Latest Odisha News

BREAKING NEWS

ରାୟଗଡା ପ୍ରଶାସନକୁ ମନେ ପଡିଲା ହୁଲୁକି ଗାଁ ଲୋକଙ୍କ କଥା

ରାୟଗଡା: ଚନ୍ଦ୍ରକୁ ଆରମ୍ଭ ହୋଇଛି ଯାତ୍ରୀବାହୀ ପରିବହନ(ରକେଟ୍‌) ବ୍ୟବସ୍ଥା । ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଛି ମାନବ ଜାତି । ତଥାପି ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ହୁଲୁକି ଗାଁର ଲୋକେ ଆଜି ବି ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି । ନିର୍ବାଚନ ସମୟରେ ଏମାନଙ୍କୁ ଖୋଜାପଡେ । ହେଲେ ପରେ କେବଳ ଭୋଟର୍ ଲିଷ୍ଟ ଓ ମାନଚିବ୍ରେ ଏଠିକାର ଲୋକଙ୍କ ଅବସ୍ଥିତିର ପ୍ରମାଣ ମିଳେ ।

ସ୍ୱାଧିନତାର ସାତ ଦଶନ୍ଧି ପରେ ଉନ୍ନୟନମୂଳକ କାର୍ଯ୍ୟ ଭାବେ ଏହି ଗାଁରେ ରହୁଥିବା ୧୯ଟି ପରିବାର ପାଇଁ ମାତ୍ର ଦୁଇଟି ନଳକୂପ ବସାଯାଇଛି । ଦୁର୍ଭାଗ୍ୟର କଥା ରାୟଗଡା ଜିଲ୍ଲାଠୁ ମାତ୍ର ୧୫ କି.ମି ଦୂରରେ ଥିବା ଏହି ଗାଁକୁ ଯିବାକୁ ହେଲେ କୋରାପୁଟ ଜିଲ୍ଲାର ନିଲାବାଡି ଗାଁ ଦେଇ ୪୫ କିମି ରାସ୍ତା ଅତିକ୍ରମ କରି ଯିବାକୁ ପଡୁଛି । ରାସ୍ତାଟିଏ ପାଇଁ ଏହି ଗାଁ ଲୋକଙ୍କ ଗୁହାରି ଶୁଣିବାକୁ ସତେ ଅବା କେହି ନାହାଁନ୍ତି ।

ଏ କଥା ସତ ଯେ, ଗାଁର ପ୍ରବେଶ ପଥରେ ମାତ୍ର ୨ଶହ ମିଟର ସିମେଣ୍ଟ ରାସ୍ତା ନିର୍ମାଣ ହୋଇଛି । ଅବଶିଷ୍ଟ ୫କି.ମି ରାସ୍ତା ଲୋକେ ଚାଲିଚାଲି ଜାରପା ଗାଁରେ ପହଂଚି ସେଠାରୁ ଅନ୍ୟ ସ୍ଥାନକୁ ଯିବା ଲାଗି ଯାନବାହାନର ସାହାରା ନେଇଥାନ୍ତି । ତେବେ ପକ୍କା ରାସ୍ତା ନଥିବାରୁ ଏହି ଗାଁକୁ ଆମ୍ବୁଲାନ୍ସ ଆସୁପାରୁନଥିବାବେଳେ ଗାଁ ଲୋକେ ଅତ୍ୟାବଶକୀୟ ସେବାରୁ ବଂଚିତ ରହିଛନ୍ତି ।

ଦଶନ୍ଧିଦଶନ୍ଧି ଧରି ନିଜ ମୌଳିକ ଅଧିକାର ପାଇଁ ଲଢେଇ କରୁଥିବା ଏହି ଗାଁ ଲୋକଙ୍କ ନିକଟରେ ଶେଷରେ ଅଚାନକ ପହଂଚିଥିଲା ବ୍ଲକ ପ୍ରଶାସନ । ଗତକାଲି ରାୟଗଡା ବିଡିଓ ଲ କ୍ଷ୍‌ମୀନାରାୟଣ ସାବତଙ୍କ ନେତୃତ୍ୱରେ କିଛି ଅଧିକାରୀ ହୁଲୁକି ଗାଁରେ ପହଂଚି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଥିଲେ ।

ସବିଶେଷ ରିପୋର୍ଟ ଅନୁଯାୟୀ ହୁଲୁକି ଗାଁରେ ୫ କି.ମି ପକ୍କା ରାସ୍ତା ନିର୍ମାଣ ହେବା ନେଇ ରାୟଗଡା ବିଡିଓ ପ୍ରତିଶ୍ରୁତି ଦେବା ପରେ ଗାଁରେ ଖୁସୀର ଲହରି ଖେଳିଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ଏହି ଗାଁକୁ ଦୀର୍ଘ ବର୍ଷ ପରେ ସରକାରୀ ବାବୁଙ୍କର ପାଦ ପଡିଲା, ସେଠି ରାସ୍ତା ନିର୍ମାଣ ତଥା ଅନ୍ୟାନ୍ୟ ଉନ୍ନୟନମୂଳ କାର୍ଯ୍ୟ ପାଇଁ କେତେବର୍ଷ ସମୟ ଲାଗିବ, ତାହା ସମୟ କହିବ ।

Leave A Reply

Your email address will not be published.