Minister Breaks Down: ମେୟର ନିର୍ବାଚନ ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ମନ୍ତ୍ରୀ, କହିଲେ, ‘ଧୋକା ଖାଇଥିଲି…ସେଇଠି ଜିତିଲି’
ଅଲଓ୍ବର: ରାଜସ୍ଥାନର ଅଲୱରରେ ମେୟର ନିର୍ବାଚନ ପରେ ଭାବବିହ୍ୱଳ ହୋଇପଡ଼ିଲେ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଶର୍ମା। ଭାରତୀୟ ଜନତା ପାର୍ଟିର ସୁମନଲତା ଅଗ୍ରୱାଲ ଅଲୱର ନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ମନ୍ତ୍ରୀଙ୍କ ଆଖିରୁ ଲୁହ ଝରିପଡ଼ିଥିଲା।
ଅଲୱର ନଗର ନିଗମର ଦାୟିତ୍ୱ ମନ୍ତ୍ରୀ ସଞ୍ଜୟ ଶର୍ମାଙ୍କୁ ଦିଆଯାଇଥିଲା। ଫଳାଫଳ ପରେ ଗଣମାଧ୍ୟମ ସହ କଥା ହେବାବେଳେ ସେ ପୂର୍ବ ଘଟଣାକୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ। ସଞ୍ଜୟ ଶର୍ମା କହିଛନ୍ତି, ଗତଥର ଏହି ନଗର ପରିଷଦ ପରିସରରେ ତାଙ୍କ ସହ ଧୋକା ହୋଇଥିଲା। ତେବେ ଏଥର ଅଲୱରବାସୀ ଓ ବିଜେପି କର୍ମୀମାନେ ତାହାର ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଦଳୀୟ କର୍ମୀଙ୍କ ପରିଶ୍ରମ ସହ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିଜେପି ଜିଲ୍ଲା ସଭାପତି ଅଶୋକ ଗୁପ୍ତା ଏବଂ ପ୍ରଭାରୀ ରାମଚରଣ ଭୋରାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବଥର ବିଜେପିର ବୋର୍ଡ ଗଠନ ହେବାର ସ୍ଥିତି ଥିଲେ ମଧ୍ୟ ଅନ୍ୟ ଘଟଣାକ୍ରମ ଯୋଗୁଁ ତାହା ହୋଇପାରିନଥିଲା। ଏଥର ଅଲୱରର ପାର୍ଷଦମାନେ କଂଗ୍ରେସ ନେତା ଟିକାରାମ ଜୁଲିଙ୍କୁ ଜବାବ ଦେଇଛନ୍ତି ବୋଲି ସଞ୍ଜୟ ଶର୍ମା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଗତଥର ଯେଉଁ ସ୍ଥାନରେ ସେ ନିଜେ ପ୍ରତାରିତ ଅନୁଭବ କରିଥିଲେ, ଆଜି ସେହି ସ୍ଥାନରେ ସୁମନଲତା ଅଗ୍ରୱାଲ ବିଜୟ ମାଳା ପିନ୍ଧିଛନ୍ତି। ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଆଗକୁ ଅଲୱର ସହରରେ ବିକାଶମୂଳକ କାମ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ଅଲୱର ନଗର ନିଗମରେ ମୋଟ ୬୫ଟି ୱାର୍ଡ ରହିଛି। ବିଜେପି ୨୮ଟି ଏବଂ କଂଗ୍ରେସ ୨୩ଟି ୱାର୍ଡ ଜିତିଥିଲା। ମେୟର ନିର୍ବାଚନରେ ସୁମନଲତା ଅଗ୍ରୱାଲ ୪୨ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ୧୩ ଜଣ ସ୍ୱାଧୀନ ପାର୍ଷଦ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ। କଂଗ୍ରେସ ପ୍ରାର୍ଥୀଙ୍କୁ ୨୩ଟି ଭୋଟ ମିଳିଛି।
୨୦୧୯ରେ ମଧ୍ୟ ଅଲୱରରେ ବିଜେପି ସର୍ବାଧିକ ୱାର୍ଡ ଜିତିଥିଲା। କିନ୍ତୁ କ୍ରସ୍ ଭୋଟିଂ ଏବଂ ସ୍ୱାଧୀନ ପାର୍ଷଦଙ୍କ ସମର୍ଥନ ଅନ୍ୟପଟକୁ ଯିବାରୁ ବିଜେପି ମେୟର ନିର୍ବାଚନ ହାରିଥିଲା। ଏଥର ସୁମନଲତା ଅଗ୍ରୱାଲଙ୍କ ବିଜୟ ପରେ ସେହି ଘଟଣାକୁ ମନେ ପକାଇ ମନ୍ତ୍ରୀ ସଞ୍ଜୟ ଶର୍ମା ଭାବବିହ୍ୱଳ ହୋଇଥିଲେ।

