Latest Odisha News

କ୍ଲାଇମାକ୍ସ

କ୍ଲାଇମାକ୍ସ

ହରପ୍ରସାଦ ମହାପାତ୍ର

କାହାଣୀ ଶେଷରେ ତମେ ପୁଣି
ଫେରିଆସିବ ମୋ ପାଖକୁ
ଇଡି ଯାଇଥିବା ବାସ୍ନା,
ଉଡିଯାଇଥିବା ପ୍ରଜାପତି ହୋଇ
ନିଉ ୱେଭ୍ ସିନେମାର କ୍ଲାଇମାକ୍ସ ନେଇ!

ସେତେବେଳକୁ ପୋତିହୋଇ ପଡିଥିବ
ତମର ସବୁତକ ଗୁମାନ
ଉଇ ଚରିସାରିଥିବ ମୋର ମିଛ ଅଭିମାନ,
ଛାଇ ଅନ୍ଧାରରେ ମିଳେଇଯାଇଥିବ
ପଛରେ ଛାଡିଆସିଥିବା
ଆମର ସବୁତକ ନୀରବତା ।

ତମେ ଭୁଲି ସାରିଥିବ ତମର ଭୂମିକା
ଓ ମୁଁ ମୋର ଅଭିନୟ ।

ମୁଁ ଶିଖିନେଇଥିବି ବାହାନା ଭିତରୁ
ବାହାରି ଆସିବାର ତରିକା
ତମେ ଶିଖିନେଇଥିବ
ପିଲାଛୁଆର ସଂସାର ଭିତରୁ
ମୁକୁଳିଯିବାର ଉପାୟ ।

ଷୋହଳ ଏମ୍.ଏମ୍.ଠୁ ବଡ ୟାର କାନଭାସ
ସତର ରିଲ୍ ର ଜୀବନ ଏ ନୁହେଁ !
କେଉଁଠି ନା କେଉଁଠି ବଦଳିବାକୁ ହେବ
ଗତାନୁଗତିକ ଏ କାହାଣୀର ମୋଡ
ମିଳନ ଓ ବିଚ୍ଛେଦ ବାହାରେ ଲେଖାହେବ
ଗୋଟେ ଅଲଗା କିସମର କ୍ଲାଇମାକ୍ସ ।

କ୍ଲାଇମାକ୍ସ କ’ଣ ହେବ ଜାଣ ?
ତେବେ ସ୍କ୍ରିନ୍ ପ୍ଲେ ଶୁଣ ।

ଧାଡି ଧାଡି ଶୋରିଷ ଫୁଲର କ୍ଷେତ
ଓ ପାହାଡ ମଥାନରେ ଶୀତ
କିଏ ଜଣେ ବଜାଉଥିବ ବାଉଲ୍
କାହାର ଓଠରେ ଥିବ
ପରିଚିତ ଏକ ପୁରୁଣା ଗୀତ
ଶେଯ ଉପରେ ମୋର
ବିଛେଇ ହେଇ ପଡିଥିବ ଜହ୍ନରାତି
ରକ୍ତମାଂସରେ ମୁଁ ଗଢୁଥିବି ଗୋଟେ ଦେହ-
ତମେମୟ..ତମେମୟ..
ତମେ ଓହ୍ଲେଇ ଆସିବ ଫଟୋଫ୍ରେମରୁ ।

କଥା ଦିଅ ବା ନ ଦିଅ,
ତମକୁ ଫେରିବାକୁ ହେବ ନିଶ୍ଚୟ ।

…………………………
୧୭୪, ଏ/୧, କେଦାରଗୌରୀ ବିହାର,
ଭୁବନେଶ୍ୱର-୭୫୧୦୧୪
ଫୋନ୍-୯୯୩୮୬୦୯୮୫୩

Leave A Reply

Your email address will not be published.