Latest Odisha News

ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ

ବ୍ରହ୍ମପୁର:ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପରିସରରେ ଜଣେ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୂତୟନ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଦେଇ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦେଇଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ୪୨୨/୨୨ରେ ଦଫା ୩୦୯ରେ ଆତ୍ମହତ୍ୟା ଉଦ୍ୟମ ପାଇଁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ପ୍ରକାଶ କରିଛନ୍ତି।
ଏସପିଙ୍କ କହିବାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଏହି ୩୦ ବର୍ଷୀୟା ମହିଳା ଜଣକ କୋର୍ଟରେ ପହଞ୍ଚିଥିଲେ। ସାଥିରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢ଼ାଳି ଥିଲେ। ମୂତୟନ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ ତାଙ୍କୁ କାବୁ କରିଥିଲେ। ହାତରୁ ପେଟ୍ରୋଲ୍‌କୁ ଛଡ଼ାଇ ଦେଇଥିଲେ। କୋର୍ଟ ପରିସରରେ ପ୍ରାଥମିକ ପଚରାଉଚରା ପରେ ବୈଦ୍ୟନାଥପୁର ଥାନାକୁ ନିଆଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ​‌େ​‌ଯ, ୨୦୨୦ ମସିହା ନଭେମ୍ବର ୩୧ ତାରିଖରେ ମହିଳା ଜଣକ ସଦର ଥାନାରେ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ସ୍ବାମୀ ହାଇଦ୍ରାବାଦରେ କାମ କରୁଥିଲେ। ଘର ପାଖରର ବାପୁନି ସାହୁ ନାମକ ଜଣେ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍ବାମୀ ଟଙ୍କା ଜମା କରୁଥିଲେ। ସେହି ଟଙ୍କାକୁ ବାପୁନି ଆଣି ତାଙ୍କୁ ଦେଉଥିଲେ। ଏହାର ସୁଯୋଗ ନେଇ ବାପୁନି ନିକଟତର ହୋଇଥିଲେ। ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କ ଅଭିଯୋଗଗୁ ଭିତ୍ତିକରି ସଦର ଥାନା ପୁଲିସ ୩୨୬/୨୦ରେ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତି ସମୟରେ ବାପୁନି ଜାମିନ୍‌ରେ ମୁକୁଳିଥିଲେ। ଏହା ପରେ ବାପୁନି ତାଙ୍କୁ ପୁଣି ଥରେ ବଳାତ୍କାର କରିଥିବା ନେଇ ମହିଳା ଜଣକ ଗତ ନଭେମ୍ବର ୧୪ ତାରିଖରେ ଆଉ ଏକ ଅଭିଯୋଗ ଗୋଷାଇଁନୂଆଗାଁ ଥାନାରେ କରିଥିଲେ। ପୁଲିସ ୨୦୪/୨୨ରେ ଏକ ମାମଲା ରୁଜୁ କରିବା ସହ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ପଦକ୍ଷେପ ଗ୍ରହଣ କରିଛି। ସେ କେମିତି ଏସ୍‌ଡିଜେଏମ୍‌ଙ୍କ ଅଦାଲତକୁ ଆସିଲେ, କାହିଁକି ଆତ୍ମାହୂତି ଉଦ୍ୟମ କଲେ, ତାଙ୍କର ଅନ୍ୟ କ’ଣ ଅଭିଯୋଗ ରହିଛି, ତାହାର ତଦନ୍ତ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଡା. ସର୍ବଣା ବିବେକ ଏମ୍‌ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ଏସ୍‌ଡିଜେଏମ୍‌ଙ୍କ ଅଦାଲତ ଭିତରେ ପଶି ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ତାଙ୍କୁ ଆଇନ୍‌ଜୀବୀ ଏବଂ କୋର୍ଟ କର୍ମଚାରୀମାନେ କାବୁ କରିଥିଲେ। ବାରମ୍ବାର ଏଭଳି ଘଟଣାକୁ ନେଇ ଏସ୍‌ପି କହିଛନ୍ତି ଯେ, କୋର୍ଟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଜଣ କନେଷ୍ଟବଳଙ୍କୁ ମୂତୟନ କରାଯାଇଛି। ଅନ୍ୟ କୋର୍ଟଗୁଡ଼ିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପୋଲିସ ମୂତୟନ କରାଯାଇଛି।

Leave A Reply

Your email address will not be published.