ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ କାଟିଲେ । ରଜ ତିନି ଦିନ ଯାକ ସମୟ ସେହି ଏକାପରି କଟିଲା, ଟିଭି ଓ ମୋବାଇଲ୍ ସହିତ, ଯେମିତି ସମୟ କଟେ ସହରରେ ।

ରଜ ଛୁଟି ପରେ ଫେରିବା ବେଳକୁ ପିଲାମାନେ ବାପାଙ୍କୁ କହିଲେ, କାହିଁ ଗାଁ’ରେ ରଜ ମଜା ତ କିଛି ଜଣା ପଡିଲାନି । ଆପଣ ତ କହୁଥିଲେ ଗାଁ’ରେ ରଜରେ ବହୁତ ମଜା ହୁଏ ବୋଲି । ବାପା କହିଲେ- ତୁମେ ତ ରଜ ତିନି ଦିନ ଯାକ ଘର ଭିତରେ ଟିଭି ସାମ୍‌ନାରେ ସମୟ କାଟିଲ । ବଳକା ସମୟ ମୋବାଇଲ୍‌ରେ ବ୍ୟସ୍ତ ରହିଲ । ଗାଁ ଭିତରକୁ ସିନା ଯାଇଥିଲେ, ରଜ ମଉଜ, ଦୋଳି ଖେଳ ଆଦି ବିଷୟରେ ଜାଣିଥାନ୍ତ । ପିଲାମାନେ ଆଉ କିଛି ଉତ୍ତର ଦେଇପାରିଲେ ନାହିଁ ।

ବାପା ସିନା ମୁହଁ ଟାଣ ମାରି ଏତକ କହିଦେଲେ, ହେଲେ ରଜରେ ପୂର୍ବ ପରି ସେ ମଉଜ ମଜଲିସ୍‌, ଖେଳକୁଦ, ରଜ ଦୋଳି, ପୋଡ଼ ପିଠା, ରଜ ପାନ, ସାଙ୍ଗ ମାନଙ୍କ ଘରକୁ ବୁଲିଯିବା ଆଦି ପରମ୍ପରା ଯେ ଗାଁ’ରୁ ଲିଭିଲିଭି ଗଲାଣି, ଏକଥା ଭାବୁଥିଲେ ମନେମନେ ।

ଯଦିଓ ଉପରୋକ୍ତ ଘଟଣାଟି ଗୋଟେ ଗପ, କିନ୍ତୁ ଏହା ଅନେକାଂଶରେ ସତ । ରଜ ପର୍ବର ପୂର୍ବର ସେ ମହକ ଆଜି ଆଉ ନାହିଁ । ରଜ ଏବେ କେବଳ ଛୁଟି ଦିନ ଓ କ୍ୟାଲେଣ୍ଡରର ତିନୋଟି ତାରିଖ ହୋଇଯାଇଛି । ଗତାନୁଗତିକ ଭାବେ ଆସୁଛି ଓ ଯାଉଛି । ରଜକୁ ନେଇ ପୂର୍ବରୁ ଛୋଟ ପିଲାଙ୍କ ଠୁ ନେଇ ବଡ଼ ମାନଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଆଜି ଆଉ ନାହିଁ । ଆମ ଛୋଟ ସମୟରେ ରଜକୁ ନେଇ ସମସ୍ତଙ୍କ ମନରେ ଥିଲା ଅନେକ ଉତ୍ସାହ ଓ ଉଦ୍ଦିପନା । ରଜର ଆଠ ଦିନ ପୂର୍ବରୁ ଆମେ ଅପେକ୍ଷା କରି ରହୁଥିଲୁ ରଜକୁ ।

ରଜରେ ନୂଆ ପୋଷାକ ପିନ୍ଧି ପରସ୍ପରଙ୍କ ଘରକୁ ବୁଲିଯିବା, କବାଡ଼ି, ବାଗୁଡ଼ି, ତାସ୍ ଆଦି ଖେଳିବା, ରଜ ଦୋଳି ଖେଳିବା, ଘରେ ତିଆରି ହୋଇଥିବା ପୋଡ଼ ପିଠା ଖାଇବା ଆଦି ରଜର ଥିଲା ମୂଖ୍ୟ ଆକର୍ଷଣ । ରଜ ତିନି ଦିନ ଯାକ ଗାଁ’ଟା ଯେମିତି ଉତ୍ସବମୂଖର ଲାଗୁଥିଲା । ଦଳ ଦଳ ହୋଇ ପିଲାମାନେ ନୂଆ ପୋଷାକ ପିନ୍ଧି ଗାଁ ଦାଣ୍ଡରେ ବୁଲୁଥିଲେ । ଝିଅ ମାନଙ୍କର ରଜ ଗୀତରେ ଗାଁ ଫାଟିପଡ଼ୁଥିଲା । ଏକ ଅଜବ ପ୍ରକାର ଆକର୍ଷଣ ଥିଲା ରଜ ପର୍ବରେ । ବିଶେଷ କରି ଉପକୂଳ ଓଡ଼ିଶାର ଗାଁ’ ମାନଙ୍କରେ ରଜ ଥିଲା ଏକ ମୂଖ୍ୟ ପର୍ବ ।

