Latest Odisha News

ସଜା ହୋଇଥିଲା କୋକେଇ, ହେଲେ ଜୁଇକୁ ନ ଯାଇ ଡାକ୍ତରଖାନା ଗଲା ଶବ, ଆଉ ତା’ ପରେ…

ବାରିପଦା: ବନ୍ଧା ହୋଇ ସାରିଥିଲା କୋକେଇ…. ସଜଡା ସରିଥିଲା ଜୁଇ..ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତେ ସୁହାଗିନୀ । ସବୁଦିନ ପାଇଁ । କାନ୍ଦ ବୋବାଳିରେ ଫାଟିପଡୁଥିଲା ଘରଠୁ ମଶାଣିଘାଟ । ହେଲେ ପରିବାର ଲାେକେ ହଠାତ ଜିଦ ଧରିଲେ ସେ ମରି ନାହାନ୍ତି ।  ସେ ଜୀବିତ । ଖାଲି ଜୀବିତ ନୁହଁନ୍ତି, ସେ ଉଠି ପାଣି ବି ପିଇଛନ୍ତି । ପାଳି ଧରିଲା ଗୁଣିଆ । ଝଡାଫୁଙ୍କା ବି ଆରମ୍ଭ କରିଦେଲା ।  ପୁଣି ମଶାଣି ଘାଟରୁ ଡାକ୍ତରଖାନା ଆସିଲେ ମହିଳା । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭାଲୁହୁରୁଡ଼ା ଗ୍ରାମରେ ।ଚ

ଭାଲୁହୁରୁଡ଼ା ଗ୍ରାମର ୩୨ ବର୍ଷୀୟା ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ।   ଗତକାଲି ମଧ୍ୟରାତ୍ରିରେ ଡାକ୍ତର ମୃତ ଘୋଷଣା କରିଥିଲେ  ।  ଆଜି ସକାଳେ ପରିବାର ଲୋକେ ମୃତଦେହ କୁ ଘରକୁ ନେଇ ଯାଇଥିଲେ । ଘରେ ମୃତ୍ୟୁ ଖବର ପହଂଚିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡିବା ଆରମ୍ଭ କରିଥିଲେ । ସବୁ କାମ ସରିଥିଲା ।

ହଠାତ ପରିବାର ଲୋକ କହିଲେ, ସୁହାଗିନୀ ବଞ୍ଚିଛନ୍ତି । ସେ ପରିବାର ଲୋକଙ୍କ ହାତରୁ ପାଣି ବି ପିଉଛନ୍ତି । ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ବି ଚାଲୁଛି ।  ଗୁଣିଆ ଡକାହେଲା । ଝଡାଫୁଙ୍କା ବି ଚାଲିଲା ।   ପରିବାର ଲୋକେ ମୃତ ଦେହକୁ ଜୀବିତ କହି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ   ।  ଡାକ୍ତର ପୁଣି  ସୁହାଗିନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ଶୁଣାଇଥିଲେ ନିରାଶ ବାଣୀ । ସୁହାଗିନୀ ଆଉ ନାହାନ୍ତି ।

ପରିବାର ଲୋକଙ୍କର ଭଲପାଇବାର ମୋହ ଏହି ନିଷ୍ଠୁର ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା । ସେମାନେ ଓଲଟା ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଡାକ୍ତର ଅବହେଳା କରୁଛନ୍ତି ବୋଲି କହିଥିଲେ । ଡାକ୍ତରଖାନା ପରିସରରେ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି।  ଆପଣାର ମଣିଷଟିଏ ଯେତେବେଳେ ଅଦିନରେ  ଚାଲିଯାଏ ସେ ସେ ସତ୍ୟକୁ ସ୍ୱୀକାର କରିବ ଏବଂ ସେ ଦୁଃଖକୁ ସମ୍ଭାଳିବା ଖୁବ କଷ୍ଟ। ଏପରି ସ୍ଥିତିରେ  ଯଦି କେହି କୁହେ, ଆପଣାର ମଣିଷଟି ମରିନି…ବଞ୍ଚିଛି.. ସେଠି ପରିବାର ଲୋକେ ଖୁସି ହେବା ସ୍ୱାଭାବିକ । ସେ କ୍ଷଣିକ ସତ୍ୟକୁ ବିଶ୍ୱାସ କରିନେବା ସ୍ୱାଭାବିକ ।   ହେଲେ ଏ ଖୁସି.. ଏ ବିଶ୍ୱାସ ବେଶି ସମୟ ରହି ପାରି ନ ଥିଲା । ଡାକ୍ତର ବୁଝାଇବା ପରେ ପରିବାର ଲାେକେ ଶେଷରେ ସୁହାଗିନୀଙ୍କ ଶେଷକୃତ୍ୟ କରିଥିଲେ ।

 

Leave A Reply

Your email address will not be published.