Ramayana Movie: ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୩ ଦିନରେ ବିଶ୍ୱବ୍ୟାପୀ ୩୭୫ କୋଟି ପାର୍, ଭାରତରେ ୧୮୨ କୋଟିରୁ ଅଧିକ ନେଟ୍ କଲେକ୍ସନ…
ମୁମ୍ବାଇ: ବଡ଼ ପରଦାରେ ରାମାୟଣର ଗାଥା, ଆଉ ବକ୍ସ ଅଫିସରେ ଟଙ୍କାର ବର୍ଷା! ରିଲିଜ୍ ହେବାର ମାତ୍ର ୩ ଦିନ ମଧ୍ୟରେ ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଫିଲ୍ମ ‘ରାମାୟଣ ପାର୍ଟ-୧’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ କରିଛି। ଭାରତୀୟ ସିନେମା ଜଗତରେ ଏହି ଫିଲ୍ମର କଲେକ୍ସନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଦେଶ ଭିତରେ ୧୮୨ କୋଟି ଟଙ୍କାରୁ ଅଧିକ ନେଟ୍ କଲେକ୍ସନ କରିଥିବା ଏହି ଫିଲ୍ମର ବିଶ୍ୱବ୍ୟାପୀ ଆୟ ୩୭୫.୫୦ କୋଟି ଟଙ୍କା ପାର୍ କରିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ମହାକାଂକ୍ଷୀ ଫିଲ୍ମର ପ୍ରଥମ ଭାଗ ନଭେମ୍ବର ୫ ତାରିଖରେ ସିନେମା ହଲ୍କୁ ଆସିଥିଲା। ଦୁଇ ଭାଗରେ ନିର୍ମାଣ ଓ ଯୋଜନା କରାଯାଇଥିବା ଏହି ଫିଲ୍ମର ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା। ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ବିଭିନ୍ନ ଅଞ୍ଚଳରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳୁଛି।
ଟ୍ରେଡ୍ ଟ୍ରାକର୍ ସାକନିଲ୍କର ଆକଳନ ଅନୁସାରେ, ନଭେମ୍ବର ୭ ଶନିବାର ଦିନ ଫିଲ୍ମଟି ଭାରତରେ ୬୯.୮୦ କୋଟି ଟଙ୍କାର ନେଟ୍ ଆୟ କରିଛି। ଭାଷା ଅନୁସାରେ ହିନ୍ଦୀରେ ୧୯,୯୨୭ଟି ଶୋ’ରୁ ୫୩ କୋଟି, କନ୍ନଡରେ ୯୦୭ଟି ଶୋ’ରୁ ୬.୩୦ କୋଟି, ତେଲୁଗୁରେ ୧,୫୮୬ଟି ଶୋ’ରୁ ୬ କୋଟି, ତାମିଲରେ ୬୮୩ଟି ଶୋ’ରୁ ୨.୫୦ କୋଟି ଏବଂ ମାଲାୟଲମ୍ରେ ୫୯୩ଟି ଶୋ’ରୁ ୨ କୋଟି ଟଙ୍କା ଆୟ ହୋଇଛି। ନଭେମ୍ବର ୫ରେ ଓପନିଂ ଡେ’ରେ ଫିଲ୍ମଟି ୬୪.୮୫ କୋଟି ଟଙ୍କା ନେଟ୍ ଓ ୭୭.୫୦ କୋଟି ଗ୍ରସ୍ ଆୟ କରିଥିଲା। ଦ୍ୱିତୀୟ ଦିନ ନଭେମ୍ବର ୬ରେ ଆୟ ୪୮.୦୫ କୋଟି ନେଟ୍ ଓ ୫୭.୩୦ କୋଟି ଗ୍ରସ୍କୁ ଖସିଥିଲା। ପ୍ରଥମ ଦିନ ତୁଳନାରେ ଏହା ୨୫.୯ ପ୍ରତିଶତ ହ୍ରାସ ଥିଲା। କିନ୍ତୁ ତୃତୀୟ ଦିନରେ ପୁଣି ଜବରଦସ୍ତ ଉତ୍ଥାନ ଦେଖିବାକୁ ମିଳିଛି। ଏହା ସହ ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ ୧୮୨.୭୦ କୋଟି ଓ ଗ୍ରସ୍ କଲେକ୍ସନ ୨୧୮.୨୫ କୋଟି ଟଙ୍କାରେ ପହଞ୍ଚିଛି।
ବିଦେଶୀ ବଜାରରେ ତୃତୀୟ ଦିନରେ ଫିଲ୍ମଟି ୬୦ କୋଟି ଟଙ୍କା ଆୟ କରିଛି। ଏହାର ବିଦେଶୀ ମୋଟ ଗ୍ରସ୍ କଲେକ୍ସନ ୧୫୭.୨୫ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଓ ବିଦେଶର ଆୟକୁ ମିଶାଇ ‘ରାମାୟଣ ପାର୍ଟ-୧’ର ବିଶ୍ୱବ୍ୟାପୀ ଗ୍ରସ୍ କଲେକ୍ସନ ୩୭୫.୫୦ କୋଟି ଟଙ୍କା ଟପିଛି। ଆଗାମୀ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଆଉ କେତେ ରେକର୍ଡ ଭାଙ୍ଗିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
