Latest Odisha News

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି।

ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ ଉଦ୍ୟମ କରୁଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କ ପାଇଁ ଗ୍ୟାରେଣ୍ଟି ଘୋଷଣା କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ମାଗଣା ଲ୍ୟାପଟପ ଦେବାଠୁ ଆରମ୍ଭ କରି ପୁରୁଣା ପେନସନ ସ୍କିମ ଲାଗୁ କରିବା, ଗାଈ ଗୋବର କିଣିବା, ପ୍ରତ୍ୟେକ ପିଲାଙ୍କୁ ଇଂରାଜୀ ମାଧ୍ୟମିକ ଶିକ୍ଷା, ଏକ କୋଟିରୁ ଅଧିକ ପରିବାରକୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଆଦିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

କଂଗ୍ରେସ ଶାସନକୁ ଆସିବା ମାତ୍ରେ ଏସବୁ ତୁରନ୍ତ ଲାଗୁ କରାଯିବ ବୋଲି ଜୟପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଦୁଇ ଦିନ ତଳେ ପ୍ରିୟଙ୍କାଙ୍କ ଗସ୍ତ ସମୟରେ କଂଗ୍ରେସ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଥିବା ବେଳେ ଏବେ ଖୋଦ ଗେହଲୋଟ ସବୁ ବର୍ଗଙ୍କୁ ଆକର୍ଷିତ କଲାଭଳି ବଡ଼ ଅଫର ଦେଇଛନ୍ତି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି।

ସେପଟେ କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକା ଆସିବା ପରେ ଅନେକ ଚର୍ଚ୍ଚା ମୁଣ୍ଡ ଟେକିଛି। ଗେହଲୋଟଙ୍କ କିଛି ସମର୍ଥକ ମାନଙ୍କ ଟିକେଟକୁ ହୋଲଡ଼ କରାଯାଇଛି। ଗେହଲୋଟଙ୍କ କିଛି ଘନିଷ୍ଠ ସହଯୋଗୀଙ୍କୁ ଦଳ ଟିକେଟ ଦେବାକୁ ଚାହୁଁ ନ ଥିବା ବେଳେ ଗେହଲୋଟ କିନ୍ତୁ ଅଡି ବସିଛନ୍ତି।

ଯାହାକୁ ନେଇ ରାହୁଲ ଗାନ୍ଧୀ ତାଙ୍କ ଉପରେ ସନ୍ତୁଷ୍ଟ ନ ଥିବା ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ଏହାକୁ ନିର୍ବାଚନ ଅସ୍ତ୍ର କରିଥିବା ଦେଖିବାକୁ ମିଳିଛି। କିନ୍ତୁ ଏସବୁ ଭିତରେ ଲୋକଙ୍କ ପାଇଁ ଗ୍ୟାରେଣ୍ଟି କଂଗ୍ରେସର ସବୁଠୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି।

ତେଣୁ ରାଜସ୍ଥାନରେ ଏସବୁ ଗୋଲମାଳିଆ ପରିସ୍ଥିତି ମଧ୍ୟରେ କାହା ସପକ୍ଷରେ ଜନମତ ଯାଉଛି ତା ଉପରେ ନଜର।

Leave A Reply

Your email address will not be published.