Latest Odisha News

BREAKING NEWS

ବଦଳିଛି ଦିନ, ବଦଳିଛି କ୍ୟାଲେଣ୍ଡର: ନୂଆବର୍ଷରେ ଆଜି ବି ମନେପଡେ ସେଇ ଗ୍ରିଟିଙ୍ଗସ୍ କାର୍ଡ ଓ ସେଥିରେ ଲେଖାଥିବା ଢଗ

ଭୁବନେଶ୍ଵର: ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୨୩। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୨୪କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ ୨୦୨୪ ଆସିଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇ ଉଠିଛି। ପରସ୍ପରକୁ ‘ହ୍ୟାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଇଛନ୍ତି। ୨୦୨୩ ଡିସେମ୍ବର ୩୧ରୁ ସବୁଠି ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଛି । ଜିରୋ ନାଇଟ ସେଲିବ୍ରେସନ କରି ୨୦୨୪କୁ ସ୍ୱାଗତ କରିଛନ୍ତି । ନୂଆବର୍ଷର ସ୍ୱାଗତ ପାଇଁ ଆତସବାଜିରେ ସମଗ୍ର ପରିବେଶ କମ୍ପିଥିଲା। ହୋଟେଲ, ରେଷ୍ଟୁରାଣ୍ଟ, ପବ୍‌ରେ ଡିଜେ ସାଉଣ୍ଡର ତାଳେ ତାଳେ ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି।

ନୂଆବର୍ଷ ହେଉଛି ଏକ ଖୁସିର ଦିନ । ଏହିଦିନରେ ଆମେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ଵାଗତ କରୁ । ପ୍ରତିବର୍ଷ ନିଜ ସାଥିରେ ଧରି ଆସିଥାଏ ଅନେକ କିଛି କାହାଣୀ । କିଛି କାହାଣୀ ଆମ ପାଇଁ ଭଲ ହୁଏ ତ ଆଉ କିଛି କାହାଣୀ ଆମକୁ ଦୁଃଖ ଦେଇଯାଏ । ହେଲେ କିଛି ସମୟ ଶାନ୍ତ ମନରେ ବସି ଭାବିଲେ ଲାଗେ- ଏହାହିଁ ତ ହେଉଛି ଜୀବନ । ଏହାହିଁ ତ ସମୟର ପରିବର୍ତ୍ତନ । ସମୟର ପରିବର୍ତ୍ତନରେ ଆମେ କେତେ କଣ ଜିନିଷ ପଛରେ ଛାଡି ଆସିଲେଣି । ଏଇ ଯେମିତି ପ୍ରତି ନୂଆବର୍ଷରେ ସାଙ୍ଗମାନଙ୍କୁ ଗ୍ରିଟିଙ୍ଗସ୍ ଦେବା, ନିଜ ମନ ମୁତାବକ ଢଗ ଲେଖିବା । ସତରେ ଭାରି ଅଭୁଲା ସେ ସ୍ମୃତି । ଆଜିର ସ୍ମାର୍ଟ ଟେକ୍ନୋଲୋଜୀ ଯୁଗରେ ଗୋଟିଏ ମେସେଜରେ ନୂଆବର୍ଷ ପାଳନ ହେଇଯାଉଛି । କିନ୍ତୁ ସେ ସମୟ, ସାଇକେଲରେ କିମ୍ବା ଚାଲି ଚାଲି ଯାଇ ସାଙ୍ଗକୁ ଦେଖା କରି ତା ହାତରେ ଗ୍ରିଟିଙ୍ଗସ୍ ଦେବା ହିଁ ନୂଆବର୍ଷର ଅସଲ ମଜା ଥିଲା ।

କ୍ୟାଲେଣ୍ଡରରେ ବର୍ଷ ପରେ ବର୍ଷ ବିତିଯାଏ । ଏହା ମଧ୍ୟରୁ ଶୈଶବରୁ କୈଶୋର ଜୀବନ ବିତିଯାଏ । ଯୌବନ ଅବସ୍ଥାରେ ପହଞ୍ଚିବା ପରେ ପୁଣି ସେହି ପିଲାଦିନର ଅଭୁଲା ଅତୀତ ବୋଷୟରେ ମନେ ପଡିଯାଏ । ଦୋକାନରୁ ରଙ୍ଗ ବେରଙ୍ଗର ଭଳିକି ଭଳି ଗ୍ରିଟିଙ୍ଗସ୍ କାର୍ଡ କିଣିବାର ମଜା ହୁଏତ ଆଜିର ମୋବାଇଲ ଯୁଗରେ କମିଯାଇଛି । କିନ୍ତୁ ଗ୍ରିଟିଙ୍ଗସ୍ କିଣିବା ପରେ ଗ୍ରିଟିଙ୍ଗସ୍ କାର୍ଡ ପଛରେ ଢଗଢମାଳି ଲେଖି ନିଜର ପ୍ରିୟ ସାଙ୍ଗକୁ ପଠାଇବାରେ ଯେଉଁ ମଜା ଥାଏ ତାହାକୁ ଗ୍ରିଟିଙ୍ଗସ୍ ବ୍ୟବହାରକାରୀ ହିଁ ବେଶ୍ ଭଲ ଭାବରେ ବୁଝିଥିବେ ।

ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷ ୨୦୨୪ ଆପଣଙ୍କ ଜୀବନରେ ନୂଆ ସମ୍ଭାବନା ଆଣିଦେଉ ଓ ପରିବାରର ସମସ୍ତ ଦୁଃଖକୁ ଦୂର କରୁ । ସମସ୍ତେ ସୁସ୍ଥ, ସ୍ଵଚ୍ଛ ଓ ନିରାପଦ ରୁହନ୍ତୁ । ଏତିକି ଜଗତରନାଥ ଜଗନ୍ନାଥଙ୍କ ପାଖରେ ପାର୍ଥନା । ଓଡିଶା ସମ୍ବାଦ ତରଫରୁ ଆପଣଙ୍କୁ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

Leave A Reply

Your email address will not be published.