Latest Odisha News

BREAKING NEWS

ୟୁପିଆଇ ବନାମ କାର୍ଡ ପେମେଣ୍ଟ: ନୂଆ ଚାର୍ଜ ଲାଗିଲେ ବି ୟୁପିଆଇ ହେବ ସବୁଠୁ ଶସ୍ତା ବିକଳ୍ପ

ନୂଆଦିଲ୍ହୀ: ଦେଶରେ ଡିଜିଟାଲ୍ ଦେଣନେଣ ପାଇଁ ସବୁଠାରୁ ଲୋକପ୍ରିୟ ମାଧ୍ୟମ ପାଲଟିଛି ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ । ତେବେ ଆସନ୍ତା ଅକ୍ଟୋବର ୧୫ ତାରିଖ ୨୦୨୬ରୁ ୟୁପିଆଇ ପେମେଣ୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୦୦୦ ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ଏବେ ୦.୪% ହାରରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ ହେବ । ଏଭଳି ସ୍ଥିତିରେ ସାଧାରଣ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ନୂଆ ଚାର୍ଜ ଲାଗିବା ପରେ ମଧ୍ୟ ୟୁପିଆଇ କ’ଣ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ତୁଳନାରେ ଶସ୍ତା ରହିବ?

NPCI ସ୍ପଷ୍ଟ କରିଛି ଯେ, ଏହି ୦.୪% ଏମଡିଆର୍ ସମସ୍ତ ୟୁପିଆଇ ପେମେଣ୍ଟ ଉପରେ ଲାଗୁ ହେବ ନାହିଁ । କେବଳ ୨୦୦୦ ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ ପେମେଣ୍ଟ ଉପରେ ହିଁ ଏହା ଲାଗିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶୁଳ୍କ ସିଧାସଳଖ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ, ବରଂ ଏହା ସମ୍ପୃକ୍ତ ବ୍ୟବସାୟୀଙ୍କ ଖାତାରୁ କଟିବ। ଛୋଟ ବ୍ୟବସାୟୀ ଏବଂ ଦୈନନ୍ଦିନ ଛୋଟ କାରବାରକୁ ଏହି ଚାର୍ଜ ପରିସରରୁ ବାଦ୍ ଦିଆଯାଇଛି, ଯାହାଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ।

ଧରନ୍ତୁ, ଜଣେ ବ୍ୟବସାୟୀ ଗ୍ରାହକଙ୍କ ଠାରୁ ୧୦ ହଜାର ଟଙ୍କାର ୟୁପିଆଇ ପେମେଣ୍ଟ ଗ୍ରହଣ କରୁଛନ୍ତି । ୦.୪% ହିସାବରେ ଏହି କାରବାର ଉପରେ ମାତ୍ର ୪୦ ଟଙ୍କା ଏମଡିଆର୍ ଚାର୍ଜ ଆକାରରେ ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଯଦି ଏହି ସମାନ କାରବାର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଏ, ତେବେ ବ୍ୟାଙ୍କ ତଥା କାର୍ଡ ନେଟୱର୍କର ପ୍ରୋସେସିଂ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ି ହୋଇ ଏହି ଚାର୍ଜ ଅଧିକ ହେବାର ସମ୍ଭାବନା ରହିଛି ।

ତେଣୁ NPCI ର କହିବା କଥା ହେଲା, ନିର୍ଦ୍ଦିଷ୍ଟ କାରବାର ଉପରେ ଏମଡିଆର୍ ଲାଗୁ ହେବା ସତ୍ତ୍ୱେ କାର୍ଡ ପେମେଣ୍ଟ ତୁଳନାରେ ୟୁପିଆଇ ଏବେ ମଧ୍ୟ ସବୁଠାରୁ ଶସ୍ତା ଏବଂ ସୁବିଧାଜନକ ବିକଳ୍ପ ହୋଇ ରହିବ । ତେବେ କେଉଁ ପେମେଣ୍ଟ ଅଧିକ ଲାଭଦାୟକ ହେବ, ତାହା କାରବାରର ପରିମାଣ, ବ୍ୟାଙ୍କ ନିୟମ ଏବଂ କ୍ରେଡିଟ୍ କାର୍ଡରୁ ମିଳୁଥିବା ରିୱାର୍ଡସ୍ ଉପରେ ନିର୍ଭର କରେ ।

Leave A Reply

Your email address will not be published.