ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ । ଲୀଳାମୟ ମହାପ୍ରଭୁ ପଥରେ ରଥରେ ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଦେଖାଦେବା ସହ ମାଉସୀ ମା ଘରକୁ ଯିବାରେ ଏତେ ବିଭୋର ଯେ କଳା ଠାକୁର, ନିଜ ସହଧର୍ମିଣୀଙ୍କୁ ମଧ୍ୟ ନିଜ ସହିତ ନେବାକୁ ଭୁଲି ଯାଆନ୍ତି । ଏହାପରେ ପରେ ବଡଦାଣ୍ଡରୁ ଗୁଣ୍ଡିଚା ଯାତ୍ରା, ପରେ କିଛି ରାଗ ରୁଷା , ଅଭିମାନ ଭରା ମା ଲକ୍ଷ୍ମୀଙ୍କ ରଥ କାଠ ଭଙ୍ଗା ପରେ ଦାରୁ ବ୍ରହ୍ମଙ୍କ ବାହୁଡା ଯାତ୍ରା । ମହାପ୍ରଭୁ ଏହି ରଥରେ ଯାତ୍ରାରମ୍ଭ କରିବା ଠାରୁ ରତ୍ନସିଂହାସନରେ ପୁନର୍ବାର ବିରାଜମାନ କରିବା ପର୍ଯ୍ୟନ୍ତ ଭକ୍ତଜନ ସ୍ୱଚକ୍ଷୁରେ ଦେଖନ୍ତି ଏହି ପରମ କାରୁଣିକ ଶ୍ରୀଜଗନ୍ନାଥଙ୍କ ଏକାଧିକ ପବିତ୍ର ଲୀଳାଖେଳା ।
ଭାବର ଠାକୁର ମହାବାହୁଙ୍କ ସିଂହଦ୍ୱାରରୁ ମାଉସୀ ମାଙ୍କ ଘରକୁ ଯାଇ ଜନ୍ମବେଦୀରେ କିଛିଦିନ ରହଣି ପରେ ପୁଣି ଫେରି ଆସନ୍ତି ଭକ୍ତମାନଙ୍କ ଗହଣରେ ଜୟ ଜଗନ୍ନାଥ ଧ୍ୱନୀର ତାଳେ ତାଳେ ନିଜ କର୍ମସ୍ଥଳୀକୁ ।
ଆଡପ ମଣ୍ଡପ:
ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହ ମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ଧରି ଅବସ୍ଥାନ କରନ୍ତି, ତାହା ଆଡପ ମଣ୍ଡପ ନାମରେ ଜଣାଶୁଣା । ପୁରାଣରେ ଏହି ବେଦୀକ୍ୁ ଯଜ୍ଞ ବେଦି ତଥା ମହାବେଦୀ ଭାବେ ଉଲ୍ଲେଖ କରାଯାଇଛି । ଆଡପ ମଣ୍ଡପରେ ଅଧିଷ୍ଠିତ ପ୍ରତିମା ଗୁଡିକୁ ଦର୍ଶନ ସହିତ ଅବଢା ସେବନ ଭକ୍ତମାନଙ୍କ ପାଇଁ ଏକ ନିଆରା ଅନୁଭବର କଥା! ଏ କଥା ସ୍ୱତନ୍ତ୍ର ଆଲୋଚନାର କଥା ଯେ:- “ଗୁଣ୍ଡିଚା ରାଣୀ’’ ଇତିହାସ ବା କିମ୍ବଦନ୍ତୀ, କାହାଣୀ କି କଳ୍ପନା ତାହା ଭିନ୍ନ କଥା; କିନ୍ତୁ ଲୋକ ବିଶ୍ୱାସରେ ସେ ରାଣୀ ଇନ୍ଦ୍ରଦ୍ୟୁମ୍ନଙ୍କର କି ଚୋଡଗଙ୍ଗଙ୍କର ତାହା ଅବଶ୍ୟ ଗବେଷଣା ସାପେକ୍ଷ । ଗୁଣ୍ଡିଚା ଯାତ ପାଇଁ ବ୍ୟାକୁଳ ଭକ୍ତଗଣ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଶ୍ୱାସ ହିଁ ସେମାନଙ୍କ ସଂସ୍କୃତି ନିଶାର ମୂଳ ଗଣ୍ଠି, ସେ ଯାହା ହେଉ ଏହି ଯାତ୍ରା କାହିଁ କେଉଁ କାଳରୁ ଗଡିଆସିଥିବା ପରମ୍ପରାର-ପୁଞ୍ଜି । ମହାପ୍ରଭୁ ଆଡପ ମଣ୍ଟପ ରେ ଅବସ୍ଥାନ କରୁଥିବା ସମୟରେ ଶ୍ରୀବିଗ୍ରହ ମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ଅଟେ । କୁହାଯାଏ ଭକ୍ତ ଭାବଗ୍ରାହୀଙ୍କୁ ନୀଳାଚଳରେ ଦଶବର୍ଷ ପୂଜା କଲେ ଯେଉଁ ଫଳ ମିଳେ, ଆଡପ ମଣ୍ଟପର ଗୋଟିଏ ଦିନ ଦର୍ଶନରେ ସେତିକି ପୁଣ୍ୟ ମିଳେ । ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି-
ଦିବା ଦର୍ଶନଂ ପୁଣ୍ୟଂ ରାତ୍ରୋ ଦଶ ଗୁଣଂ ଭବେତ” ।
ଅର୍ଥାତ ଦିନ ଅପେକ୍ଷା ମହାପ୍ରଭୁଙ୍କୁ ରାତ୍ର କାଳରେ ଦର୍ଶନ କଲେ ଅଧିକ ସୁଫଳ ମିଳିଥାଏ । ବାହୁଡା ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ଦିନରୁ ପ୍ରଚଳିତ ହୋଇଆସୁଛି । ଏହି ଅନ୍ତିମ ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ କୋଟି କୋଟି ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କର ମନୋବା’ା ପୂରଣ କରିଥିବାର ଲୋକଶୃତି ରହିଛି ।
ହେରାପଞ୍ଚମୀ:
