ଘଣ୍ଟାପ୍ରତି ୪୦ କିମି ବେଗରେ ଝଟକା ପବନ ସହ ବର୍ଷା ଆଶଙ୍କା: ରାଜଧାନୀ ଭୁବନେଶ୍ୱର ଓ କଟକ ସହ ୨୪ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବାରେ ଲାଗିଛି ପାଣିପାଗର ମିଜାଜ। ଆଜି ସକାଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାଣିପାଗ ସତର୍କତା ସୂଚନା ଜାରି କରାଯାଇଛି। ସକାଳ ପ୍ରାୟ ୭ଟା ୫ ମିନିଟରେ ଜାରି ହୋଇଥିବା ଏହି ସୂଚନା ଅନୁସାରେ, ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଟକା ପବନ ହେବାର ପ୍ରବଳ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଝଟକା ପବନ ବହିପାରେ। ବିଶେଷ କରି ରାଜଧାନୀ ଭୁବନେଶ୍ୱର ଓ ପୁରୀ ସହର ସମେତ ଖୋର୍ଦ୍ଧା, କଟକ ସହର ଓ କଟକ ଜିଲ୍ଲା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିପାରେ ।
କେବଳ ଉପକୂଳ ନୁହେଁ, ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାର ଏକ ବଡ଼ ଅଞ୍ଚଳ ମଧ୍ୟ ଏହି ପାଣିପାଗ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ। ପାଣିପାଗ ବିଭାଗ ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ସତର୍କତା ମଧ୍ୟରେ ରଖିଛି । ଏହି ସବୁ ଜିଲ୍ଲାର ଅନେକ ସ୍ଥାନରେ ମେଘ ସହିତ ହଠାତ୍ ପବନର ବେଗ ବୃଦ୍ଧି ପାଇପାରେ ।