କିନ୍ତୁ ଏବେ ରଜ ପର୍ବରେ ପୂର୍ବର ସେ ମହକ ଥିବା ପରି ଆଉ ଜଣା ପଡ଼ୁନାହିଁ । ମଣିଷ ଯେମିତି ଧିରେ ଧିରେ ଯନ୍ତ୍ର ପାଲଟି ଯିବାରେ ଲାଗିଛି । ଯେତେ ଯେତେ ଯନ୍ତ୍ରର ତଥା ଔଦ୍ୟୋଗିକ ବିକାଶ ହେବାରେ ଲାଗିଛି, ଆମର କଳା, ସଂସ୍କୃତି ଆଦି ଧିରେ ଧିରେ ମଳିନ ପଡ଼ିବାରେ ଲାଗୁଛି । ସହର ତ ଛାଡ଼, ଗାଁ ବି ଯାନ୍ତ୍ରିକତା ଦିଗରେ ଏପରି ମୋଡ଼ି ହୋଇଗଲାଣି ଯେ, ପର୍ବ ପର୍ବାଣୀ, ପ୍ରଥା ପରମ୍ପରା ଆଦି, ଯାହା ଦିନେ ଗାଁ’ର ପରିଚୟ ଥିଲା, ତାହା ଆଜି ଆଉ ନାହିଁ । ପର୍ବପର୍ବାଣୀ ସବୁ ଧିରେ ଧିରେ କେବଳ କର୍ପୁର ଉଡ଼ିଯାଇଥିବା କନା ପରି ପଡ଼ିରହିଛି । ସେ ଉତ୍ସାହା ଉଦ୍ଦିପନା ଆଉ ଲୋକଙ୍କ ମନରେ ନାହିଁ । ଆଜି ପିଲାମାନେ ସବୁଠାରୁ ଅଧିକ ସମୟ କାଟୁଛନ୍ତି ମୋବାଇଲ୍ ସହିତ । ସେମାନଙ୍କ ମନ ଭିତରୁ ସଂସ୍କୃତିର ପ୍ରେମ ଧିରେ ଧିରେ ଫିକା ପଡ଼ିଆସୁଛି । କେବଳ ରଜ ପର୍ବ ନୁହେଁ, ଦୋଳ ପୁର୍ଣ୍ଣମା ହେଉ କି ରାହାସ ଯାତ୍ରା ହେଉ, ସବୁ ପର୍ବପର୍ବାଣୀର ଅବସ୍ଥା ଆଜି ଏକାପରି । ଆଧୁନିକତାର ମାୟାରେ ମଣିଷ ଧିରେ ଧିରେ ତାର ଅତୀତର ପର୍ବପର୍ବାଣୀକୁ ଭୂଲି ଭୂଲି ଚାଲୁଛି ।

ଗାଁ’ ଗହଳିର ଗୋଷ୍ଠୀ ଜୀବନକୁ ତ ଏହି ପର୍ବପର୍ବାଣୀ ସବୁ ସୁନ୍ଦର କରୁଥିଲା । ଗୋଟିଏ ପଟେ ଆଜି ଗୋଷ୍ଠୀ ଜୀବନ ସଂକୁଚିତ ହେବାରେ ଲାଗୁଛି ଓ ଅନ୍ୟପଟେ ଗୋଷ୍ଠୀ ଜୀବନକୁ ଆଗକୁ ବଢ଼ଉଥିବା ପର୍ବପର୍ବାଣୀ ସବୁ ବି ଲୋକମାନଙ୍କ ମନରେ ନିଜର ପ୍ରାସଙ୍ଗିକତାକୁ ହରେଇ ଚାଲୁଛନ୍ତି । ଏହାକୁ ଆମେ କେବଳ ଏକ ପରିବର୍ତ୍ତନ କହିବା ନା ଯାନ୍ତ୍ରିକ ସଭ୍ୟତାର ଏହା ଏକ ପରିଣାମ ବୋଲି କହିବା ! ଗାଁ ଗହଳିରେ ଯେଉଁ ଗୋଷ୍ଠୀଗତ ଜୀବନ ଶୈଳୀ ଥିଲା, ତାହାକୁ ମଜବୁତ୍ କରୁଥିଲା, ଏହି ସବୁ ପର୍ବପର୍ବାଣୀ । ଯଦି ଏହି ସବୁ ପର୍ବପର୍ବାଣୀର ପାଳନ ବନ୍ଦ ହୋଇଯିବ, ତେବେ ଏହା ନିଶ୍ଚିତ ଯେ, ଆମ ଗୋଷ୍ଠୀ ଜୀବନ ବହୁଳ ଭାବେ ପ୍ରଭାବିତ ହେବ । ବିନା ଗୋଷ୍ଠୀ ଜୀବନରେ ଗାଁ ଆଉ କ’ଣ ଗାଁ ହୋଇ ରହିବ! ଏହା ବର୍ତ୍ତମାନ ଆମ ଗାଁ’ ମାନଙ୍କର ଏକ ମସ୍ତବଡ଼ ସଂକଟ ।

