Latest Odisha News

BREAKING NEWS

ଆମ ଐତିହ୍ୟର ପର୍ବ ‘ରଜ’

ରଜ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ

ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ପଲ୍ଲୀ ଜୀବନରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ମାଟି ପ୍ରତି ମମତା ,ପୃଥିବୀ ପ୍ରତି କୃତଜ୍ଞତାର ଚେତନାରୁ ଏଇ ରଜପର୍ବର ପରିକଳ୍ପନା। ଅଥର୍ବ ବେଦରେ ପୃଥିବୀ ସୂକ୍ତରେ କୁହାଯାଇଛି ,ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି ,ଯେଉଁଥିରେ ଅନ୍ନ ଓ ମାନବ ସୃଷ୍ଟିର ସତ୍ତା ରହିଛି ,ଯେଉଁଠି ସମସ୍ତେ ଆନନ୍ଦରେ ରହି ଶ୍ବାସ, ପ୍ରଶ୍ବାସ ନିଅନ୍ତି ତଥା ବିଚରଣ କରନ୍ତି ସେହି ଭୂମିକୁ ଆମେ ପ୍ରଥମେ ସମ୍ମାନ ଦେବା। ଏହି ମାତୃଚେତନା ହିଁ ରଜ ଉତ୍ସବର ମୂଳ ଉତ୍ସ। ଏକାଦଶ ଶତାବ୍ଦୀରେ ରଚିତ “ଶତାନନ୍ଦ ସଂଗ୍ରହ”ରେ ରଜପର୍ବ ସମ୍ପର୍କରେ ପ୍ରଥମ ଉଲ୍ଲେଖ ଅଛି। ତେଣୁ ଶାସ୍ତ୍ରୀୟ ସ୍ବୀକୃତି ପାଇବାର ବହୁ ପୂର୍ବରୁ ରଜପର୍ବ ଓଡ଼ିଶାର ଜୀବନଧାରାରେ ଅଙ୍ଗୀଭୂତ ହୋଇ ସାରିଥିଲା ଏଥିରେ ସନ୍ଦେହ ନାହିଁ। ଶତାନନ୍ଦଙ୍କୁ ଅନୁସରଣ କରି ଅଷ୍ଟାଦଶ ଶତାବ୍ଦୀ ରେ ପ୍ରସିଦ୍ଧ ଶାସ୍ତ୍ରକାର ଗଦାଧର ରାଜଗୁରୁ ତାଙ୍କର “କାଳସାର”ଗ୍ରନ୍ଥରେ ରଜପର୍ବ ସମ୍ପର୍କରେ ଉଲ୍ଲେଖ ଅଛି:

“ବୃଷାନ୍ତେ ମିଥୁନାଦୌ ତନ୍ମେଧ୍ୟେପି ଦିନ ତ୍ରୟମ।
ରଜସ୍ବଳା ସ୍ୟାତ୍ ପୃଥିବୀ କୃଷିକର୍ମ ବିଗର୍ହିତମ୍।”

ଏହାକୁ ଅଧିକ ବୁଝାଇ ସେ ଲେଖିଛନ୍ତି ଯେ ସଂକ୍ରମଣ ମାସ ଅନୁସାରେ ବୃଷମାସ ବା ଜ୍ୟେଷ୍ଠ ମାସର ଶେଷଦିନ ଏବଂ ମିଥୁନ ଆଷାଢ଼ ମାସର ପ୍ରଥମ ଦୁଇ ଦିନ ସୂର୍ଯ୍ୟ ମୃଗଶିରା ନକ୍ଷତ୍ରରେ ରହନ୍ତି। ଏହି ତିନିଦିନ ପୃଥିବୀ ରଜସ୍ୱଳା ହେବା ଯୋଗୁଁ ଏହି ଦିନଗୁଡିକରେ ଭୂମି କର୍ଷଣ ସମ୍ପର୍ଣ୍ଣ ନିଷିଦ୍ଧ। ଗ୍ରାମାଞ୍ଚଳରେ ଏହି ତିନିଦିନ ସମସ୍ତଙ୍କ ପାଇଁ ଅବସର ବିନୋଦନର ସମୟ ।

ରଜପର୍ବର ମୁଖ୍ୟ ଆକର୍ଷଣ ହେଲା ରଜଦୋଳି । ଏହା ସହ ପୋଡପିଠା ସହ ବିଭିନ୍ନ ପ୍ରକାର ପିଠା ଓ ରଜ ପାନ। ଆମ ଐତିହ୍ୟ ଓ ପରମ୍ପରାରେ ପ୍ରାୟ ଚଉଦ ପ୍ରକାର ଦୋଳିର ପ୍ରକାର ଭେଦ ଅଛି। ରାମଦୋଳି, ବାଉଁଶ ଦୋଳି, ଦଉଡି ଦୋଳି, ଶଗଡ଼ ଅଖରେ ଦୋଳି ଇତ୍ୟାଦି। ଦୋଳି ଖେଳର ପରମ୍ପରା ଆମ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବହୁପୂର୍ବରୁ ରହିଆସିଛି। ଆମ ଓଡ଼ିଆ ସାହିତ୍ୟରେ ଅନେକ ଲୋକ ଗୀତ ରଜପର୍ବ ଉପରେ ରହିଛି।ସେଥିରୁ ଏଠାରେ କିଛି ଉପସ୍ଥାପନା :

