ଅନୁଭୂତିରେ ଶ୍ରୀଜଗନ୍ନାଥ: ବିଷମକଟକ, ମୁଁ, ମୋ ଭାଇ ଓ ମୋ ଠାକୁର…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ଦୁଇ ମାସ ତଳର କଥା। ମୋ ଜନ୍ମଦିନର ଗୋଟେ ଦିନ ପରେ। ଭାଇ ଆସି ଥାଏ ବିଶ୍ଵନାଥପୁର (ଲାଞ୍ଜିଗଡ଼)। ସେଦିନ ସକାଳେ ଥୁଆମୂଳ ରାମପୁର ଯିବୁ କହି ଭାଇ ର ମୋର ପ୍ରସ୍ତୁତ ହେଲୁ। କିନ୍ତୁ ଘରୁ ବହାରିଛୁ କି ନାହିଁ କେଇ ହାତ ଗଲା ପରେ ଭାଇ କହିଲା ବିଷମକଟକ ଯିବା। ଏମିତି ଏକ ପରିବର୍ତ୍ତିତ ନିଷ୍ପତ୍ତି ର ବ୍ୟସ୍ତତାକୁ ଦୁରେଇ ଦେଇ ଭାଇ କହିଲା ଯେ ଆମେ ବିଷମକଟକ ଏଥିପାଇଁ ଯିବା କାରଣ ତୁ ସେଠି ଚାକିରୀ କରୁଥିଲୁ। ବିଷମକଟକ ରେ ମୁଁ ନବୋଦୟ ବିଦ୍ୟାଳୟରେ ଶିକ୍ଷକତା କରିଥିଲି ବର୍ଷେ ପାଇଁ। ସେଠି ଥିଲା ସମୟରେ ହିଁ ଆଦର୍ଶ ବିଦ୍ୟାଳୟରେ ଯୋଗଦେବା ପାଇଁ ମନୋନୀତ ହେଇଥିଲି। “ମୁଁ ସେ ଜାଗା ଆଉ ସେ ସ୍କୁଲ ଦେଖିବାକୁ ଚାହୁଁଛି”, ଭାଇ କହିଲା। ଆଉ ତା’ ପରେ ଆମ ଧଳା ସ୍କୁଟି ଗଡ଼ିଥିଲା ବିଷମକଟକ ଦିଗରେ।
ପହଁଚିଲା ବେଳକୁ ପାଖାପାଖି ୧୧ ବାଜି ସାରିଥାଏ। ସ୍କୁଲରେ ପହଁଚିବା ପୂର୍ବରୁ ମୁଁ ଭାଇକୁ ଗୋଟେ ଗଳି ରେ ଯିବାପାଇଁ କହିଲି। ଗଳିର ଶେଷକୁ ଗୋଟେ ଜଗନ୍ନାଥ ମନ୍ଦିର। ମନ୍ଦିର ବେଢ଼ା ଭିତରକୁ ଗଲୁ। କିନ୍ତୁ ଯେତେବେଳେ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଯିବାକୁ ପଡ଼ିଲା ସେତେବେଳେ ଭାଇ ଆଉ ଭିତରକୁ ଗଲାନି। ମନା କଲା। କହିଲା “ତୁ ଯା, ମୁଁ ଯିବିନି।” ଏକ ଛୋଟିଆ ଦ୍ଵନ୍ଦ ଭିତରେ ମୁଁ ମନ୍ଦିର ଭିତରକୁ ଗଲି ଆଉ ଦର୍ଶନ କଲି। ପୁଝାରୀ ନନା କଦଳୀ ଭୋଗ ହାତକୁ ମୋର ବଢ଼େଇ ଦେଲେ। ଏତିକି ବେଳେ ମୁଁ ତାଙ୍କୁ ପଚାରିଲି ଯେ ଆମେ ଦ୍ବିପ୍ରହରରେ ପ୍ରସାଦ ପାଇ ପାରିବୁ କି ନାହିଁ !