି ସମ୍ଭାରରେ ପ୍ରାଣବନ୍ତ ଲାଭ କରିଛି । ପଲ୍ଲୀ ଶୀର୍ଷକ ପ୍ରସ୍ଥାବନାରେ ପଲ୍ଲୀବାସୀ ଓ ପଲ୍ଲୀ ପ୍ରକୃତିର ସୁନ୍ଦର ସମନ୍ୱୟ ଅନୁଭବ କରିହୁଏ । କବିଙ୍କ ଦୃଷ୍ଟିରେ- “ଶାନ୍ତି ପୂର୍ଣ୍ଣ ଆରେ ପଲ୍ଲୀ ଗ୍ରାମ / ମଧୁରିମା ମୟ ତୋର ନାମ / ନଗରୀର ରାଜସୁଖ / ମୋହ ପକ୍ଷେ ଘୋର ଦୁଃଖ / ଆଗୋ ପ୍ରିୟ ପଲ୍ଲୀ, ତୋ ପଲ୍ଲବ ମୟ ଅଙ୍କ / ଛାୟାତଳ ଆଶ୍ରିବାକୁ ମୁହିଁ ସଦା ରଙ୍କ “।
ପଲ୍ଲୀର ଗ୍ରାମ ଖଳା, ଚାଟଶାଳୀ, ଗ୍ରାମ ତୋଟା, ଗ୍ରାମ ଦେବା ଦେବୀ, ଗ୍ରାମ ହାଟ, ଗ୍ରାମ ଶ୍ମଶାନ ପ୍ରଭୃତି ଗ୍ରାମ ଐଶ୍ୱର୍ଯ୍ୟ ଗୁଡିକୁ ଜୀବନ୍ତ ରୂପ ଦେବାରେ କବି ଥିଲେ ସିଦ୍ଧହସ୍ତ । ପଲ୍ଲୀ ଗ୍ରାମ ଦାଣ୍ଡ , ପିଲାମାନଙ୍କ ଧୂଳି ଧୂସରିତ ଖେଳ , ଗ୍ରାମ ବଧୂର ଚିନ୍ତା , ଗ୍ରାମ ସୀମନ୍ତିଣୀଙ୍କ ବଟବୃକ୍ଷ ଛାୟାରେ ସମାବେଶ, ନାଥର କେନ୍ଦରା ଗୀତ, ଗୋପାଳୁଣୀର ଦହି ବିକ୍ରି , ଗୁଡିଆଣୀର ମୁଢି , ପଲ୍ଲୀବାସୀର ଅଭାବ ଅନଟନ, ଅସମର୍ଥ କାଳି ବାକିର ମହାଜନର କିଣା ବିକା ଧାରା ତାଙ୍କ କବିତାରେ ପ୍ରତିଫଳିତ । ଗ୍ରାମ ମଧ୍ୟରେ ଭାଗବତ ଟୁଙ୍ଗିରେ ଗ୍ରାମବାସୀଙ୍କ ସମାବେଶ ମହାଭାରତ, ଗୀତା , ଭାଗବତ, ରାମାୟଣ ଆଦି ଅଷ୍ଠ ପୁରାଣର ଶ୍ରବଣ ଗ୍ରାମ ଏକତ୍ରି କରଣର ସୂଚନା ଦେଇଥାଏ । ବିଲୁପ୍ତ ହୋଇଯାଉଥିବା ଆଖଡ଼ା ଘରର ଦୃଶ୍ୟ, ପଲ୍ଲୀ ଲଳନାଙ୍କ ବାକ୍ ଯୁଦ୍ଧ , ବୈଷ୍ଣବ ମଠର ହରିନାମଧ୍ଵନି ପଲ୍ଲୀ ବାସୀଙ୍କ ଜୀବନ ପ୍ରବାହର ସେହି ମହକ ସଂପ୍ରତି ବିଲୁପ୍ତ ହେବାକୁ ବସିଲାଣି । ଗ୍ରାମ ଚାଟଶାଳୀରେ ଅବଧାନଙ୍କ ନିଷ୍ଠୁର କଡ଼ା ଶାସନ, ଅଧ୍ୟାପନାର ନୀତି ନିୟମ , ଦଣ୍ତ ବିଧିର ଧାରା ତତ୍କାଳୀନ ଶିକ୍ଷା ଧାରାର