Latest Odisha News

୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ: ନବୀନ

ଢେଙ୍କାନାଳ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁନର୍ବାର ଦୋହରାଇ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ।

“୨୦୧୯ ସାଧାରଣ ନିର୍ବାଚନରେ କୌଣସି ଜାତୀୟ ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନମିଳିପାରିବା ଯୋଗୁଁ କେନ୍ଦ୍ରରେ ସରକାର ଗଠନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ” ବୋଲି ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ସହରରେ ଆୟୋଜିତ ଏକ ସାଧାରଣ ସଭାରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେ ଆଠମଲ୍ଲିକ ଠାରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ କଟୁ ସମାଲୋଚନା କରିଛନ୍ତି । “ମୋ ସରକାର ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନାକୁ କେନ୍ଦ୍ର ବନ୍ଦ କରିଦେବାକୁ ଚେଷ୍ଟା କରୁଛି । ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷରୁ ଅଧିକ କୃଷକ ଉପକୃତ ହୋଇପାରିଛନ୍ତି । ମୁଁ ଆପଣଙ୍କୁ କହି ରଖୁଛି କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ମୁଁ ଆପଣମାନଙ୍କୁ ଦୃଢ ପ୍ରତିଶ୍ରୁତି ଦେଉଛି ଆମ ସରକାର ପୁଣିଥରେ କ୍ଷମତାକୁ ଆସିଲେ ସରକାର ପ୍ରଥମ ଦିନରେ ଅବଶିଷ୍ଟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସହାୟତା ରାଶି ଜମା କରାଯିବ” ବୋଲି ସେ କହିଛନ୍ତି ।

ମହାନଦୀ ଜଳ ବଣ୍ଟନରେ କେନ୍ଦ୍ରର ବୈମାତୃକ ଭାବନାକୁ ସମାଲୋଚନା କରିଛନ୍ତି ନବୀନ । ସେହିପରି ଅନୁସୂଚିତ ଜାତିର ମୋଧାବୀ ଛାତ୍ରଛାତ୍ରୀଙ୍କ ଲାଗି ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନକୁ କେନ୍ଦ୍ର ସରକାର ରୋକିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଦ୍ୱିଗୁଣିତ କରିବାକୁ ଗତ ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଘୋଷଣା କରିଥିଲା, ମାତ୍ର ତାହା ଏଯାବତ୍ ପୂରଣ ହୋଇପାରିନାହିଁ ।

ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ହେଉଥିବା ହିଂସାତ୍ମକ ଆଚରଣକୁ ସମାଲୋଚନା କରିଛନ୍ତି । “ନିର୍ବାଚନରେ ପରାଜୟ ହେବା ଆଶଙ୍କା କରି ଏହି ଦଳର କର୍ମୀ ତଥା ନେତାମାନେ ଇଭିଏମ୍ ଭାଙ୍ଗିଛନ୍ତି” ବୋଲି ନବୀନ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ସେମାନଙ୍କର ନିୟମକାନୁନ ପ୍ରତି ସମ୍ମାନବୋଧ ନାହିଁ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.