ସେ ମନା କରିଦେଲେ, କହିଲେ ଯେ ଆପଣମାନେ ବହୁତ ବିଳମ୍ବରେ ଆସି ପହଁଚି କହୁଛନ୍ତି, ଆମେ ଆଗରୁ ହିସାବ କରି ଚାଉଳ ପକେଇ ଦେଇଛୁ ତେଣୁ ଆପଣଙ୍କୁ ପ୍ରସାଦ ମିଳିବ ନାହିଁ। ତା ପରେ ମୁଁ ବାହାରକୁ ଆସି ଭାଇକୁ ଭୋଗ ଦେଲି। ୟା ଭିତରେ ମୋର ମନେ ପଡ଼ିଗଲା ଭାଇ କଣ ପାଇଁ ମନ୍ଦିର ଭିତରକୁ ଯାଇ ନ ଥିଲା। କିଛି ଦିନ ତଳେ ଆମର ଭୀଷଣ ଯୁକ୍ତି ହେଇଥିଲା। ଆଉ ତା ଭିତରକୁ ଟାଣି ହେଇ ଆସିଥିଲେ ମହାପ୍ରଭୁ ଜଗନ୍ନାଥ। ଭାଇ ମତେ କହିଲା କି ମୁଁ ଅବିଶ୍ୱାସୀ ଟା; ଜଗନ୍ନାଥଙ୍କ ନାଁ ନେଇ ମଧ୍ୟ କଥା ରଖୁନି ଇତ୍ୟାଦି ଇତ୍ୟାଦି। ତେଣୁ ସେହି ଅଭିମାନରେ ଭାଇ ମନ୍ଦିର ଭିତରକୁ ଯାଇ ନ ଥିଲା।

ତା ପରେ ଆମେ ବାହାରିଲୁ ସ୍କୁଲ ଦେଖି। ସେଇ ନବୋଦୟ ବିଦ୍ୟାଳୟ ଯେଉଁଠି ମୁଁ ଶିକ୍ଷକତା କରୁଥିଲି। ସେଠି ପହଞ୍ଚିବାର କିଛି ସମୟପରେ ମୁଁ ଦେଖିଲି ଯେ ମୋ ଚଷମା ଟି ( ହଁ ତାକୁ କଣ ସନଗ୍ଲାସେସ ଆଉ ସେଡ୍ସ କହୁଛନ୍ତି ମ) ମୋ ଜାମା ରେ ନାହିଁ। ଭାଇକୁ ପଚାରିଲି। ଭାଇ କହିଲା ମନ୍ଦିରରେ ଛାଡ଼ିଥିବୁ। ମତେ ବି ସେଇଆ ଲାଗିଲା।ତା ପରେ ଆମେ ସ୍କୁଲ ବୁଲି ଦେଖିଲୁ। ମୋ ଚାକିରୀ ସମୟରେ ବିଷମକଟକ ରେ ଥିବା ସ୍କୁଲ କ୍ୟାମ୍ପସ ଏବେ ଥେରୁବାଲିକୁ ଉଠି ଯାଇଛି; ମୁଁ ସ୍କୁଲ ଛାଡ଼ିବାର ୬ ମାସ ଭିତରେ। ସେ ପିଲା ନ ଥିଲେ କି ସେ ସହକର୍ମୀମାନେ ନ ଥିଲେ କିନ୍ତୁ ଥିଲା ସେଠି ଜଳଜଳ ମେଞ୍ଚାଏ ସ୍ମୃତି। ଭଙ୍ଗା ଶ୍ରେଣୀଗୃହରୁ ସତେ ଯେମିତି ଶୁଭୁଥିଲା ପିଲାମାନଙ୍କର କୋଳାହଳ ଆଉ ନୂଆକରି ଜଏନ କରିଥିବା ଗୋଟେ ଇଂରାଜୀ ଶିକ୍ଷକର କୋମଳ ତାଗିଦ। ବଏଜ ହଷ୍ଟେଲ ନୀଳଗିରି ହାଉସର ଗୋଟେ କୋଣରେ ମୁଁ ଦେଖି ପାରୁଥିଲି ସେଇ ସହଳ ଶୋଇବାକୁ ପସନ୍ଦ କରୁଥିବା ଇଂଲିସ ସାରଙ୍କୁ ଯିଏ ରାତି ଅଧରେ ପିଲାଙ୍କୁ ଜଗି ରହୁଥିଲା ଯେମିତିକି ସେମାନେ ନ ଠକି ପଢ଼ିବେ, ତା ପର ଦିନ ଥିବା ଆସେମ୍ବଲି କୁ ଭଲ ସେ ପ୍ରସ୍ତୁତ ହେଇକି ଯିବେ। (ବେଳେବେଳେ ମୁଁ ସେମାନଙ୍କୁ କେତେ ମଜଳିଆ ଭିଡ଼ିଓ ଦେଖେଇଛି ଆଉ ସେମାନଙ୍କ ସହିତ ହସିଛି)।

ଛାଡ଼ନ୍ତୁ ସେ କଥା। ସେ ପିଲାମାନଙ୍କ କଥା ବହୁତ ମନେ ପଡ଼ୁଛି। ଏଇ ସବୁ ଭିତରେ ଭାଇର ମୋର ସେଠି ଫୋଟୁ ନେଇ ବାହାରି ପଡ଼ିଲୁ ହୋଟେଲରେ ଖାଇବା ପାଇଁ। ବିଷମକଟକ ମିଶନାରୀ ଡାକ୍ତରଖାନାର କ୍ୟାଣ୍ଟିନରେ ଖାଇବା ପାଇଁ  ମୁଁ କହିଲି। ସେଠିକୁ ଗଲୁ। ଠିକ ପହଁଚିବା ପୂର୍ବରୁ ଭାଇ କହିଲା ତୋ ଚଷମା ଟା ଆଗ ନେଇ ଆସିବା। ଆମେ ଗଲୁ। ମୁଁ ମନ୍ଦିର ଭିତରକୁ ଗଲି ଆଣିବା ପାଇଁ। ପୂଝାରୀ ନନା ହତାଠ କହିଲେ କି ଆପଣ ପ୍ରସାଦ ଖାଇବେ ବୋଲି କହୁଥିଲେ ପରା, ଏଇଠି ବସନ୍ତୁ, ମୁଁ ଆଣି ଦେବି। ଯେତିକି ଖୁସି ହେଲି ତା ଠୁ ଅଧିକ ଆଶ୍ଚର୍ଯ୍ୟ ହେଲି। କି ଲୀଳା ଇଏ ଜଗା ର। ଯେଉଁ ଲୋକ ମନା କରିଦେଇଥିଲା ସିଏ ନିଜେ ପୁଣି ଡାକୁଛି। ଧନ୍ୟ ସେ ପ୍ରଭୁ, ଧନ୍ୟ ତାର ଲୀଳା। ତା ପରେ ମନ୍ଦିର ବାହାରକୁ ଯାଇ ଭାଇକୁ ଡାକିଲି ଭିତରକୁ ଆସିବା ପାଇଁ। କିନ୍ତୁ ଭାଇ ପୁଣି ମନା କଲା। ବହୁତ କହିବାରୁ ମତେ କହିଲା ତୁ କଥା ରଖିବୁ ଯଦି କହ ମୁଁ ଯିବି। ମୁଁ ‘ହଁ’ ରେ ଉତ୍ତର ଦେଲାପରେ ଭାଇ ଆସିଲା। କିନ୍ତୁ ଭାଇ ଭିତରକୁ ଆସିଛି କି ନାହିଁ ପହଡ଼ ପଡ଼ିଗଲା। ସକାଳୁ ଦର୍ଶନ କରିନି ସେ। ଭାଇ ନନାଙ୍କୁ ଅନୁରୋଧ କରୁଛି, “ଖାଲି ଟିକେ ଜଗନ୍ନାଥଙ୍କୁ ଦେଖେଇ ଦଉନ। ଟିକେ!” ତା ପରେ ସେ ଦୁଆର ଖୋଲି ଦେଖେଇ ଦେଇଛନ୍ତି। ଭାଇ ବଡ଼ ଖୁସି ହେଇଗଲା।

