Latest Odisha News

BREAKING NEWS

୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା । ବଡଦାଣ୍ଡରେ ଗଡିବନି ବଡଠାକୁରଙ୍କ ରଥ । ଅଜି ଏନେଇ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷାଯାତ୍ରା ବନ୍ଦ ହେବା ପ୍ରଥମ ନୁହେଁ । ୪୫୨ ବର୍ଷର ଇତିହାସରରେ ୩୨ ଥର ବନ୍ଦ ହୋଇଛି ଶ୍ରୀଜିଉଙ୍କ ରଥଯାତ୍ରା । ଏନେଇ ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି କହିଛନ୍ତି ।

୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଯାଏଁ ବନ୍ଦ ଥିଲା ପୁରୀରେ ରଥଯାତ୍ରା । କଳାପାହାଡ ଆକ୍ରମଣ ଯୋଗୁଁ ଚିଲିକା ନିକଟରେ ପାତାଳି ଥିଲେ ଶ୍ରୀଜିଉ । ସେହିପରି ୧୬୦୧ ଶ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ମିର୍ଜା ଖୁରୁମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହି ସମୟରେ କପିଳେଶ୍ୱର ଶାସନ ଗାଁରେ ଅବସ୍ଥାନ କରୁଥିଲେ ବିଗ୍ରହ ।

୧୬୦୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ରହିଥିଲା । ସୁବେଦାର ହାସିମ ଖାନ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ୧୬୦୮ ଖ୍ରୀଷ୍ଟାବ୍ଦ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ । ସେହିପରି ୧୬୧୧ ଖ୍ରୀଷ୍ଟାବ୍ଦରେ ହୋଇପାରିନଥିଲା ମହାପ୍ରଭୁଙ୍କ ରଥଯାତ୍ରା। କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ସେହି ସମୟରେ ଠାକୁର ମାନଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା ।

୧୬୧୭ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲ ୨ୟ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ରଥଯାତ୍ରା ହୋଇପାରିନଥିଲା । ୧୬୨୧ ଖ୍ରୀଷ୍ଟାବ୍ଦରେ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ଆଗାମୀ ୨ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ସେତେବେଳେ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇଥିଲା ।

୧୬୯୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୯୨ରୁ ୧୭୦୭ ଯାଏଁ ୧୫ ବର୍ଷ ଧରି ଶ୍ରୀଜିଉ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା । ସେହିପରି ୧୭୭୧ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ହୋଇପାରିନଥିଲା ମହାପ୍ରଭୁଙ୍କ ରଥଯାତ୍ରା ।

Leave A Reply

Your email address will not be published.