୧. ରଜାଙ୍କର ଭାଇ ଧରିଲେ ହାତୀ
ଗୁରୁବାରର ଅମିସା ରାତି
ଫୁଲି ଉଠେ ରଜାଛାତି
ଉଆସେ ମଉଜ ଦିନ-ରାତି।

୨. ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ଘେନି ନୂଆ ସଜବାଜ।

୩. କଷି ଡାଳ ପଡେ ଖସି
ପୀରତି ଆଶାରେ ରହିଲି ବସି
କଥା ନକହିଲୁ ହସି।

୪. ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକାଲୋ
କାହା ବିନା ଏକା ଏକା୍

୫. ପଣଷ ପାଚିଲା ବନେ
ବନ ପୋଡିଗଲେ ଦୁନିଆ ଜାଣେଲୋ
ମନକଥା କିଏ ଜାଣେ ?

୬.ଶଙ୍ଖ ମଲମଲ ଗିନା
ଦରଦ ଜାଣେଲୋ ଦରଦୀ ସିନାଲୋ
ବଣିଆ ଚିହ୍ନେଟି ସୁନା।

୭.ନିମ୍ବର ବୁକେ ଚନ୍ଦନ
ଦେବତା ଗଢିଲା ନାରୀ ଜୀବନଲୋ
ଦେଲା ତହିଁ ଯଉବନ।

୮. ବାଜିଲା ତେଲିଙ୍ଗି ବାଜା
ରସିକ ଯେ ଜାଣେ ସ୍ନେହର ମଜାରେ
ସେ ସିନା ମୋ ମନ ରାଜା।

୯. ପାଚିଲା ଭଇଁଚ କୋଳି
ବେକରେ ନାଇଚି ଗଜରା ମାଳିଲୋ
ଝୁଲାଅ ରଜର ଦୋଳି।

୧୦. ପୋଖରୀ ତୁଠ ପଥର
ତତେ ଦେଖିଥିଲି ବାଲିବନ୍ଧରେ ଲୋ
ଆଖିଥିଲା ଏଣେ ତୋର।

ଏସବୁ ଲୋକଗୀତ କେତେ ଶହବର୍ଷ ପୁରୁଣା ତାହା କହିବା କଷ୍ଟ। ଗାଁ ଗହଳର ଅଶିକ୍ଷିତ ଝିଅ ବୋହୁମାନେ ହିଁ ଏହି ସବୁ ଲୋକଗୀତର ସ୍ରଷ୍ଟା, ଆମ ଲୋକ ସଂସ୍କୃତିର ଧାରକ ଓ ବାହକ।

ରଜଦୋଳି ଓପର୍ବ କୁ ନେଇ କବିମାନଙ୍କ ଲେଖନୀରୁ ମଧ୍ୟ ଝରିଆସିଛି ବିଭିନ୍ନ କବିତା:

“ରଜ ତିନିଦିନ ଖାଇ ପୋଡପିଠା
ଗ୍ରାମ ଆମ୍ବତୋଟା ତଳେ
ଖେଳନ୍ତି ଉଦ୍ଦାମେ ବାଗୁଡି ,ଦାଣ୍ଡିଆ
ପଲ୍ଲୀ-ଯୁବକ ସକଳେ।”
(ପଲ୍ଲୀକବି ନନ୍ଦ କିଶୋର)

“ଆଗରୁ କହିଛି ରେବତୀ ଆଈକୁ
କାନେ କାନେ ତାର ପକାଇ ରାଣ,
ଡାକିଦେବୁ ମୋତେ ବଡି ସକାଳୁଟି
ନୋହିଲେ ଦେଖିଥା ବାଜିବ ଟାଣ ।

କାଉ ନରାବୁଣୁ ସବୁରି ଆଗରୁ,
ଉଠାଇ ଦେବୁଲୋ ଶେଯରୁ ମୋତେ
ଆଗହୋଇ ମୁହିଁ ସୁନାପାଗ ନେବି
ଦେବୁ କି ନାହିଁ ତୁ କହନି ଏତେ ?
(ପହିଲି ରଜ)ସଚ୍ଚିଦାନନ୍ଦ ରାଉତରାୟ

“ବେଶ ପରିପାଟୀ ଆଜିର ଆହା କି ମନୋହର
ଦୁର୍ଲଭ ସାରା ମରତେ ସତେ ଉପମା ତାର
ଚଳିଲେ ବାଳୀଏ ଫୁଟାଇ ପଥେ କମଳ-କଳୀ
“ରଜଘରେ” ଆଜି ଖେଳିବ ବୋଲି ହରଷେ ଦୋଳି।

(ନାରୀକବି ବିଦ୍ୟୁତ ପ୍ରଭା ଦେବୀ)

ଆଜି ଦୂର ଦିଗବଳୟର କେଉଁ ଏକ ନିଭୃତ କୋଣରେ କୁଆଡେ ଉଭେଇ ଗଲାଣି ଏଇ ଲୋକଗୀତ ତଥା ଦୋଳିଗୀତ ସବୁ। ଯାହାବି କିଛି ପଂକ୍ତି ଜନମାନସରେ ଅଛି,ସେଗୁଡିକ ଆବୃତ୍ତି କରିବାକୁ ସମୟ ଓ ଇଚ୍ଛା କମ୍ ଜଣାପଡେ।

 

Comments are closed.