Latest Odisha News

BREAKING NEWS

ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା

ସୁନ୍ଦରଗଡ଼ : ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଛି ଆଇଏସଓ ମାନ୍ୟତା । ଇଣ୍ଟରନ୍ୟାସନାଲ ଆକ୍ୟୁରେଟ୍ ସାର୍ଟିଫିକେସନ ସଂସ୍ଥା ପକ୍ଷରୁ ଏହି ମାନ୍ୟତା ପତ୍ର ପ୍ରଦାନ କରାଯାଇଛି ।

ସରକାରଙ୍କ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଏହା ମାଧ୍ୟମରେ ଗର୍ଭବତୀ ଏବଂ ପ୍ରସୂତି ତଥା ଶିଶୁଙ୍କୁ ବଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପ୍ରତିଷେଧକ ରୂପେ ଟିକା ଦିଆଯାଉଛି । ଏହାସହ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଏବେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଟିକା ପ୍ରସ୍ତୁତି କେନ୍ଦ୍ରଠାରୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାର ସୁପରିଚାଳନା ଉପରେ ଏହି କାର୍ଯ୍ୟକ୍ରମର ସଫଳତା ନିର୍ଭର କରୁଛି ।

ଟିକାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଉଚିତ ତାପମାତ୍ରାରେ ଏହାକୁ ମହଜୁଦ କରି ରଖିବା ସହ କୋଲ୍ଡ ଚେନ୍ ମାଧ୍ୟମରେ ଟିକା ପରିବହନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ । ଏହି କ୍ଷେତ୍ରରେ ସଫଳ ପରିଚାଳନାର ସମୀକ୍ଷା କରିବା ପରେ ସୁନ୍ଦରଗଡ଼ସ୍ଥିତ ଆଞ୍ଚଳିକ ଟିକା ଭଣ୍ଡାରକୁ ଆଇଏସଓ ମାନ୍ୟତା ମିଳିଛି । ଏହି ପ୍ରମାଣପତ୍ର ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ ଅଧିକାରୀ, ସ୍ବାସ୍ଥ୍ୟକର୍ମୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ଆସିବା ପରେ ସରକାରଙ୍କ ମାନଦଣ୍ଡ ଅନୁସାରେ ଟିକାଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଉଛି । ଏହି ଆଞ୍ଚଳିକ ଟିକା ଭଣ୍ଡାରରୁ ଆବଶ୍ୟକତା ଅନୁଯାୟୀ ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ଝାରସୁଗୁଡ଼ାରେ ଥିବା ଜିଲ୍ଲା ଟିକା ଭଣ୍ଡାରକୁ ଟିକା ପଠାଯାଉଛି । ଟିକାର ଗୁଣବତ୍ତା ବଜାୟ ରଖିବା ସହ ଏହାର ସୁପରିଚାଳନା ଉପରେ ସବୁବେଳେ ଗୁରୁତ୍ବ ଦିଆଯାଉଛି । ଏହି ମାନ୍ୟତା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଆଉ ଏକ ଉଚ୍ଚତାକୁ ନେଇ ପାରିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଟିକା ଭଣ୍ଡାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ପଠା ଯାଇଥାଏ । ସେଠାରେ ଟିକା ପହଞ୍ଚିବା ପରେ ତାକୁ ୱାକ୍ ଇନ୍ କୁଲରରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୁରକ୍ଷିତ ରଖାଯାଉଛି । ପରେ ଏହାକୁ ବିଭିନ୍ନ ଜିଲ୍ଲା ଟିକା ଭଣ୍ଡାରକୁ ଏବଂ ସେଠାରୁ ବ୍ଲକ୍ ଟିକା ଭଣ୍ଡାରକୁ ସୁରକ୍ଷିତ ଭାବେ ଟିକା ପଠା ଯାଇଥାଏ । ସେଠାରୁ ବିଭିନ୍ନ ଟିକାଦାନ କେନ୍ଦ୍ରକୁ ଟିକା ପଠାଇ ହିତାଧିକାରୀଙ୍କୁ ଟିକା ଦିଆଯାଇଥାଏ ।

ଟିକା ଏକ ଜରୁରୀକାଳୀନ ସେବା ହୋଇଥିବାରୁ ପ୍ରତି ଥାକରେ ଏହାର ସୁପରିଚାଳନା ଉପରେ ଜୋର୍ ଦିଆଯାଉଛି । ଏହାସହ ଟିକାଦାନ ସମୟରେ କିପରି ଟିକାର ଅପଚୟ ଯଥେଷ୍ଟ କମ୍ ରହିବ, ସେ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ବିଶେଷ ସଫଳତା ହାସଲ କରିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି । ଟିକା ପରିବହନ ଓ ପରିଚାଳନା ଲାଗି ସରକାର ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ଏହି ନିୟମକୁ ଠିକ୍ ଭାବେ ପାଳନ କରି ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାର ଏହି ମାନ୍ୟତା ପାଇବାରେ ସଫଳ ହୋଇଛି ।

Leave A Reply

Your email address will not be published.