Latest Odisha News

BREAKING NEWS

ରଜ ମହୋତ୍ସବ ୨୦୨୪ ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦ୍ୱାରା ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ ମ୍ୟାନେଜର ଲଲାଟେନ୍ଦୁ ସାହୁ, ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ମହିଳାମାନଙ୍କ ହାତକୁ ମେହେନ୍ଦିରେ ସଜ୍ଜାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଉତ୍ସବକୁ ମହନୀୟ କରିବା ପାଇଁ ରଜର ସୁସ୍ବାଦୁ ପିଠା ଓ ମିଠା ବିକ୍ରୟ ପାଇଁ ତିନୋଟି “ପିଠା ଅନ୍ ହୁଇଲ” ଭ୍ୟାନ୍ ଉଦଘାଟିତ ହୋଇଛି ଏବଂ ମାଷ୍ଟର କ୍ୟାଣ୍ଟିନ, କିଟ୍ ସ୍କୋୟାର, ଆଇଟିଆର- ଖଣ୍ଡଗିରିରେ ସକାଳ ୮ ଟାରୁ ୧୨ ଘଟିକା ଏବଂ ଅପରାହ୍ନ ୪ ଟା ରୁ ୭ ଟା ପର୍ଯ୍ୟନ୍ତ ଏହି ଭ୍ୟାନ ଗୁଡିକ ଉପଲବ୍ଧ ହେବ। ଏହି ଭ୍ୟାନ୍ ଗୁଡିକ ରଜ ପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ପ୍ରଦାନ କରିବ। “ପିଠା ଅନ୍ ହୁଇଲ” ମଧ୍ୟ ସମ୍ବଲପୁରରେ ଉପଲବ୍ଧ ହେବ । ସିଲଭରସିଟି ବୋଟକ୍ଲବ୍, ଆଇଏସବିଟି କାଫେ ଏବଂ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁରେ ଆସନ୍ତା ୧୪ ଜୁନରୁ ୧୬ ଜୁନ୍ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବିକ୍ରୟ ପାଇଁ ରଜ ପିଠା କାଉଣ୍ଟର ସ୍ଥାପନ କରାଯିବ ।

 

Leave A Reply

Your email address will not be published.