ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୦
ଇନ୍ଦ୍ରଜିତର ଏପରି ଦାମ୍ଭିକ ଅହଂକାରପୂର୍ଣ୍ଣ ବଚନରେ ଅଧିକ କ୍ରୋଧିତ ହୋଇ ବାସୁକି କହିଲେ, ” ବ୍ରହ୍ମାଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ଏତେ ଅଭିମାନ ତୋର ? ମୋର ଅଂଶାବତାର ତୋର ମାନ ମର୍ଦ୍ଦନ ନିଶ୍ଚୟ କରିବ ଏବଂ ତୋର ବଧର କାରଣ ହେବ । ”
କରୁଣ ସ୍ୱରରେ ସୁଲୋଚନା କହିଲେ, ” ପିତା ହୋଇ ଆପଣ ଏତେ ନିଷ୍ଠୁର କିପରି ହେଲେ ? ପ୍ରଥମେ ଅଭିଶାପ ଦେଲେ , ମୋ ସ୍ୱାମୀ ଦାନବ ହେବ। ସତ୍ୟ ମଧ୍ୟ ହେଲା। ଏବେ ତାଙ୍କ ମୃତ୍ୟୁର ଅଭିଶାପ ? ” ଏହିପରି କହି ରୋଦନ କରିବାରେ ଲାଗିଲେ।
” ଅଟ୍ଟହାସ୍ୟ କରି ଇନ୍ଦ୍ରଜିତ କହିଲା, ” ବ୍ରହ୍ମଦେଵ ମୋତେ ଅମର କରିଦେଇଛନ୍ତି। ତାଙ୍କର ସର୍ତ୍ତ ପୂରଣ ହେବା ଅସମ୍ଭବ। ସୁଲୋଚନେ ! ଚାଲ ଆମେ ଯିବା ଲଙ୍କା ,ଯେଉଁଠି ତୁମର ପ୍ରକୃତ ଗୃହ । ସେଠାରେ ମୋ ପିତା, ମାତା ଓ ପରିବାର ବର୍ଗଙ୍କର ସ୍ନେହ ପାଇ ସବୁ କଷ୍ଟ ତୁମର ଦୂର ହୋଇଯିବ। ” ସୁଲୋଚନାଙ୍କୁ ନେଇ ଇନ୍ଦ୍ରଜିତ ଲଙ୍କା ଅଭିମୁଖେ ଯାତ୍ରା କଲେ।
ଇନ୍ଦ୍ରଜିତଙ୍କର ବିମାନ ନାଗଲୋକରୁ ସ୍ଵର୍ଣ୍ଣନଗରୀ ଲଙ୍କା ଅଭିମୁଖେ ଯାତ୍ରା କଲା। ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଦ୍ୱାରା ନିର୍ମିତ ଏହି ନଗରୀ, ଅଳକାପୁରୀର ଐଶ୍ୱର୍ଯ୍ୟକୁ ନିନ୍ଦୁଥିବା ଏକ ଭବ୍ୟ ବିଶାଳ ନଗରୀ। ଚତୁଃପାର୍ଶ୍ଵରେ ସମୁଦ୍ର, ତ୍ରିକୁଟ ପର୍ବତ ଉପରେ ବିରାଜମାନ ସମ୍ପୂର୍ଣ୍ଣ ସ୍ବର୍ଣ୍ଣରେ ନିର୍ମିତ ନଗରୀ ,ଯାହାର ଚତୁର୍ଦିଗରେ ଚାରିଗୋଟି ସୁବର୍ଣ୍ଣ ନିର୍ମିତ ବିଶାଳ ଦ୍ୱାର ଥିଲା, ହୀରା,ନୀଳା, ମଣି, ମୁକ୍ତାଦି ମୂଲ୍ୟବାନ ଧାତୁରେ ସଜ୍ଜିତ ହୋଇଥିଲା ନଗରୀର ଗୃହ, ଗବାକ୍ଷ ଓ ଖମ୍ବ ସବୁ। ସୁରମ୍ୟ ପୁଷ୍ପବାଟିକା, ପଦ୍ମ ପୁଷ୍କରିଣୀ , ଅଶ୍ଵ, ହାତୀ , ବିମାନ ଇତ୍ୟାଦି ବୈଭବରେ ଶୋଭିତ ସମୃଦ୍ଧ ଲଙ୍କା ନଗରୀ।