ଦିଦିଙ୍କ ଅଭେଦ୍ୟ ଗଡ଼ରେ କେମିତି ଫୁଟିଲା ପଦ୍ମ? ଅମିତ ଶାହ ଏବଂ ସେହି ୫ ଜଣ ମାଷ୍ଟରମାଇଣ୍ଡ, ଯିଏ ରଚିଲେ ବେଙ୍ଗଲର ନୂଆ ଇତିହାସ
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆସିଛି ଏକ ବଡ଼ ଧରଣର ଭୂକମ୍ପ। ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଅଭେଦ୍ୟ ଦୁର୍ଗ ଶେଷରେ ଧରାଶାୟୀ ହୋଇଛି। ଆଉ ଏହି ଧ୍ୱଂସସ୍ତୂପ ଉପରେ ଉଡ଼ିଛି ବିଜେପିର ଗେରୁଆ ବାନା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଫଳାଫଳ କେବଳ ଏକ ବିଜୟ ନୁହେଁ, ବରଂ ଏହା ଭାରତୀୟ ଜନତା ପାର୍ଟି ପାଇଁ ଏକ ଐତିହାସିକ ପର୍ବ। ତେବେ ‘ମା, ମାଟି, ମାନୁଷ’ ସ୍ଲୋଗାନକୁ ଭେଦ କରି ବେଙ୍ଗଲରେ ପଦ୍ମ ଫୁଟାଇବା କୌଣସି ଚମତ୍କାର ନଥିଲା। ଏହା ପଛରେ ଥିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାଇକ୍ରୋ-ମ୍ୟାନେଜମେଣ୍ଟ ଏବଂ ପରଦା ପଛରେ ଅହରହ କାମ କରୁଥିବା ୫ ଜଣ ମୁଖ୍ୟ ରଣନୀତିକାର ବା ‘ଆର୍କିଟେକ୍ଟ’ଙ୍କ ନିଖୁଣ ଗୋଟିଚାଳନା।
୧. ଗ୍ରାଉଣ୍ଡ୍ ସେନାପତି: ଦିଲ୍ଲୀରେ ରଣନୀତି ପ୍ରସ୍ତୁତ ହେଉଥିଲା, କିନ୍ତୁ ବେଙ୍ଗଲ ମାଟିରେ ଟିଏମ୍ସିକୁ ସିଧାସଳଖ ଟକ୍କର ଦେଉଥିଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ସେ ଥିଲେ ବିଜେପିର ଗ୍ରାଉଣ୍ଡ୍ ସେନାପତି। ମମତାଙ୍କ ଦୁର୍ବଳତାକୁ ଅତି ନିକଟରୁ ଜାଣିଥିବା ଶୁଭେନ୍ଦୁ ନନ୍ଦୀଗ୍ରାମ ଏବଂ ମେଦିନୀପୁର ଅଞ୍ଚଳରେ ଟିଏମ୍ସିର ଭୋଟ୍ ବ୍ୟାଙ୍କରେ ବଡ଼ ଧରଣର ସେନ୍ଧି ମାରିଥିଲେ। ହିନ୍ଦୁତ୍ୱ ଭୋଟ୍ର ଧ୍ରୁବୀକରଣ ସାଙ୍ଗକୁ ଦୁର୍ନୀତି ପ୍ରସଙ୍ଗରେ ଟିଏମ୍ସି ନେତାଙ୍କୁ ଘେରିବା ତାଙ୍କର ମାଷ୍ଟରଷ୍ଟ୍ରୋକ୍ ଥିଲା।
୨. ସାଂଗଠନିକ ମେରୁଦଣ୍ଡ: ବିଜେପିର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଏବଂ ପଛରେ ଥିବା ଆରଏସ୍ଏସର ବିଶାଳ ନେଟୱର୍କ ଏହି ବିଜୟର ଦ୍ୱିତୀୟ ସ୍ତମ୍ଭ ଥିଲେ। ପୂର୍ବ ନିର୍ବାଚନରେ ବିଜେପିର ବୁଥ୍ ସ୍ତରୀୟ ସଂଗଠନ ଦୁର୍ବଳ ଥିଲା। କିନ୍ତୁ ଏହି ଟିମ୍ ପଞ୍ଚାୟତ ସ୍ତରରୁ ନେଇ ବୁଥ୍ କମିଟି ପର୍ଯ୍ୟନ୍ତ ନୂଆ କର୍ମୀଙ୍କୁ ଯୋଡ଼ିଥିଲେ। ଭୟ ଓ ହିଂସା ସତ୍ତ୍ୱେ କର୍ମୀଙ୍କ ମନୋବଳ ଦୃଢ଼ ରଖିବା ଏବଂ ସେମାନଙ୍କୁ ପୋଲିଂ ବୁଥ୍ ପର୍ଯ୍ୟନ୍ତ ଆଣିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
