ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ୍ ଯାଦବଙ୍କୁ ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଜେଲ୍ ଦଣ୍ଡାଦେଶରୁ ତାଙ୍କୁ ତୁରନ୍ତ ରିହାତି ମିଳିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ସାମ୍ନାରେ ଏକ କଡ଼ା ସର୍ତ୍ତ ରଖିଛନ୍ତି । ଯଦି ସେ ବୁଧବାର ସୁଦ୍ଧା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ୫ କୋଟି ଟଙ୍କା ଜମା ନକରନ୍ତି, ତେବେ ତାଙ୍କୁ ଆତ୍ମସମର୍ପଣ କରି ଜେଲ୍ ଯିବାକୁ ପଡ଼ିବ । ଏହି ମାମଲାରେ କୋର୍ଟ ପ୍ରତିପକ୍ଷଙ୍କୁ ମଧ୍ୟ ଏକ ନୋଟିସ୍ ଜାରି କରିଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଦିନ ରାଜପାଲ୍ ଯାଦବଙ୍କ ଆବେଦନର ଶୁଣାଣି କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ୭ଟି ଚେକ୍ ବାଉନ୍ସ ମାମଲାରେ ରାଜପାଲ୍ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକ ମାମଲାରେ ୩ ମାସ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଉପର କୋର୍ଟରେ ଅପିଲ୍ କରିବା ପାଇଁ ହାଇକୋର୍ଟ ତାଙ୍କୁ ୨ ମାସର ସମୟ ଦେଇଥିଲେ । ସେହି ସମୟସୀମା ଶେଷ ହେବାକୁ ବସିଥିବା ବେଳେ ରାଜପାଲ୍ ଯାଦବ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟରେ ୫ କୋଟି ଟଙ୍କା ଜମା କରିବା ସର୍ତ୍ତରେ ହିଁ ତାଙ୍କୁ ଆତ୍ମସମର୍ପଣରୁ ଅନ୍ତରୀଣ ରିହାତି ପ୍ରଦାନ କରାଯାଉଛି । ଏହି ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଏହି ବିବାଦ ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା। ରାଜପାଲ୍ ଯାଦବ ନିଜର ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଅତା ପତା ଲାପତା’ ନିର୍ମାଣ କରିବା ପାଇଁ ‘ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ଫାଇନାନ୍ସ କମ୍ପାନୀ ଠାରୁ ୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍ ହେବା କାରଣରୁ ସେ ଏହି ଟଙ୍କା ଫେରାଇପାରିନଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରାଇବା ପାଇଁ ସେ ଯେଉଁ ଚେକ୍ ଗୁଡ଼ିକ ଦେଇଥିଲେ, ତାହା ବାଉନ୍ସ ହୋଇଯାଇଥିଲା । ଏହାକୁ ନେଇ କମ୍ପାନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲା । ୨୦୧୮ରେ ଟ୍ରାଏଲ୍ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏବେ ସୁପ୍ରିମକୋର୍ଟଙ୍କ ଉପରେ ତାଙ୍କର ସମସ୍ତ ଭବିଷ୍ୟତ ନିର୍ଭର କରୁଛି । ଯଦି ସେ ନିର୍ଦ୍ଧାରିତ ସମୟ ଭିତରେ ଟଙ୍କା ଜମା ନକରନ୍ତି, ତେବେ ତାଙ୍କୁ ପୁଣି ଥରେ ତିହାର ଜେଲ୍ ଯିବାକୁ ପଡ଼ିପାରେ ।

