Latest Odisha News

ବିଷମକଟକରେ ଜଗନ୍ନାଥଙ୍କୁ ଟକ୍କର ଦେବ କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଆଇନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ। ଏହି ନିର୍ବାଚନମଣ୍ଡଳୀର ନିର୍ବାଚନ ଇତିହାସକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀମାନେ ଏହି ନିର୍ବାଚନ ମଣ୍ଡଳୀରୁ ବହୁବାର ଜିତିଛନ୍ତି।

କଂଗ୍ରେସର ଡମ୍ବରୁଧର ଉଲ୍ଲାକା ଏହି ନିର୍ବାଚନମଣ୍ଡଳୀରୁ ବହୁବାର ଜିତିଛନ୍ତି। ଦୁଇ ହଜାର ମସିହା ନିର୍ବାଚନରେ ଏହି ଆସନ ବିଜେଡି ଖାତାକୁ ଯାଇଥିଲେ ମଧ୍ୟ ୨୦୦୪ ଓ ୨୦୦୯ ନିର୍ବାଚନରେ ପୁଣି କଂଗ୍ରେସ ଏହି ଆସନକୁ ନିଜ ଦଖଲକୁ ନେଇଥିଲା।

ବିଜେଡିର ପ୍ରଭାବ ସତ୍ତ୍ୱେ ମଧ୍ୟ ଡମ୍ବରୁଧର ଉଲ୍କାକା ଏହି ଆସନରୁ ଜିତିଥିଲେ। ୨୦୦୯ ରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ଠାରୁ ଉଲ୍କାକା ମାତ୍ର ୩୪୯ ଖଣ୍ଡ ଭୋଟରେ ଜିତିଥିଲେ। ସାରକା କଡା ଫାଇଟ ଦେଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଉଲ୍କାକା ବାଜି ମାରି ନେଇଥିଲେ। ଏହି ନିର୍ବାଚନରେ ବିଜେପି ଚାରି ନମ୍ବର ସ୍ଥାନରେ ରହିଥିଲା।

୨୦୧୪ ରେ କିନ୍ତୁ ବାଜି ପଲଟିଥିଲା। ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ୨୯ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲ୍ଲାକାଙ୍କୁ ହରାଇଥିଲେ। ବିଜେପି ତୃତୀୟ ସ୍ଥାନକୁ ଉଠିଥିଲା।

୨୦୧୯ ରେ ଜଗନ୍ନାଥ ସାରକା ପୁଣି ଜିତିଛନ୍ତି। କଂଗ୍ରେସ ନୂଆ ପ୍ରାର୍ଥୀ ନୀଳମାଧଵ ହିକକାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସାରକା ତାଙ୍କୁ ୧୩ ହଜାର ୩୩୨ ଖଣ୍ଡ ଭୋଟରେ ହରାଇଥିଲେ। ବିଜେପି ପ୍ରାର୍ଥୀ ଶିବସଙ୍କର ଉଲ୍ଲାକା ୨୩ ହଜାର ୬୬୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଏବେ ଜଗନ୍ନାଥ ସାରକା ଏସସି, ଏସଟି ବିକାଶ ଓ ଆଇନ ବିଭାଗର ମନ୍ତ୍ରୀ ଅଛନ୍ତି। ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଲୋଚନା ଜୋର ଧରିଛି।

ତୃତୀୟଥର ପ୍ରାର୍ଥୀ ହୋଇ ହ୍ୟାଟ୍ରିକ କରିବାକୁ ମନ୍ତ୍ରୀ ଜଗନ୍ନାଥ ସାରକା ଲକ୍ଷ୍ୟ ରଖିଥିବା ବେଳେ ବିଜେଡିର ଅନ୍ୟ ଆଶାୟୀ ମାନେ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟ ଜଗନ୍ନାଥ ନୁଣ୍ଡରୁକାଙ୍କ ନାଁ ମଧ୍ୟ ଶୁଣାଯାଉଛି।

ମୁନିଗୁଡା ଅଞ୍ଚଳର ନୁଣ୍ଡରୁକା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା। ସେ ବିଜେଡିର ଅନ୍ୟତମ ଦାବିଦାର ଭାବେ ରହିଛନ୍ତି।

ସେହିପରି ଅନ୍ୟ କିଛି ଯୁବ ନେତୃତ୍ୱ ମଧ୍ୟ ବିଷମକଟକରୁ ଟିକେଟ ଆଶାୟୀ ରହିଛନ୍ତି। ସେପଟେ କଂଗ୍ରେସର ପ୍ରଭାବ ଏହି ନିର୍ବାଚନ ମଣ୍ଡଳୀରେ ଏବେ ବି ରହିଛି। ଓଡିଶାରୁ କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ଭାବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ସପ୍ତଗିରି ଉଲ୍ଲାକା ରହିଛନ୍ତି।

କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ବିଷମକଟକ ନିର୍ବାଚନ ମଣ୍ଡଳୀ ଆସୁଛି। ତେଣୁ ଏହି ବିଧାନସଭା କ୍ଷେତ୍ରରେ କଂଗ୍ରେସର ଭଲ ପ୍ରଭାବ ରହିଥିବାରୁ ଦଳ ଏଥର କାହାକୁ ପ୍ରାର୍ଥୀ କରୁଛି ତା ଉପରେ ନଜର ରହିଛି।

ସେପଟେ ବିଜେପି ଏହି ଆସନରେ ତୃତୀୟ ସ୍ଥାନକୁ ଆସିଥିଲେ ମଧ୍ୟ ସେତେ ଭଲ ଲଢେଇ ଦେଇପାରି ନାହିଁ। ତେଣୁ ଦଳ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରୁଛି ଓ ସେ କିଭଳି ଲଢେଇ ଦେଉଛନ୍ତି ତା ଉପରେ ନିର୍ବାଚନ ମଣ୍ଡଳୀର ଫଳାଫଳ ନିର୍ଭର କରୁଛି।

ଏପରିକି ଏହି ଆସନରେ ବିଏସପି ମଧ୍ୟ ଭଲ ଭୋଟ ପାଏ। ଦଳିତ ଭୋଟର ଅଧିକ ସଂଖ୍ୟାରେ ଥିବାରୁ ବିଏସପି ମଧ୍ୟ ଏକ ଫ୍ୟାକ୍ଟର ବୋଲି କୁହାଯାଏ। ତେଣୁ ଆଗାମୀ ନିର୍ବାଚନରେ କିଭଳି ଲଢେଇ ହେଉଛି ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Leave A Reply

Your email address will not be published.