ଭୁବନେଶ୍ୱର/ନୂଆଦିଲ୍ଲୀ: ଏପ୍ରିଲ୍ ମାସର ପ୍ରଚଣ୍ଡ ଖରା ଏବଂ ଲଗାତାର ଝାଞ୍ଜି ପବନରୁ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଥିବା ବେଳେ ଏବେ କାଳବୈଶାଖୀର ଭୟ ଘାରିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ତାଜା ପୂର୍ବାନୁମାନ ଅନୁଯାୟୀ, ମେ’ ମାସ ଆରମ୍ଭରୁ ଦେଶର ପାଣିପାଗ ମିଜାଜରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆଗାମୀ କିଛି ଦିନ ପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଝଡ଼ତୋଫାନ, ବଜ୍ରପାତ ଏବଂ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଆଗାମୀ ଦିନଗୁଡ଼ିକ ଓଡ଼ିଶାକୁ ସତର୍କ ରହିବାକୁ ହେବ। ରାଜ୍ୟର ଅନେକ ସ୍ଥାନରେ ୫୦ ରୁ ୬୦ କିଲୋମିଟର (ଏବଂ ସର୍ବାଧିକ ୭୦ କିମି) ବେଗରେ ପବନ ବହିବା ସହ ଭୟଙ୍କର କାଳବୈଶାଖୀ ହେବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ଓଡ଼ିଶାର କିଛି ଅଞ୍ଚଳରେ ତୀବ୍ର କୁଆପଥର ମାଡ଼ ହୋଇପାରେ ବୋଲି ଆଇଏମ୍ଡି ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଓଡ଼ିଶା ବ୍ୟତୀତ ଛତିଶଗଡ଼, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ଉପୁଜିବ।
ଗତ କିଛି ସପ୍ତାହ ଧରି ସାରା ଦେଶ ଅସମ୍ଭାଳ ଗରମରେ ସିଝୁଥିଲା। କିନ୍ତୁ ସୋମବାରଠାରୁ ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ ସମେତ ପଶ୍ଚିମବଙ୍ଗ, ସିକ୍କିମ ଓ ହିମାଚଳ ପ୍ରଦେଶରେ ଆଶ୍ୱସ୍ତିଦାୟକ ଲଗାଣ ବର୍ଷା ରେକର୍ଡ କରାଯାଇଛି। ବିଶେଷ କରି ପଶ୍ଚିମ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ସର୍ବାଧିକ ୧୩ ସେଣ୍ଟିମିଟର ବର୍ଷା ହୋଇଛି, ଯାହାଫଳରେ ୟୁପିର ହରଦୋଇରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସକୁ ଖସିଆସିଛି।
ତେବେ ଗୋଟିଏ ପଟେ ଦେଶର ବିଭିନ୍ନ ଭାଗରେ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ରାଜସ୍ଥାନରେ ଏବେ ବି ଖରାର ତାଣ୍ଡବ ଜାରି ରହିଛି। ଗତ ୩ ତାରିଖ ଦିନ ରାଜସ୍ଥାନର ଫାଲୋଦିରେ ଦେଶର ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ଲଗାଣ ବର୍ଷା ଏବଂ ଘନ କୁହୁଡ଼ି କାରଣରୁ ଉତ୍ତରାଖଣ୍ଡରେ କେଦାରନାଥ ଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରୁଦ୍ରପ୍ରୟାଗ ଅଞ୍ଚଳରେ ଖରାପ ପାଗ ଯୋଗୁଁ ହେଲିକପ୍ଟର ସେବାରେ ବାଧା ଉପୁଜିଛି। ତେଣୁ ପ୍ରଶାସନ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସହ ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।
ମେ’ ୫ ତାରିଖ ଅର୍ଥାତ୍ ଆଜି ପାଇଁ ଦେଶରେ କୌଣସି ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଆଲର୍ଟ ନାହିଁ, ଯାହାକି ଲୋକଙ୍କ ପାଇଁ ଏକ ବଡ଼ ଖବର। ତେବେ ପାଣିପାଗ ବିଶେଷଜ୍ଞଙ୍କ ମତରେ, ତାପମାତ୍ରାରେ ଏହି ହ୍ରାସ ବେଶି ଦିନ ରହିବ ନାହିଁ। ମେ’ ୫ ରୁ ୯ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ପୁଣିଥରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅର୍ଥାତ୍ ଖରା ଓ ଗରମରୁ ମିଳିଥିବା ଏହି ଆଶ୍ୱସ୍ତି ଖୁବ୍ କମ୍ ଦିନ ପାଇଁ ସୀମିତ ରହିବ।