ଅବଗତି ସଂପର୍କରେ ସୂଚେଇ ଦେବା ବେଳେ, ଏବେ ଗ୍ରାମ୍ୟ ଶିକ୍ଷାନୁଷ୍ଠାନ ଦଣ୍ତମୁକ୍ତ କରି ଦିଆଯାଇଛି, ଯାହାର ପରିଣାମ ଶିକ୍ଷାକ୍ଷେତ୍ରରେ ଅବନତି ଘଟୁଛି । ତତ୍କାଳୀନ ପଲ୍ଲୀ ବାସୀଙ୍କ କର୍ମମୟ ଜୀବନ, ଧାର୍ମିକ ଭାବନା, ଭକ୍ତିମତା , ଭାଗବତ ଘରେ ମହାଭାରତ, ରାମାୟଣ, ଭାଗବତ ଶୁଣିବାର ଧାରା ଏବେ ବଦଳି ଯାଇଛି । ରାଜନୀତି- ଆଜନୀତି, କଳି ତକାଳରେ କମ୍ପୁଛି । କବିଙ୍କ ଗ୍ରାମ୍ୟ କୃଷକର କୃଷି କର୍ମଣ ଓ ଶୃଙ୍ଖଳିତ ଜୀବନ ନିର୍ବାହ ଚିତ୍ର ଗ୍ରାମବାସୀଙ୍କ ବୌଦ୍ଧିକ ତଥା ବୈଷୟିକ ଉନ୍ନତି ସଂପର୍କରେ ସୂଚନା ଦିଏ । ସମାଜରେ ଅବହେଳିତ କୃଷକର ଯଶଗାନ କରି ଜୟ ଜବାନ୍ ଜୟ କିଷାନ୍ ବାର୍ତ୍ତା ସ୍ୱରୂପ କୃଷକ ଦେଶର ବନ୍ଧୁ, ମଣିଷ ଜାତିର ପାଳକ । ତଥାପି ତା ପ୍ରତିଦାନ ବଦଳରେ ଆଜିର ସଭ୍ୟ ସମାଜ ତାକୁ ଅବହେଳା ଓ ଶୋଷଣ କରୁଛି । ” ଧନ୍ୟ ଧନ୍ୟ କୃଷକରେ ତେବେ / ଖଟି ଖଟି ପୋଷୁ ଅଛୁ ମୋତେ / ହେୟ ତୋତେ ମଣେ ଯେହୁ / ଅବଶ୍ୟ ନିର୍ମମ ସେହୁ / ତା’ର ଗର୍ବେ ସଂସାର କି ଲାଭ ହୋଇବ / ତୋ ବିହୂନେ ଏ ସଂସାର କ୍ଷଣେ ନାଶ ଯିବ “।
ଋତୁ ଚକ୍ରର ଆବର୍ତ୍ତନରେ ପଲ୍ଲୀର ଦୃଶ୍ୟମାନ ଚିତ୍ର ବଦଳି ଯାଏ । କବିଙ୍କ ପଲ୍ଲୀ ଚିତ୍ର ବିଷୟ ନିର୍ବାଚନରେ ଷଢଋତୁର କ୍ରମପର୍ଯ୍ୟାୟ ମଧ୍ୟରେ ଗ୍ରାମ୍ୟ ଜୀବନର ସ୍ୱାଭାବିକ ଧାରା ଚମତ୍କାର ଢଙ୍ଗରେ ରୂପାୟନ ହୋଇଛି । ବିଶେଷ କରି ବିଭିନ୍ନ ଋତୁରେ ପଲ୍ଲୀ ପ୍ରକୃତିର ଅପରୂପ ଶୋଭା, ପଲ୍ଲୀବାସୀର ପର୍ବପର୍ବାଣୀର ତତ୍ପରତା ସହ ବର୍ଷା ଋତୁରେ କୃଷକର ଆନନ୍ଦ ବିଭୋର ଭାବର ନିଚ୍ଛକ ବର୍ଣ୍ଣନା କବି କଳ୍ପନାର ଅନ୍ତ ନାହିଁ । ବର୍ଷା ଜଳ , ଜଳହିଁ ଜୀବନ । ଗ୍ରୀଷ୍ମ ପରେ ବର୍ଷାର ଆଗମନରେ ପୃଥିବୀର ସକଳ ଜୀବ ଜଗତ ଚଳଚଞ୍ଚଳ ହୋଇ ଉଠନ୍ତି । ଆଦିକବି ସାରଳା ଦାସଙ୍କ ଠାରୁ ଆଧୁନିକ କବିମାନଙ୍କ ପକ୍ଷରେ ବର୍ଷା ଋତୁକୁ କେହି ଛାଡ଼ିନାହାନ୍ତି । ବଳରାମ ଦାଶଙ୍କ ଦାଣ୍ତୀ ରାମାୟଣର କିଷ୍କିନ୍ଧ୍ୟା କାଣ୍ଣରେ ମାଲ୍ୟବନ୍ତ ଗିରିରେ ରାମଚନ୍ଦ୍ରଙ୍କ ବର୍ଷା କାଳ – ” ଆଷାଢ଼ ମାସ ପ୍ରବେଶ ହୋଇଲାକ ତହୁଁ / ଝିମି ଝିମି କରିଣ ସେ ବରଷଇ ତହୁଁ ” । ରୀତିଯୁଗର କବି ଉପେନ୍ଦ୍ର ଭଞ୍ଜ ବର୍ଷାକାଳର ମନୋଜ୍ଞ ଓ ଆବେଗମୟ ଚିତ୍ର ପ୍ରଦାନ କରିଛନ୍ତି- ” ବାରିତ ଗଗନେ ଘୋଟି ଦିନେ କରୁଥିଲା ବୃଷ୍ଟି / ଝଟଝଟ ମାରୁଥିଲା ବିଦ୍ୟୁ / ନୀଳକଣ୍ଠ ଭେକ କୁଳ ଦିନେ କରୁଥିଲେ ରୋଳ / ଡାହୁକ ବଚନ ଅତି ମଞ୍ଜୁ ରେ ନଳୀନାକ୍ଷି ” ।
ସଂକ୍ଷିପ୍ତତା ଦୃଷ୍ଟିରୁ ସୂଚେଇ ଦିଏ ରୀତିଯୁଗର କବିମାନଙ୍କ କାବ୍ୟରେ ବର୍ଷା ଋତୁର ବର୍ଣ୍ଣନା ଠାରୁ ଆଧୁନିକ କବିମାନଙ୍କ ଭିତରେ ରାଧାନାଥଙ୍କ ବର୍ଷା ଋତୁ ବର୍ଣ୍ଣନାଧର୍ମୀ ଏକ ନିଆରା ବର୍ଷାର କବି ଭାବରେ ପରିଚିତ କରାଏ । କହିବାକୁ ଗଲେ ସଂସ୍କୃତରେ ଯେଭଳି କାଳିଦାସ ବିରହୀ ଯକ୍ଷର ପ୍ରଣୟ ଦୂତ ଭାବରେ ମେଘକୁ ଚିତ୍ରଣ କରି ପ୍ରଣୟୀ ଆତ୍ମାର ଚିର ସ୍ପନ୍ଦନ ତା’ ଭିତରେ ଗୁମ୍ଫନ କରିଥିଲେ, ବର୍ଷା ଋତୁର ବହିଃ ପ୍ରକୃତି ସହିତ ମାନବ ପ୍ରାଣର ମିଳନ ବିଚ୍ଛେଦ, ବେଦନା , ବେପଥୁକୁ ସେଥିରେ ଅଭିବ୍ୟଞ୍ଜିତ କରିଥିଲେ , ଠିକ୍ ସେଭଳି ରାଧାନାଥ ବର୍ଷା ଋତୁକୁ ସ୍ୱକୀୟ କାବ୍ୟରେ ବ୍ୟକ୍ତ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କର ତୁଳସୀ ସ୍ତବକରେ ବର୍ଷା ଋତୁର ବାହ୍ୟ ପ୍ରକୃତି ସହିତ ମାନବିକ ଅନ୍ତଃପ୍ରକୃତିର ତୁଳନା – ” ନୀଳ-ନୀରଦ ମାଳେ ଖେଳେ ଚପଳା / ଖର ପୀରତି ପ୍ରାୟେ ସଦା ଚପଳା । ବର୍ଷନ୍ତି ମହୀ ମୁଖେ ନଇଁ ଅମ୍ବୂଦେ / ବିଦ୍ୟା ସଂପଦେ ଯଥା ନମନ୍ତି ବୁଧେ ” । ଅନ୍ୟତ୍ର ଏହି ବର୍ଷାର କଥା ରାଧାନାଥ କହିବା ବେଳେ ସାମାଜିକ ନୀତି ନିୟମ ତଥା ଶିକ୍ଷା ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି- ” ବରଷାକାଳ ଅଟେ ଉଦ୍ଭିଦ ମିତ୍ର / ମାତ୍ର ପଙ୍କଜ ମଲା ନୋହେ ବିଚିତ୍ର । ଜଳ ଗହଳ ହେଲା ତା’ ପକ୍ଷେ ଯମ / ଅତି ସମ୍ପଦ ବାବୁ ମହାବିଷମ ” ।
ସେଭଳି କେଲ୍ଟିକ ରିଭାଇଭଲ୍ ର ପ୍ରମୁଖ କବି ବର୍ଣ୍ଣସ୍ ଓ ୟେଟସ୍ ଙ୍କ ପରି ଉତ୍କଳର ପଲ୍ଲୀ ପ୍ରକୃତି ଓ ଲୋକ ସଂସ୍କୃତିକୁ ପାଥେୟ କରି କାବ୍ୟ ସୃଷ୍ଟି କରିଥିବା କବି ନନ୍ଦକିଶୋରଙ୍କ କବିତାରେ ବର୍ଷା ଭାବନା ବେଶ୍ ମାର୍ମିକ ଓ ହୃଦୟସ୍ପର୍ଶୀ । ରୋଦ୍ର ତାପକୁ ଉପସମ କରି ପୃଥିବୀ ପୃଷ୍ଠରେ ଅବତରଣ କରେ ବର୍ଷା ଋତୁ । ଆକାଶରେ କଳାହାଣ୍ଡିଆ ମେଘ ମାଳା ଘୋଟି ଆସି ଦିବସରେ ମଧ୍ୟ ସଂଧ୍ୟାର ଭ୍ରାନ୍ତି ସୃଷ୍ଟି କରିଥାଏ । ଆକାଶର ବଉଦ ଦେଖି ଚାଷୀଭାଇର କର୍ମମୟ ଜୀବନ ଚଳଚଞ୍ଚଳ ହୋଇ ଉଠେ । ନନ୍ଦକିଶୋରଙ୍କ ଦୃଷ୍ଟିରେ- ” ପହିଲୁ ଆଷାଢେ ଘୋଟଇ ଆକାଶେ , ବଉଦ କଳାହାଣ୍ଡିଆ / ତଳି ଉପାଡିଣ ଡିହଜମି ବାଡ଼ି , ଲଗାନ୍ତି ଚାଷୀ ମାଣ୍ତିଆ ” । ବର୍ଷା ଋତୁ ଫସଲର ଋତୁ । ଏହି ଋତୁରେ କୃଷି କ୍ଷେତ୍ରରେ ଚାଷ ଆରମ୍ଭ କରାଯାଏ । ଜଳ ସ୍ପର୍ଶରେ ଶସ୍ୟରାଜି ଅଙ୍କୁରି ଉଠେ, ନୂତନ ତେଜ, ନବ ଉନ୍ମାଦନା ନେଇ ଆତ୍ମପ୍ରକାଶ କରି ବସେ । କଅଁଳ ସବୁଜ ପତ୍ର ମେଲି ନୂଆ ସୂର୍ଯ୍ୟକୁ ଉପଭୋଗ କରେ । ସବୁଜମୟ ହୋଇ ଉଠେ ବିଲ , ପ୍ରାନ୍ତର । ସବୁଜିମାରେ ଭରି ଉଠୁଥିବା ସୁନାର କ୍ଷେତ୍ର ଦେଖି ଚାଷୀ ପ୍ରାଣରେ ଖେଳି ଯାଏ ଅଫୁରନ୍ତ ଆନନ୍ଦ । ଦୀର୍ଘ ଦିନର ଶ୍ରମ ତା’ର ସଫଳ ହୁଏ । ବାଡ଼ି ବଗିଚା କୃଷିକ୍ଷେତ୍ରର ଚର୍ତୁପାଶ୍ୱରେ ତରୁଣ ବୃକ୍ଷରାଜିର ସୁଷମାରେ ଶୋଭାମୟ ହୋଇଉଠେ । ବର୍ଷା ଘଡଘଡିର ତାଳେ ତାଳେ ଶସ୍ୟରାଜି ଅଙ୍କୁରି ଉଠେ । ” ଘଡ଼ଘଡ଼ି ଶୁଣି କାଙ୍କଣ ହାଣ୍ଡିରୁ , କାଙ୍କଣ ମାରଇ ଗଜା / ସଲରା ବାଡ଼କୁ ମଡାଏ କୃଷକ, ଘରଣୀ ଦେଇଣ ରଞ୍ଜା ” ।
ବାଡ଼ି ବଗିଚାରେ ନାନା ପ୍ରକାର ଫସଲ , ଫଳ , ଫୁଲର ସମାବେଶ , ମହମହ ବାସ୍ନା , ଜହ୍ନି ଫୁଲର ଅପୂର୍ବ କ୍ରାନ୍ତି , ବିଲ , ନଦୀ ପଠା କିଆବୁଦାରେ କିଆଫୁଲର ଅପୂର୍ବ ସୁଗନ୍ଧି ପଲ୍ଲୀ ପରିବେଶକୁ ମନୋରମ କରିଥାଏ । ଝିପି ଝିପି ବର୍ଷା ଝଡ଼ର ତାଳେ ତାଳେ ବାୟା ଚଢ଼େଇ ଆନନ୍ଦରେ ବିଭୋର ହୋଇ ଉଠେ । ବିଲ କାମ ସାରି ଚାଷୀ ତା’ର ଘରକୁ ଗୁଣୁଗୁଣୁ ଗୀତ ଗାଇ ମହାନନ୍ଦରେ ଘରକୁ ଫେରି ଆସେ । ଦୂର ବିଦେଶୀ ପଥିକ ପ୍ରାଣରେ ଚଞ୍ଚଳତା ସୃଷ୍ଟି ହୁଏ । ପଲ୍ଲୀ ବଧୂ ପ୍ରସ୍ଫୁଟିତ ଜହ୍ନି ଫୁଲ ଫୁଟିବାର ଦେଖି ସନ୍ଧ୍ୟା ଆଳତି ଦେଇ ଚୁଲି ଲଗାନ୍ତି । ” ବରଷା ଋତୁରେ ମେଘ ଉହାଡରେ , ଖରା ନଦିଏ ଦର୍ଶନ / ଜହ୍ନି ଫୁଲ ଫୁଟା ଦେଖି ବଧୂଗଣ , ଚୁଲି ଲଗାନ୍ତି ବହନ “। ପଲ୍ଲୀବଧୂ ବୃନ୍ଦାବତୀଙ୍କ ନିକଟରେ ସନ୍ଧ୍ୟା ଦୀପ ଜାଳି ତା ‘ ମନର ସୁଖ ଦୁଃଖ ମନାସନ୍ତି । କ୍ଷେତ୍ର ଫେରନ୍ତା କୃଷକ, ନିଜର ପରିବାର ଗହଣରେ, ପୁତ୍ର , କନ୍ୟା , ପତ୍ନୀ ନିକଟରେ ବସି କ୍ଳାନ୍ତି ଦୂର କରେ । ମିଞ୍ଜି ମିଞ୍ଜି ଡିବି ଆଲୁଅରେ ଜନନୀ କୋଳରେ ଅଝଟ ଶିଶୁ ଶୋଇ ପଡ଼େ । ମଶା ମାନଙ୍କ ଗୁଣୁଗୁଣୁ ସ୍ୱର ସନ୍ଧ୍ୟା କାଳୀନ ବେଦମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଗାଁ ଦାଣ୍ଡ କାଦୁଆ ଚପଚପ ହୋଇ ଉଠିଥାଏ । ଚାଳ ଛପର ନଡ଼ାରୁ ଟପଟପ ଜଳ ପଡ଼ୁଥିବା ପରିବେଶକୁ ଅଧିକ ଗମ୍ଭୀର କରିଥାଏ । ” ପାଣି ସଂଗେ ପଡେ ସ୍ୱରଗ ପଥର , ତା ଦେଖି ବାଳକ ମାନେ / ସାଉଁଟି ଖାଇଣ, ଗୀତ ଗାଉଥିଲେ , ଘୋର ଉଚ୍ଚତାନ ମାନେ ” । ତା ‘ସତ୍ତ୍ୱେ ନୂଆ ବୋହୂର ମିଟିମିଟି ଆଖି ଓ ରାନ୍ଧଣା ପାଇଁ ଜାଳେଣି ସଜା, ବାଡ଼ ଉହାଡୁରୁ କୁଆ ମଇତା ତୋଳା , କୁମ୍ଭାଟୁଆର ହୁଁ ହୁଁ ଶବ୍ଦ, ଝିପିଝିପି ବର୍ଷାର ଦୁମ୍ ଦୁମ୍ ଗତି ପ୍ରଭୂତି ଜୀବନର ନିତ୍ୟ ପରିଚିତ ଦୃଶ୍ୟ କବି ବଳଙ୍କ ଲେଖନୀରେ ପ୍ରାଣବନ୍ତ ହୋଇ ଉଠିଛି ।
ପଲ୍ଲୀର ବର୍ଷା କାଳୀନ ମନୋରମ ଦୃଶ୍ୟ ଶବର ଶବରୁଣୀ ନାଚ, କେଳାର ଭୂଜବାଦୀ ଖେଳ, ଗ୍ରାମ ଲଳନାର ରଜ ଦୋଳି ଗୀତ, ଜହ୍ନି ଓଷା , ଆଖଡ଼ା ଶାଳର କଂସ ବଧ ଓ ରାମଲୀଳା ନାଟକର ଉପସ୍ଥାପନ ଅଦ୍ୟାବଧି କେତେକ ଗାଁ ‘ରେ ପ୍ରଚଳିତ ଅଛି । ସକାଳ ସନ୍ଧ୍ୟାରେ ପଲ୍ଲୀ ପରିବେଶକୁ ମୁଖରିତ କରୁଥିବା କାକ, କୋଇଲି, ଡାହୁକ, ବେଙ୍ଗ, ବିଭିନ୍ନ ସରିସୃପ ସହ ପଲ୍ଲୀ ବାସୀଙ୍କ ଅନ୍ଧ ବିଶ୍ବାସ ବାଉଁଶ ବଣର ଭୂତ ଏସବୁ ନିତ୍ୟ ପରିଚିତ କଥାକୁ ଚମତ୍କାର ଶୈଳୀରେ କବି ନନ୍ଦକିଶୋର ଉପସ୍ଥାପିତ କରିଛନ୍ତି । ଅଦିନ ମେଘ, ବର୍ଷା ମଙ୍ଗଳ କବିତାରେ ସେହି ସବୁ ଗତାନୁଗତିକ ପଲ୍ଲୀ ଚିତ୍ର ଦେଇଛନ୍ତି । ଚିରା ଚରିତ ପ୍ରେମ ପ୍ରଣୟ, ମିଳନ ବିଚ୍ଛେଦ , ଦୁଃଖ ସୁଖ, କ୍ରୀଡା କୈାତୁକ, ହସ କାନ୍ଦ, ଜୀବନ ଦର୍ଶନ, ପ୍ରତାରଣା , ବାତ୍ସଲ୍ୟ ମମତା ଯାବତୀୟ ଘଟଣାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ” ଭାବର ଆବେଶ ଦୂରପର ବାସେ , ମନେ ପଡେ ପ୍ରିୟା ଯାହା / ତାହାରି ସଂଗତେ ଦରଶନ ଦିଏ, ଅତୀତ ଜୀବନ ଛାୟା ” । ଲୋକ ଗୀତର ନିର୍ଯ୍ୟାସ ଗ୍ରହଣ ପଲ୍ଲୀର ଚିତ୍ର ଅଙ୍କନରେ ଗୀତର ଧାରାରେ ସ୍ୱତଃସ୍ପୂର୍ତ୍ତ ଭାବରେ ପରିଘୋଷିତ ହୋଇଛି । ନବବର୍ଷା ଭାବନା ‘ ରେ ଲୋକଗୀତର ମନଛୁଆଁ ଢାଞ୍ଚାରେ ବର୍ଣ୍ଣିତ, ଯାହା ସ୍ନେହମୟୀ ମା ‘ ତା’ର ସନ୍ତାନ ପ୍ରତି ପ୍ରକାଶ କରିଥାଏ । ” ମେଘ ବରଷିଲା ଟପର ଟପର କେଶୁର ମାଇଲା ଗଜା / କେଉଁ ପରବତେ ରହିଲେ ମୋ ରଜା ତେଲିଙ୍ଗି ବାଇଦ ବଜା ” ।
ନିଷ୍କର୍ଷରେ କେବଳ ଏତିକି କହିହେବ , ରବିନ୍ଦ୍ରନାଥ ଯେଭଳି ଥିଲେ ଚିର ଶ୍ରାବଣର କବି, ବର୍ଷା ମଙ୍ଗଳର କବି, ସେଭଳି ନନ୍ଦକିଶୋର ଥିଲେ ବର୍ଷାର କବି । ‘ନବବର୍ଷାର ଭାବନା ‘ ହେଉ ଅବା ‘ଅଦିନ ମେଘ ‘ ଅଥବା ‘ବର୍ଷାମଙ୍ଗଳ ‘ ଆଦି କବିତାରେ କବିଙ୍କ ଅନ୍ତରର ନିଗୂଢ଼ କାରୁଣ୍ଯ ବର୍ଷାରେ ଇନ୍ଦ୍ରଧନୁର ବର୍ଣ୍ଣବିଭା , ନବ କିଶଳୟର ସଜୀବତାକୁ ଭେଦକରି ବିରହୀର ହୃଦୟ ଓ ବନ୍ୟାର୍ତ୍ତର ଉଦ୍ବେଗକୁ ଉପଲବ୍ଧ କରେ , ତାହା ବେଶ୍ ଅବିସ୍ମରଣୀୟ । ବାସ୍ତବରେ କବି ନନ୍ଦକିଶୋର ଥିଲେ ପଲ୍ଲୀ ଜୀବନର ସଫଳ ରୂପକାର…!!!
” ଦେଖୁ ଦେଖୁ ମାଡି ଆସେ ଘନ ବରଷା, ବିଲ କାମ ସାରି ଚାଲି ଗଲେଣି ଚଷା / ଗଗନେ ଗରଜେ ଘନ, ବହଇ ଖର ପବନ / ଘୋର ରଡ଼ି ଘଡ ଘଡି ଉଡ଼େ ଭରସା , ଦେଖୁଁ ଦେଖୁଁ ମାଡ଼ି ଆସେ ଘନ ବରଷା ” ।
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ – ୯୦୪୦୧୫ ୧୪୭୫
laxmansahoo9040@gmail.com
Comments are closed.