ରଥଯାତ୍ରା ପାଳନ ଅବସରରେ ହେରାପଞ୍ଚମୀ ଉତ୍ସବ ଗୁରୁତ୍ୱପୂର୍ଣ୍ଣ । ଯାତ୍ରା ଭାଗବତରେ କୁହାଯାଇଛି- “ ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରାପଞ୍ଚମୀ ଭବତି” । ବାମଦେବ ସଂହତିର ବର୍ଣ୍ଣନାନୁଯାୟୀ ସ୍ୱୟଂ ବାମଦେବ ଶ୍ରୀ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କ୍ରମରେ ଦେବୀ ପାର୍ବତୀଙ୍କୁ କହିଥିଲେ-
“ଦ୍ୱିତୀୟା ପଂଚମ ଦିନେ ତୟାଯାତ୍ରାକୃତା ପ୍ରିୟେ ଧବଂସା ବୀକ୍ଷିତୁଂ ତତ୍ର ଗୁପ୍ତଯାତ୍ରା କୃତାତୟା ।
“ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ ରାଜେ୍ଞ କୃଦ୍ଧବତୀ ଚାପି ସାୟଂ ପୂଜା ସମାପନେ” ।
ଅର୍ଥାତ ବାମଦେବ କହୁଛନ୍ତି- ହେ ପ୍ରିୟେ! ଏହା ପରେ ମହାଲକ୍ଷ୍ମୀ ଆଷାଢ ଦ୍ୱିତୀୟା ତିଥି ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଗୋପନରେ ଯାତ୍ରା କରନ୍ତି । ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ହେରାପଞ୍ଚମୀ ନାମରେ ପ୍ରସିଦ୍ଧ । ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ବିଭବ ଅଟେ । ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷାକରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରନ୍ତି । ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୁଅନ୍ତି , ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ପରେ ପରେ ନେତ୍ରୋତ୍ସବ ଓ ନବଯୋ÷ବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୋ÷କିକ ନାରୀ ରୂପେ ନିଜ ଦଃୁଖ ସମ୍ପର୍କରେ ଭଗୀନି ବିମଳାଙ୍କୁ କହନ୍ତି । ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହନ୍ତି-“ ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡିଥାଏ । ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ୍ । ଏହା ପରେ ମାତା ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।
ଦକ୍ଷିଣ ମୋଡ:
ବିମଳାଙ୍କ ପରାମର୍ଶ ପାଇ ମା ଲକ୍ଷ୍ମୀ ପଞ୍ଚମୀ ଦିବସରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହୁଅନ୍ତି , ଏହା ପରେ ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଏ । ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୁଏ ଏ ।
ବାହୁଡା ଯାତ୍ରା:![]()
ଭଗବାନଙ୍କର ଫେରନ୍ତା ରଥ ଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖି ଯାତ୍ରା କୁହାଯାଇଥାଏ । ଶାସ୍ତ୍ରୀୟ ବର୍ଣ୍ଣନାନୁଯାୟୀ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖି ହୋଇ ଯାତ୍ରା ବେଳେ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ । ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ସୁନା ବେଶ:
ରଥ ଉପରେ ଶ୍ରୀଜଗନ୍ନାଥଙ୍କ ସୁନା ବେଶ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ଅନ୍ୟତମ । ମହାପ୍ରଭୁଙ୍କ ସକଳ ବେଶର ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ବେଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ । ଶ୍ରୀମନ୍ଦିରସ୍ଥ ରତ୍ନସିହାଂସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା- କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ପ୍ରଭୃତି ଦିବସ ମାନଙ୍କରେ ରାଜବେଶ, ରାଜା ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସୁସଜ୍ଜିତ ହୋଇଥିଲେ ମଧ୍ୟ ଭକ୍ତମାନେ ଦର୍ଶନ କରିପାରନ୍ତି ନାହିଁ,ଆଷାଢ ଶୁକ୍ଲ ଏକାଦଶୀରେ ସୁନା ବେଶରେ ଲକ୍ଷଲକ୍ଷ ଭକ୍ତଗଣଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ।
ଶୟନ ଏକାଦଶୀ ଓ ଅଧରପଣା ନୀତି:
ଆଷାଢ ଶୁକ୍ଲ ଏକାଦଶୀ ଦିନ ରଥ ଉପରେ ଠାକୁରଙ୍କ ସମସ୍ତ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥାଏ ,ଏହି ରାତିରେ ସୁନାବେଶ ଓଲାଗି ହେବାପରେ ମଇଲମ, ବଡସିଂହାର ବେଶ ଓ ବଡ ସିଂହାର ଭୋଗ ହୋଇ ମହାସ୍ନାନ, ପୂଜା ପାଠ ହେଲା ପରେ ଭଣ୍ଡାର ଘରୁ ତିନି ମୁତ୍ତିଙ୍କୁ ବିଜେ କରାଇଥାନ୍ତି । ଏହା ପରେପରେ ନୀତିକାନ୍ତି ବିଳମ୍ବ ଯୋଗୁ ସେଠାରେ ପରମ୍ପରା ଅନୁଯାୟୀ ଶୟନ ନୀତି ଅନୁଷ୍ଠିତ ହୋଇଥାଏ । ବାହୁଡା ଯାତ୍ରା ପରେ ସିଂହଦ୍ୱାର ଠାରେ ତିନି ରଥ ଉପରେ ସୁନା ବେଶ ଓ ତତ୍ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ । ରଥାରୂଢ ଠାକୁର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ । ମନ୍ଦିର ପ୍ରଶାସନ, ରାଘବ ଦାସ, ଓ ବଡ ଓଡିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା ଗୋଲ ମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦି ପଣା ଭୋଗରେ ଲାଗିଥାଏ ।
ଲକ୍ଷ୍ମୀ ନାରାୟଣ ଭେଟ:
ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରି ନଅର ଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥାଏ । ରାଗ , ରୁଷା ଓ ଅଭିମାନରେ ମା ଲକ୍ଷ୍ମୀ ପ୍ରବେଶ ବାଟ ଓଗାଳୀ ଥାନ୍ତି । ବିଭିନ୍ନ ନୀତି ନିୟମ ଓ ଦହିପଟି ମଣୋହି ପରେ ଉପସ୍ଥିତ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହ ଭେଟ ହୁଅନ୍ତି ଓ ପରସ୍ପର ମଧ୍ୟରେ ରସଗୋଲ ଖୁଆଖୁଇ ହୋଇ ରାଗ,ରୁଷା ସମାପ୍ତ ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ମନ୍ଦିରକୁ ବାହୁଡା ବିଜେ କରିବା ସଙ୍ଗେ ସଙ୍ଗେ ନନ୍ଦିଘୋଷ ଟଣା ଯାଇ ସିଂହ ଦ୍ୱାର ଠାରେ ରଖାଯାଇଥାଏ ।
ନୀଳାଦ୍ରି ବିଜେ:
ପରମ୍ପରା ଅନୁଯାୟୀ ଠାକୁରଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହ ମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠିତ ହୋଇଥାନ୍ତି । ଏହି ଦିନ ରଥ ଉପରେ ଠାକୁରମାନଙ୍କର ସଂନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ହୋଇଥାଏ । ଏହା ପରେ ଭକ୍ତମାନଙ୍କୁ କିଛି ସମୟ ଦର୍ଶନ ପାଇଁ ରଥ ଉପରକୁ ଛଡାଯାଇଥାଏ । ଏହା ପରେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣ ଘରକୁ ବିଜେ କରାଇଥାନ୍ତି । ତାପରେ ଗୋଟି ପହଣ୍ଡିରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରକୁ ବିଜେ କରାଯାଏ । ସୂଚନା ଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିର ଠାରେ ରଥ ଉପରୁ ଠାକୁର ମାନେ ଗୁଣ୍ଡିଚାଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ନୀତି କାନ୍ତି ହୋଇଥାଏ, ଠିକ୍ ସେହି ସବୁ ନୀତି କାନ୍ତି ସିଂହଦ୍ୱାର ଠାରେ ନୀଳାଦ୍ରି ବିଜେ ପହଣ୍ଡିରେ ସମ ନୀତି ପାଳିତ ହୋଇଥାଏ ।