Latest Odisha News

BREAKING NEWS

ବିବାଦରେ ରାଜସ୍ଥାନର ଇଂରାଜୀ ବହି, ଇଂଲଣ୍ଡର ପତାକାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ ଆକ୍ସନ

ଜୟପୁର: ବିବାଦ ଭିତରେ ରାଜସ୍ଥାନର ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକ । ବହି ଉପରେ ଇଂଲଣ୍ଡ ପତାକାକୁ ନେଇ ଉପୁଜିଥିବା ବିବାଦକୁ ନେଇ ଆକ୍ସନ ମୋଡରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର । ଯଥା ଶୀଘ୍ର ଏନେଇ ତଦନ୍ତ କରାଯାଉ ଏବଂ ଖୁବ ଶୀଘ୍ର ବହି ବଦଳାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହି ପୁସ୍ତକ ରାଜସ୍ଥାନ ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଉଦୟପୁର ଦ୍ୱାରା ପ୍ରକାଶିତ ହୋଇଛି।

ରାଜସ୍ଥାନର ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରୀ ମଦନ ଦିଲୱାର କହିଛନ୍ତି ଯେ, ରିମେଡିଆଲ ୱାର୍କବୁକର ପ୍ରକାଶନକୁ ନେଇ ମିଳିଥିବା ଆପତ୍ତି ଆଧାରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଶିଷ ମୋଦୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର କହିଛନ୍ତି, ‘ଏକାଡେମିକ୍ ଅଧିବେଶନ ଶେଷ ହେବା କ୍ଷଣି ଏହି ପୁସ୍ତକ ପ୍ରକାଶ କରିବାର ଯଥାର୍ଥତା କ’ଣ ଥିଲା? ଯେତେବେଳେ କି ପିଲାମାନେ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେବେ ନାହିଁ । ଯଦି ଏହି ପୁସ୍ତକ ଠିକ ସମୟରେ ପ୍ରକାଶିତ ହୋଇଥାନ୍ତା, ଛାତ୍ରମାନେ ଏଥିରୁ ଉପକୃତ ହୋଇଥାନ୍ତେ ବୋଲି କହିଛନ୍ତି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ।

ମନ୍ତ୍ରୀ ଦିଲୱାର ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଜାତୀୟ ପତାକା ନ ରହି ବ୍ରିଟେନର ଜାତୀୟ ପତାକା କାହିଁକି ପୁସ୍ତକର କଭର ପୃଷ୍ଠାରେ ମୁଦ୍ରିତ ହୋଇଛି? ଏହା ଅତ୍ୟନ୍ତ ଆପତ୍ତିଜନକ । ବିଭାଗର ନିର୍ଦ୍ଦେଶକଙ୍କୁ ପଠାଯାଇଥିବା ଚିଠିରେ ଶିକ୍ଷା ମନ୍ତ୍ରୀ ଦିଲୱର କହିଛନ୍ତି ଯେ, କେଉଁ ସ୍ତରରେ ଏହି ପୁସ୍ତକ ପ୍ରକାଶନ ପାଇଁ ନିଷ୍ପତ୍ତି ନିଆଯାଇଛି, ଏହାର ତଦନ୍ତ କରାଯିବ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମନ୍ତ୍ରୀ ମଦନ ଦିଲୱାର ଶିକ୍ଷା ବିଭାଗର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କହିଥିଲେ ଯେ ସେ ରାଜସ୍ଥାନର ଶିକ୍ଷା ବିଭାଗର ପୁସ୍ତକଗୁଡ଼ିକର ପାଠ୍ୟକ୍ରମ ସମୀକ୍ଷା କରିବେ। ତେବେ ସମୀକ୍ଷା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା, ଯାହାର ରିପୋର୍ଟ ବିଚାରାଧୀନ ଅଛି। କିନ୍ତୁ ଏହାପୂର୍ବରୁ ହିଁ ଏହି ନବମ ଶ୍ରେଣୀ ପୁସ୍ତକର କଭର ପୃଷ୍ଠା, ଏହାର ମୁଦ୍ରଣର ସମୟ ଏବଂ ଆବଶ୍ୟକତାକୁ ନେଇ ଅନେକ ଅଭିଯୋଗ ବିଭାଗରେ ପହଞ୍ଚିଛି । ମନ୍ତ୍ରୀ ଦିଲୱର ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.