Latest Odisha News

ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ

ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ ଏଯାବତ୍ ୧୧ ଜଣ ପ୍ରାଣ ହରାଇଲେଣି । ଏବେ କିନ୍ତୁ ବର୍ଷାରୁ ନିସ୍ତାର ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଆଇଏମଡି ପକ୍ଷରୁ ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତିରୁଅନନ୍ତପୁରମ, ପଟନମଥିଟ୍ଟା, ଆଲାପୁଜା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, କୋଜିକୋଡ ଏବଂ କନ୍ନୁରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୦୦ ମିଲିମିଟର ବର୍ଷା ହୋଇଛି । ସେହିପରି ୧୧ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୬ ଜଣ ପାଣିରେ ବୁଡି ପ୍ରାଣ ହରାଇଥିବାବେଳେ ଜଳାଶୟକୁ ଖସି ୨ ଜଣ, ବଜ୍ରପାତରେ ୨ ଜଣ ଏବଂ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷା ପ୍ରଭାବିତ ଅଞ୍ଚଳରୁ ୨୨୩ ଲୋକଙ୍କୁ ଉଦ୍ଧାର କରାଯାଇ ୮ଟି ରିଲିଫ୍‌ ଶିବିରରେ ଥଇଥାନ କରାଯାଇଛି।

ବର୍ଷା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରିଲିଫ୍‌ ଓ ଆବଶ୍ୟକ ସହାୟତା ଯୋଗାଇବାକୁ ଏନ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୁଲିସକୁ ନିୟୋଜିତ କରାଯାଇଛି। ଆଗାମୀ ଦୁଇ ତିନିଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୋଜିକୋଡ୍‌, ମାଲାପୁରମ, ଏର୍ଣ୍ଣାକୁଲମ ଏବଂ ତିରୁଅନନ୍ତପୁରମରେ ରିଲିଫ୍‌ ଶିବିର ଖୋଲାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତିରଅନନ୍ତପୁରମରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

 

Leave A Reply

Your email address will not be published.