Latest Odisha News

ରଥଯାତ୍ରାରେ ପ୍ରବଳ ବର୍ଷା: ଖୋର୍ଦ୍ଧା, କଟକ ଓ ପୁରୀକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି, ବିଜୁଳି ହେବା ନେଇ ସତର୍କ ଜାରି କରାଯାଇଛି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ରବିବାର ପବିତ୍ର ରଥଯାତ୍ରା ଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପୁରୀ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର ଏସବୁ ଜିଲ୍ଲା ସହ ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କନ୍ଧମାଳ ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସୂଚନା ଥାଉକି ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧, ବଲାଙ୍ଗୀରରେ ୧୫, ଅନୁଗୁଳରେ ୧୦ ମିମି ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।

Comments are closed.