Latest Odisha News

BREAKING NEWS

ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜନୈତିକ ରୂପ ଦେବା ଉଚିତ ନୁହେଁ: ବିଜେଡ଼ି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିରୋଧିଦଳମାନଙ୍କୁ ରାଜନୀତିକୀକରଣ ନ’କରିବାକୁ ବିଜେଡ଼ି କହିଛି ।
“ ଏହା ସମ୍ପୂର୍ଣ୍ଣ ରୂପେ ଏକ ଅଣ-ରାଜନୀତି ପ୍ରସଙ୍ଗ ଏବଂ ବିରୋଧି ଦଳ ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ ” ବୋଲି ଗଣମାଧ୍ୟମକୁ କହିଛନ୍ତି ଏମପି ତଥା ବରିଷ୍ଠ ବିଜେଡ଼ି ନେତା ପିନାକୀ ମିଶ୍ର ।

ସେ ମଧ୍ୟ କହିଛନ୍ତି, ଶେଷଥର ଲାଗି ରତ୍ନଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା । ତାହାର ୧୫ ବର୍ଷ ପରେ ବିଜେଡ଼ି କ୍ଷମତାକୁ ଆସିଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜଡ଼ିତ କରାଇବା ପ୍ରକୃତରେ ଠିକ୍ କଥା ନୁହେଁ । ଏପରିକି ଆଜି ମଧ୍ୟ ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।

“ମୁଁ ହାତଯୋଡ଼ି ସମସ୍ତ ରାଜନୈତୀକ ନେତାମାନଙ୍କୁ ଅନୁରୋଧ କରୁଛି ଯେ, ଏହା ଅତ୍ୟନ୍ତ ଭାବନାତ୍ମକ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ” ବୋଲି କହିଛନ୍ତି ଶ୍ରୀଯୁକ୍ତ ମିଶ୍ର ।

ସେହିପରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଜଗନ୍ନାଥ ମନ୍ଦିର ଆକ୍ଟ ଅନୁଯାୟୀ, ଠାକୁରଙ୍କ ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରଖିବା କଥା । କିନ୍ତୁ ୨ ଦିନ ପୂର୍ବରୁ ରାଜ୍ୟ ସରକାର ହୁଣ୍ଡିରେ ଭକ୍ତମାନଙ୍କ ପ୍ରଦତ୍ତ ଅଳଙ୍କାର ସଂଗ୍ରହ କରି ଷ୍ଟେଟ ବ୍ୟାଙ୍କ ଲକରରେ ରଖିଛନ୍ତି, ଯାହାକି ନିୟମର ବିରୁଦ୍ଧାଚରଣ କରୁଛି ।

“କେଉଁ ଆକ୍ଟ ଅନୁସାରେ ଷ୍ଟେଟବ୍ୟାଙ୍କ ଲକରରେ ଅଳଙ୍କାର ଗୁଡ଼ିକୁ ରଖାଗଲା ମୁଖ୍ୟମନ୍ତ୍ରୀ ତାହାର ସ୍ପଷ୍ଟିକରଣ ଦିଅନ୍ତୁ, ଏବଂ କେଉଁ ନିୟମ ଅନୁସାରେ ଅଳଙ୍କାର ଗୁଡ଼ିକୁ ରତ୍ନଭଣ୍ଡାରରେ ନରଖି ବାହାରେ ରଖାଗଲା ତାହାର ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦିଅନ୍ତୁ” ବୋଲି ଶ୍ରୀଯୁକ୍ତ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ।

ଷ୍ଟେଟବ୍ୟାଙ୍କ ଲକରରେ ଅଳଙ୍କାର ଗଚ୍ଛିତ ରଖିବା ଅର୍ଥ ରାଜ୍ୟ ସରକାର ସ୍ୱୀକାର କରୁଛନ୍ତି ଯେ, ଅଳଙ୍କାର ରଖିବାକୁ ରତ୍ନ ଭଣ୍ଡାର ସୁରକ୍ଷିତ ନୁହେଁ ।

ଶ୍ରୀଯୁକ୍ତ ଆଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଇଙ୍ଗିତ କରି କହିଛନ୍ତି, ହଜିଥିବା ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଏଯାଏଁ ଦେଇ ନାହାନ୍ତି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଆବଶ୍ୟକ ଯେ, ରତ୍ନଭଣ୍ଡାର ଚାବି ହଜିଯାଇଛି ନା ଜାଣିଶୁଣି ହଜାଇଦିଆଯାଇଛି ।

Leave A Reply

Your email address will not be published.