Latest Odisha News

BREAKING NEWS

୨୦୨୪ରେ କୋହଲି ଭାଙ୍ଗି ପାରନ୍ତି ଏହି ସବୁ ରେକର୍ଡ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ଚାଲିଛନ୍ତି । ୨୦୨୪ରେ କୋହଲି ଅନେକଗୁଡିଏ ରେକର୍ଡ ଭାଙ୍ଗି ପାରନ୍ତି । ଏହା ମଧ୍ୟରେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ହାସଲ ଆଗରେ ରହିଛି । ସେ ୨୯୨ ମ୍ୟାଚରେ ୧୩୮୪୮ ରନ କରିଛନ୍ତି । ଆଉ ୧୫୨ ରନ କଲେ ସେ ଏହି କୀର୍ତିମାନ ସ୍ଥାପନ କରିବେ । ସଚିନ ତେନ୍ଦୁଲକର ୩୫୦ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ । ସେହିପରି ଇଂଲଣ୍ଡ ବିପକ୍ଷରେ ସମସ୍ତ ଫର୍ମାଟରେ ଭାରତ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ ପାଇଁ ଆଉ ୨୧ ରନ ଆବଶ୍ୟକ କରୁଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ୪୦୦୦ ରନ ପୂର୍ଣ୍ଣ କରିବା ପାଇଁ ଆଉ ୩୦ ରନ ଦରକାର କରୁଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବାରୁ କୋହଲିଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ବିଶେଷ କଷ୍ଟ କରିବାକୁ ପଡିବ ନାହିଁ ।

ଟି୨୦ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ସେ ୧୨୦୦୦ ରନ ସଂଗ୍ରହ କରିବାର ନିକଟତର ହୋଇଛନ୍ତି । ଆଉ ୩୫ ରନ କଲେ ସେ ଏହି ସଫଳତା ହାସଲ କରିବେ । କ୍ରିସ ଗେଲ, ଶୋଏବ ମଲିକ ଓ କିରନ ପୋଲାର୍ଡଙ୍କ ପରେ ସେ ସର୍ବାଧିକ ରନ ସଂଗ୍ରହରେ ଓଭରାଲ ୪ର୍ଥ ସ୍ଥାନରେ ରହିଛନ୍ତି । ସଚିନ ଘରୋଇ ପରିବେଶରେ ସର୍ବାଧିକ ୪୨ ଶତକ ମାରିଛନ୍ତି । ଏହି ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆଉ ୫ ଶତକର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ କୋହଲି ଓ ସଚିନ ଆନ୍ତର୍ଜାତୀୟ କ୍ରିକେଟରେ ୯ଟି ଲେଖାଁଏ ଶତକ ହାସଲ କରିଛନ୍ତି । କୋହଲି ଆଉ ଗୋଟିଏ ଶତକ ମାରିଲେ ସଚିନଙ୍କୁ ଅତିକ୍ରମ କରିବେ ।

Leave A Reply

Your email address will not be published.