Latest Odisha News

BREAKING NEWS

କୋଭିଡ ସମୟରେ ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା : ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି । ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛି ଟିମ୍ । ଶରୀରର ତାପମାତ୍ରା ଓ ଅକ୍ସିଜେନ୍ ସ୍ତର ରେକର୍ଡ କରିବା ସହ ରୋଗୀଙ୍କୁ କୋଭିଡ୍ ଡାକ୍ତରଖାନାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

କୋଭିଡ୍ ମୁକାବିଲା କ୍ଷେତ୍ରରେ ତୃଣମୂଳ ସ୍ତରରେ ଆରଆରଟି ପ୍ରମୁଖ ଭୂମିକା ଗ୍ରହଣ କରୁଛି । ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଠିକଣା ସମୟରେ ଉଚିତ ପଦକ୍ଷେପ ନେଉଛି ଟିମ୍ । ଫଳରେ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା ଓ ପରାମର୍ଶ ମିଳିବା ସହ କୋଭିଡ୍ ପରିଚାଳନା କ୍ଷେତ୍ରରେ ସୁବିଧା ହେଉଛି ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ରାଉରକେଲାରେ ବର୍ତ୍ତମାନ ୨୫ଟି ଆରଆରଟି କାମ କରୁଛି । ପ୍ରତି ଟିମରେ ୨ରୁ ୩ ଜଣ ସଦସ୍ୟ ଅଛନ୍ତି । ପାରାମେଡିକାଲ ଷ୍ଟାଫଙ୍କ ସହିତ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ରାଉରକେଲାର ବିଭିନ୍ନ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନବାଡ଼ି କର୍ମୀ ମଧ୍ୟ ଆରଆରଟିକୁ ସହଯୋଗ କରୁଛନ୍ତି । ସେହିପରି ଅଣ-ବସ୍ତି ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଘର ଘର ବୁଲି ସର୍ଭେ କରୁଛନ୍ତି । ରିପୋର୍ଟକୁ ଆଧାର କରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ଆରଆରଟି ।

ରାଜ୍ୟ ବାହାରୁ ଯେଉଁ ଯାତ୍ରୀମାନେ ଟ୍ରେନରେ ଆସି ରାଉରକେଲା ଷ୍ଟେସନରେ ଓହ୍ଲାଉଛନ୍ତି ସେମାନଙ୍କର ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏହି ପ୍ରମାଣପତ୍ର ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ଏହି ବ୍ୟକ୍ତିମାନେ ହୋମ୍ ଆଇସୋଲେସନ ନିୟମ ଠିକ୍ ଭାବେ ପାଳନ କରୁଛନ୍ତି ନା ନାହିଁ ଏହାର ତଦାରଖ କରାଯାଉଛି ।

ରାଉରକେଲା ସହରରେ ଯେଉଁମାନେ ଗୃହ ସଙ୍ଗରୋଧରେ ଅଛନ୍ତି ବା କୋଭିଡ୍ ସମ୍ପର୍କିତ କୌଣସି ସହାୟତା ଚାହୁଁଛନ୍ତି, ସେମାନେ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦୩୪୫୭୪୬୮ ନମ୍ବରରେ କଲ୍ କରିପାରିବେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୭୪୬୧ / ୦୧୧-୪୧୧୮୨୧୩୮ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.