୩. ରଣନୀତି ଏବଂ ସମୀକରଣ: ବିଜେପିର କେନ୍ଦ୍ରୀୟ ପ୍ରଭାରୀ ତଥା ରଣନୀତିକାର ସୁନୀଲ ବଂଶଲ ପରଦା ପଛର ଅସଲ ହିରୋ। ଓଡ଼ିଶା, ଉତ୍ତରପ୍ରଦେଶ ନିର୍ବାଚନରେ ନିଜ ଦକ୍ଷତା ପ୍ରମାଣିତ କରିଥିବା ବଂଶଲ ବେଙ୍ଗଲରେ ସାମାଜିକ ସମୀକରଣ ଉପରେ ଧ୍ୟାନ ଦେଇଥିଲେ। ମତୁଆ, ରାଜବଂଶୀ ଏବଂ ଆଦିବାସୀ ସମ୍ପ୍ରଦାୟର ଭୋଟ୍ କିପରି ଏକାଠି ହୋଇ ବିଜେପି ଖାତାକୁ ଆସିବ, ସେନେଇ ସେ ଟିକେଟ୍ ବଣ୍ଟନଠାରୁ ଆରମ୍ଭ କରି ନେତାଙ୍କ ପ୍ରଚାର ପର୍ଯ୍ୟନ୍ତ ସବୁକିଛି ନିୟନ୍ତ୍ରଣ କରୁଥିଲେ।
୪. ନେରେଟିଭ୍ ଏବଂ ଆଇଟି ସେଲ୍ : ନିର୍ବାଚନ ଏବେ କେବଳ ପଡ଼ିଆରେ ନୁହେଁ, ମୋବାଇଲ୍ ସ୍କ୍ରିନ୍ରେ ମଧ୍ୟ ଲଢ଼ାଯାଉଛି। ବିଜେପିର ଆଇଟି ସେଲ୍ ଏହି ଦାୟିତ୍ୱକୁ ବହୁତ ଭଲ ଭାବେ ତୁଲାଇଥିଲା। ସନ୍ଦେଶଖାଲି ବିବାଦ, ଶିକ୍ଷକ ନିଯୁକ୍ତି ଦୁର୍ନୀତି, ଶାରଦା ଚିଟଫଣ୍ଡ ଏବଂ ତୁଷ୍ଟୀକରଣ ରାଜନୀତି ଭଳି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇ ମମତା ସରକାର ବିରୋଧରେ ଏକ ମାହୋଲ ତିଆରି କରିବାରେ ଏହି ଟିମ୍ ସଫଳ ହୋଇଥିଲା। ଟିଏମ୍ସିର ପ୍ରତିଟି ଯୁକ୍ତିକୁ ସୋସିଆଲ ମିଡିଆରେ ମୂଳପୋଛ କରିଦିଆଯାଇଥିଲା।
୫. ନାରୀ ଶକ୍ତି ଏବଂ ଯୁବ ମୋର୍ଚ୍ଚାର ଉତଥାନ: ମମତାଙ୍କ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନାକୁ କାଟ୍ କରିବା ବିଜେପି ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ଥିଲା। ଏଥିପାଇଁ ବିଜେପି ମହିଳା ମୋର୍ଚ୍ଚା ଏବଂ ଯୁବ ନେତାମାନେ ଏକ ‘ଗୁପ୍ତ ସେନା’ ଭଳି କାମ କରିଥିଲେ। ସେମାନେ ବସ୍ତି ଏବଂ ଗ୍ରାମାଞ୍ଚଳରେ ବୁଲି ମହିଳାମାନଙ୍କ ସୁରକ୍ଷା ଓ ବେକାରୀ ସମସ୍ୟାକୁ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର କିପରି ହଡ଼ପ କରୁଛନ୍ତି, ତାହା ମହିଳା ଭୋଟରଙ୍କୁ ବୁଝାଇବାରେ ଏହି ଟିମ୍ ସକ୍ଷମ ହୋଇଥିଲା, ଯାହା ଶେଷ ମୁହୂର୍ତ୍ତରେ ଭୋଟ୍ ସ୍ୱିଙ୍ଗ୍ କରାଇଥିଲା।
ଏହି ୫ ଜଣ ଆର୍କିଟେକ୍ଟଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଥିଲେ ଦେଶର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ। ଦୀର୍ଘ ୫ ବର୍ଷ ଧରି ସେ ବେଙ୍ଗଲ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ତାଙ୍କର ବାରମ୍ବାର ଗସ୍ତ, ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟର ସମୀକ୍ଷା ଏବଂ ସଠିକ୍ ସମୟରେ କଠୋର ନିଷ୍ପତ୍ତି ନେବା ପଦ୍ଧତି ଟିଏମ୍ସିର ସବୁ ରଣନୀତିକୁ ପାଣି କରିଦେଇଥିଲା। ୨୦୨୧ରେ ଯେଉଁ ସ୍ୱପ୍ନ ଅଧୁରା ରହିଯାଇଥିଲା, ୨୦୨୬ରେ ଶାହ ନିଜ ଆର୍କିଟେକ୍ଟମାନଙ୍କ ସାହାଯ୍ୟରେ ତାହା ପୂରଣ କରି ବେଙ୍ଗଲରେ ଏକ ନୂତନ ଅଧ୍ୟାୟର ସୂତ୍ରପାତ କରିଛନ୍ତି।