ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ ସାପଟିକୁ ବୁଦା ଭିତରେ ଛଟପଟ ହେବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ।
ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣାଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ପରିତ୍ୟକ୍ତ ବିୟର କ୍ୟାନ୍ ଟିକୁ ଏକୁଟିଆ ଭିଡ଼ି ବାହାର କଲେ। ହେଲେ ସାପଟିର ବେକ ବା ମୁଣ୍ଡ କଟି ଯିବାର ସମ୍ଭାବନା ଥିଲା । ଏଣୁ ସ୍ନେକ୍ ହେଲ୍ପ ଲାଇନର ପୁରୁଖା ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସହାୟତାରେ, ନୀହାରିକା ମେଟାଲ କଟର ସାହାଯ୍ୟରେ କ୍ୟାନ୍ଟିକୁ କାଟିବା ପରେ ସାପଟି ବନ୍ଧନ ମୁକ୍ତ ହୋଇଥିଲା।
ସାପଟିର ବେକରେ କୌଣସି କ୍ଷତ ନଥିବା ଦେଖି ନୀହାରିକା ଉପସ୍ଥିତ ବାଳକ ମାନଙ୍କୁ ଢମଣା ସାପର ବିଷ ନାହିଁ ଏବଂ ଏହା ସେଇ ସ୍ଥାନରେ ରହିଲେ କାହାର କିଛି କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି ବୁଝାଇଥିଲେ। ଫଳରେ ବାଳକମାନେ ସେଇ ସ୍ଥାନରେ ସାପଟିକୁ ଛାଡ଼ିଦେବା ପାଇଁ ରାଜି ହୋଇଥିଲେ। ଏହାପରେ ସେହି ବାଳକ ମାନଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ଅନତି ଦୂରରେ ନୀହାରିକା ସାପଟିକୁ ଛାଡ଼ି ଦେଇଥିଲେ।
ପାନୀୟ ପିଇ ସାରିବା ପରେ କ୍ୟାନ୍ ଗୁଡ଼ିକୁ ଭଲ ଭାବରେ ନଷ୍ଟ ନକରି ଫିଙ୍ଗି ଦେଲେ, ସେଥିରେ ସାପ ଯଦି ମୁଣ୍ଡ ପୁରେଇ ଦିଏ, ତାର ଜୀବନ ଯିବା ସୁନିଶ୍ଚିତ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର। ଏଣୁ, କ୍ୟାନ୍ ଗୁଡ଼ିକୁ ବ୍ୟବାହର କରିସାରିବା ପରେ ଭଲ ଭାବରେ ନଷ୍ଟ କରି ଦେଇ ଡଷ୍ଟବିନରେ ଫିଙ୍ଗିବା ପାଇଁ ଅନୁରୋଧ କରିଛନ୍ତି ନୀହାରିକା। ଖୋଲା ପରିବେଶରେ ଫିଙ୍ଗିଲେ ତାହା ଉଭୟ ପରିବେଶ ଏବଂ ସରୀସୃପ ଜଗତ ପାଇଁ ବିପଦ ସୃଷ୍ଟି କରୁଛି ଲୋକଙ୍କୁ କହିଛନ୍ତି ନୀହାରିକା।
Comments are closed.