ତା ପରେ ବସିଲୁ ପ୍ରସାଦ ପାଇବା ପାଇଁ। ନନା ଆଣି ଖେଚୁଡ଼ି ପରଷି ଦେଲେ। ଭାଇ ପଚାରିଲା, “ଡାଲମା ନାହିଁ?” ସେ ମନା କରିଥିଲେ। ସେ ଭାବୁଥିଲା ବିନା ଡାଲମା ରେ କେମିତି ଖେଚୁଡ଼ି ଖାଇବୁ! ମୁଁ କହିଲି ନାଇଁ ସେମିତି ଖାଇଦେବା। ତା ପରେ ଆମେ ଖାଇବା ଆରମ୍ଭ କଲୁ। କେଡ଼େ ସୁନ୍ଦର ସେ ଖେଚୁଡ଼ି!କି ଅପୂର୍ବ ବାସ୍ନା ତାର! ଏମିତି ଖେଚୁଡ଼ି ତା ପୂର୍ବରୁ ଆଉ ଥରେ ଖାଇଥିଲି। ସେଇଟା ପୁଣି ସେଇ ଜଗା ପାଖରେ। ଗୁଣ୍ଡିଚା ମନ୍ଦିରରେ। ମୋର ମନେ ଅଛି ମୁଁ ଭାଇକୁ କହିଥିଲି ଯେ ସବୁ ଖେଚୁଡ଼ି ମୁଁ ଖାଇବି ବୋଲି। ଖାଲି ଖେଚୁଡ଼ି ଆମେ ଦୁହେଁ ଖୁସିରେ ଖୁସିରେ ଖାଇ ଯାଉଥିଲୁ। କିଛି ସମୟ ପରେ ନନା ଆସି ପଚାରୁଛନ୍ତି, “ଆଉ ଖେଚୁଡ଼ି ଆଣି ଦେବି କି?” ବଡ଼ ଆଶ୍ଚର୍ଯ୍ୟ କଥା! ଇଏ ସେଇ ଲୋକଟି ଯିଏ ମତେ ମନା କରିଥିଲା ପ୍ରସାଦ ଆମ ପାଇଁ ହେଇ ପାରିବନି ବୋଲି। ମନ ଆଗରେ ନାଚି ଉଠୁଥିଲା କାଳିଆ ର ସେଇ କଳା କଳା ଆଖି ଦୁଇଟି। କେଡ଼େ ଲୀଳାମୟ ସେ। ସାମାନ୍ୟ ଗୋଟେ ଚଷମା କୁ ଲୁଚେଇକି ସିଏ ଏତେ କଥା କଲା। ଭାଇକୁ ମନ୍ଦିର ଭିତରକୁ ନେଲା। ଆମକୁ ଖୁଆଇ ପିଆଇ ଛାଡ଼ିଲା। ନାଇଁ, ଛାଡ଼ିଲାନି। ଶୁଣନ୍ତୁ। ଖାଇଲାବେଳେ ମୁଁ ଭାବୁଥିଲି ଯେ ମତେ ଟିକେ ହାଲିଆ ଲାଗୁଥିଲା; ଖାଇ ସାରିକି ଟିକେ ଆରାମ କରିକି ଗଲେ ହୁଅନ୍ତାନି! ଆଉ ଜାଣିଛନ୍ତି ଖାଇ ସାରିଲା ପରେ କଣ ହେଲା? ମେଘମାଳ ଓଲହେଇ ଆସିଥିଲେ ସେଇ ଛୋଟିଆ ସହର ଉପରକୁ ଆଉ ଘଣ୍ଟାଏ କାଳ ବର୍ଷା ଢାଳିଥିଲା। ସେଇ ମନ୍ଦିରରେ ହିଁ ଆମେ ଦୁହେଁ ବିଶ୍ରାମ କରିଥିଲୁ। ତା ପରେ ବାହାରିଲୁ ଏମିତି ଗୋଟେ ଜାଗା ଯେଉଁଟା ଭାଇ ଜାଣି ନ ଥାଏ। ଭାଇ ପଚାରୁଥାଏ କୋଉଠି, କୋଉଠି ଆଉ ତା ଭିତରେ ମୁଁ ତାକୁ ନେଇ ପହଞ୍ଚାଇଦିଏ ଚାଟିକୋଣା ଶିବ ମନ୍ଦିର ପାଖରେ।

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।