ଆଜି ରଜ ପର୍ବ ଅନେକାଂଶରେ କେବଳ ଭିନ୍ନ ଭିନ୍ନ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା ହିଁ ପାଳନ କରାଯାଉଛି । ଗୋଷ୍ଠିଗତ ଭାବେ ହେଉନି । ଏଡାକୁ ରଜ ପର୍ବ ନକହି ସେହି ସବୁ ଅନୁଷ୍ଠାନ ମାନଙ୍କର ଏକ କାର୍ଯ୍ୟକ୍ରମ କହି ହେବ । କେଉଁଠି କେଉଁଠି ରଜ ମଉଛବ ପାଳନ କରାଯାଉଛି, ନହେଲେ ଟିଭିରେ ରଜ କୁଇନ୍ ପ୍ରତିଯୋଗିତା ହେଉଛି । ରଜ ମଉଛବ ଆୟୋଜନ କରାଯାଇ କେଉଁ ଅନୁଷ୍ଠାନ ଦ୍ୱାରା ଡ୍ୟାନ୍‌ସ ପ୍ରତିଯୋଗିତା ବା ପିଠା ତିଆରି ପ୍ରତିଯୋଗିତା ହେଉଛି ତ କେଉଁଠି ରଙ୍ଗାରଙ୍ଗ ମେଲୋଡ଼ି କାର୍ଯ୍ୟକ୍ରମ କରାଯାଉଛି । ଏହା ହିଁ ହୋଇଯାଇଛି ଆଜି ରଜ ପର୍ବର ପରିଚୟ । ଏହା ଦ୍ୱାରା କେବଳ ରଜ ପର୍ବ ନାଁ’ରେ ବିଭିନ୍ନ ପ୍ରକାର ଯାତ୍ରା ଚାଲୁଛି । କିନ୍ତୁ ଏଥିରେ ପୂର୍ବର ରଜ ପର୍ବର ମହକ ନାହିଁ ।

ଏହା ଦ୍ୱାରା ଆମ ଗୋଷ୍ଠୀଗତ ଜୀବନ ମଜବୁତ୍ ହେଉନି । ଆମ ଭିତରେ ସାଂସ୍କୃତିକ ଐକ୍ୟତା ଆସୁନି । ତା’ହେଲେ ଏପରି ରଜ ପର୍ବ କେଉଁ କାମକୁ! ଆମ ସମୟର ରଜ ପର୍ବ କଥା ମନେପଡ଼ିଲେ, ଆଜି ବି ଆମ ମନ ପଚିଶ ବର୍ଷ ତଳକୁ ଚାଲିଯାଉଛି । ଆଖି ଆଗରେ ନାଚି ଉଠୁଛି ସେତେବେଳର ରଜ ପର୍ବର କଥା । ପୁଣି ଥରେ ପିଲା ହୋଇଯାଇ ରଜ ଦୋଳିରେ ଝୁଲିବାକୁ ଇଛା ହେଉଛି । କିନ୍ତୁ ଆଜି ଯେମିତି ଭାବେ ରଜ ପର୍ବ ପାଳନ କରାଯାଉଛି, ଆଜିର ପିଲାମାନେ ପଚିଶ୍ ବର୍ଷ ପରେ ତାଙ୍କ ଜୀବନର ରଜ ପର୍ବକୁ ମନେ ପକେଇ ବିହ୍ୱଳିତ ହୋଇପାରିବେ କି ?

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।