Latest Odisha News

BREAKING NEWS

କାନବେରାରେ ଶ୍ରଦ୍ଧା ଓ ଭକ୍ତିରେ ପାଳିତ ହେଲା ଘୋଷଯାତ୍ରା

କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରଦ୍ଧା ଆଉ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇ ଯାଇଛି ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା  । ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ( ଓରିଓଜ ଇଙ୍କ୍) ଏବଂ ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦ ସକ୍ରିୟ ସହଯୋଗ କରିଥିଲେ। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଚାରି ଠାକୁରଙ୍କ ସମ୍ମୁଖରେ ପୂଜକ ଆଚାର୍ଯ୍ୟ ପ୍ରକାଶ ପାଣ୍ଡେଙ୍କ ଦ୍ୱାରା ମଙ୍ଗଳ ଆଳତୀ ଓ ସଂକଳ୍ପ ପୂଜା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ଫ୍ଲୋରି ଇଲାକାର ୮୧ନମ୍ବର ରାଟକ୍ଲିଫ୍ କ୍ରିସେଣ୍ଟ ଠାରେ ସ୍ଥାପିତ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରକୁ ଖୁବ୍ ସୁନ୍ଦର ଢଙ୍ଗରେ ସଜା ଯାଇଥିଲା। ଚଳିତ ବର୍ଷ ଘୋଷଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡନୀ, ବ୍ରିସବେନ ଏବଂ ମେଲବର୍ଣ୍ଣ ମହାନଗରୀମାନଙ୍କରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ସେମାନଙ୍କର ପରିବାରବର୍ଗ ଓ ପରିଜନଙ୍କ ସହ ଆସି ସାମିଲ ହୋଇଥିବା ଦେଖାଯାଇଥିଲା । ଭକ୍ତ ଓ ଭଗବାନଙ୍କର ଏହି ମହାମିଳନର ମହାନ ପର୍ବରେ ସାମିଲ ହୋଇଥିଲେ  ହଜାର ହଜାର ଶ୍ରଦ୍ଧାଳୁ ।

ସକାଳ ୧୦ଟା ବେଳେ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ  ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ପହଣ୍ଡିରେ ଅଣା ଯାଇଥିଲା । ୪ ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ  ଆସୀନ ହୋଇଥିଲେ ତିନିଠାକୁର ।  ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।

ଏଠାରେ ମହିଳା ମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଥିଲା। ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ରୁ ବାରଙ୍କ ପ୍ରତିନିଧି ଦୀପକ ରାଜ ଗୁପ୍ତା ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଦିନ ୧୧ ଟା ବେଳେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତମାନଙ୍କର ଗହଣରେ ଗଡ଼ିଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି. ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା ।

ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ରାଷ୍ଟ୍ରଦୂତଙ୍କର ପ୍ରତିନିଧି କାଉନସିଲର ନରେନ୍ଦ୍ର ରାଣା, ଏ. ସି. ଟି ବିଧାନସଭାର ସଦସ୍ୟ ଗଣ ଯଥା ଜୋ କ୍ଲେ ଓ ଆଣ୍ଡ୍ରୁ ବ୍ରାଡକ୍ ଏବଂ କାନବେରାସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲିନ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଅବସରରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟାେଜନ କରାଯାଇଥିଲା ।   ସ୍ଥାନୀୟ ସଙ୍ଗୀତ ବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା   ଭଜନ ଗାୟନ ଏବଂ ଓଡ଼ିଶୀ ନୃତ୍ୟ, ଜଗନ୍ନାଥ ଅଷ୍ଟକମ୍ ଓ ଦଶାବତାର ପରିବେଷଣ ଥିଲା। ମହାପ୍ରଭୁଙ୍କର ଆଶୀର୍ବାଦକ୍ରମେ ସମଗ୍ର ଘୋଷଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜ(ଓରିଓଜ ଇଙ୍କ) ର ପୂର୍ବତନ ସଭାପତି ଡଃ ନଳିନୀ ପତି, ଓରିଓଜ ଇଙ୍କର କାର୍ଯ୍ୟକାରୀ କମିଟିର ପ୍ରତିନିଧି ମମତାଜ ଲେଙ୍କା, ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ସଭାପତି ସନ୍ତୋଷ ଗୁପ୍ତା, ସ୍ଥାନୀୟ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ, ଓରିଓଜ, ହିନ୍ଦୁ ପରିଷଦ ଆଦି ସଂଗଠନର କର୍ମକର୍ତ୍ତା ଏବଂ ସ୍ଥାନୀୟ ଓଡ଼ିଆ ବାସିନ୍ଦାଙ୍କର ନେତୃବୃନ୍ଦ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ରଥଯାତ୍ରାର ଶୁଭକାମନା କରି ସିନେଟର କ୍ୟାଟି ଗାଲାଘର ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଜଣାଯାଇଛି।

Comments are closed.