Latest Odisha News

ବିଧାନସଭାରେ ‘ରେଭେନ୍ସା’ ଝଡ଼

ଭୁବନେଶ୍ବର: ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ତାତିରେ ଗୃହ ସରଗରମ। ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ୧୫୬ବର୍ଷର ଶିକ୍ଷାନୁଷ୍ଠାନ ରେଭେନ୍ସାକୁ ନଅଙ୍କ ଦୁର୍ଭିକ୍ଷ ସହ ଯୋଡିବା ଠିକ୍ ନୁହେଁ ବୋଲି ସେ କହିଥିଲେ । ନାଁ ପରିବର୍ତ୍ତନକୁ ନେଇ ଆନ୍ଦୋଳନ ବଢିଥିବା ବେଳେ ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖିବାକୁ ସେ ଦାବି କରିଥିଲେ । କଂଗ୍ରେସ ବି ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛି । ତେବେ ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ ବୋଲି କହିଛି ବିଜେପି ।

ବିବୃତି ରଖନ୍ତୁ ମୁଖ୍ୟମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ନେଇ ମତ ରଖିବା ପରେ ବଢିଛି ବିତର୍କ । ପୂର୍ବତନ ଛାତ୍ର ତଥା ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଉଥିବା ବେଳେ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷର ଏକ ମାଇଲଖୁଣ୍ଟ। ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶା ସ୍କୁଲରେ କିପରି ବଙ୍ଗଳା ବଦଳରେ ଓଡ଼ିଆ ପଢ଼ାଯିବ ସେନେଇ ଗୁରୁତ୍ୱ ଦେଇଥିଲେ। ଫକୀରମୋହନ ଓ ଗୌରୀଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ବଢିଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବ୍ୟୋମକେଶ। ଶିକ୍ଷାନୁଷ୍ଠାନ ନାଁ ପରିବର୍ତ୍ତନ ବଦଳରେ ଶିକ୍ଷାର ମାନବୃଦ୍ଧିକୁ ଗୁରୁତ୍ବ ଦେବାକୁ କହିଛି ବିଜେଡି ।

କଟକବାସୀଙ୍କ ଭାବନା ସହ ଖେଳନି
ରେଭେନ୍ସା ପ୍ରସଙ୍ଗରେ ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ । ଅସ୍ମିତା କଥା କହୁଛି ବିଜେପି । ୨୦୨୧ରେ ସର୍ଦ୍ଦାର ବଲଭ ଭାଇ ପଟେଲ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା, ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରଶ୍ନ କରିଛନ୍ତି। ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ କଟକବାସୀଙ୍କ ଭାବନାକୁ ଆଘାତ ଦେଉଛି ବିଜେପି। ପ୍ରସଙ୍ଗରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପାଇଁ କଂଗ୍ରେସ ଦାବି କରିଛି। ସେପଟେ କେନ୍ଦ୍ରମନ୍ତ୍ରୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିଷୟରେ ଗୃହରେ ଆଲୋଚନା କରାଯାଇ ବିରୋଧୀ ଗୃହକୁ ଭିନ୍ନ ଆଡ଼କୁ ନେଉଥିବା ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

ପ୍ରସଙ୍ଗର ନାଁ ରେଭେନ୍ସା

ରେଭେନ୍ସା ବିଶ୍ବବିଦ୍ୟାଳୟ ବ୍ରିଟିଶ କମିଶନର ଥୋମାସ ଏଡଓ୍ବାର୍ଡ ରେଭେନ୍ସାଙ୍କ ନାଁରେ ରହିଛି । ତାଙ୍କୁ ନରହନ୍ତା ବ୍ରିଟିଶ ଅଧିକାରୀ କହିବା ସହ ତାଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିବାରୁ ରେଭେନ୍ସାଙ୍କ ନାଁରେ ବିଶ୍ବବିଦ୍ୟାଳୟ ହେବା ଉଚିତ ନୁହେଁ ବୋଲି ବିଜେପି କହୁଛି । ତେବେ ଓଡିଆକୁ ସ୍ବତନ୍ତ୍ର ଭାଷା ମାନ୍ୟତା ଓ ରାଜ୍ୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଦିଗରେ ଉଦ୍ୟମ କରିଥିଲେ ରେଭେନ୍ସା। ସେଥିପାଇଁ ମୟୂରଭଞ୍ଜ ମହାରାଜା ହିଁ କଲେଜ ନାଁ ରେଭେନ୍ସା ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ରେଭେନ୍ସା କେବଳ ଏକ ବିଶ୍ବବିଦ୍ୟାଳୟ ନୁହେଁ ଏକ ବ୍ରାଣ୍ଡ । ପୂର୍ବତନ ଛାତ୍ରଛାତ୍ରୀ ହୁଅନ୍ତୁ କି କଟକବାସୀ, ରେଭେନ୍ସା ସହ ଜଡିତ ରହିଛି ସ୍ବତନ୍ତ୍ର ଇମୋସନ । ତେଣୁ ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ନିଜସ୍ବ ମତ ରଖିବା ସହ ବିତର୍କ ଆହ୍ବାନ କରିଥିଲେ ବି ଏହାକୁ ଜୋରଦାର ବିରୋଧ ହେଲାଣି ।

Comments are closed.