Latest Odisha News

BREAKING NEWS

ନବୀକରଣକ୍ଷମ ଶକ୍ତି ବ୍ୟବହାରରେ ପରିବେଶ ଓ ଜୀବଜଗତର ସୁରକ୍ଷା ସମ୍ଭବ

ପ୍ରଫୁଲ୍ଲ କୁମାର ଜେନା

କୃଷି, ଶିଳ୍ପ, ଯାନବାହନ ଚଳାଚଳ ଓ ଆମର ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ପ୍ରୟୋଜନ ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ସୂର୍ଯ୍ୟ, ପବନ ଓ କାଠପତ୍ର ଇତ୍ୟାଦିରୁ ନବୀକରଣକ୍ଷମ ଶକ୍ତି ଦୈନନ୍ଦିନ ଜୀବନର ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରି ଆସୁଛି । କାଳକ୍ରମେ ବିଜ୍ଞାନ ଓ ଇଂଜିନିୟରିଂ ଜ୍ଞାନ ପ୍ରୟୋଗ କରି ମନୁଷ୍ୟ ଭୂଗର୍ଭରେ ଥିବା, କୋଇଲା, ତେଲ ଓ ପ୍ରାକୃତିକ ଗ୍ୟାସ୍ (ଫସିଲ ଫୁଏଲ୍‌) ନିଷ୍କାସନ କରି ଏଗୁଡ଼ିକରୁ ବହୁ ପରିମାଣର ଶକ୍ତି ଉତ୍ପନ୍ନ କରି ପାରିଲା ଏବଂ ଏ ସବୁ ଶକ୍ତି ଯାନବାହାନ ଚଳାଚଳରେ, ଧାତୁ ନିଷ୍କାସନ ଓ ଅନ୍ୟାନ୍ୟ ଶିଳ୍ପ କାରଖାନାରେ ତଥା ଦୈନନ୍ଦିନ ଜୀବନରେ ବ୍ୟବହାର କରିବାରେ ଲାଗିଲା । ବର୍ତ୍ତମାନ ସମୁଦାୟ ଉତ୍ପାଦିତ ଶକ୍ତିର ପ୍ରାୟ ୯୦ ଭାଗ ଏହି ଫସିଲ ଫୁଏଲ୍‌ରୁ ନିଷ୍କାସନ କରାଯାଉଛି । କିନ୍ତୁ ଏଗୁଡ଼ିକ ପୃଥିବୀ ପୃଷ୍ଠରେ ସୀମିତ ପରିମାଣରେ ଥିବାରୁ ଆଶଙ୍କା ହେଉଛି ଯେ, ଏହି ଶତାବ୍ଦିର ଶେଷ ଭାଗରେ ଏସବୁ ପ୍ରାୟ ସରିଯିବ । ତାହାଛଡ଼ା ଏହି ଜାଳେଣୀ ପଦାର୍ଥରୁ ଶକ୍ତି ନିଷ୍କାସନ ବେଳେ କାରବନ୍ ଡାଇଅକ୍‌ସାଇଡ ନାଇଟ୍ରୋଜେନ ଅକ୍‌ସାଇଡ୍ ଓ ସଲଫର ଅକ୍‌ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍‌ମାନ ଏବଂ ଅଙ୍ଗାର ଗୁଣ୍ଡ ବହୁ ପରିମାଣରେ ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରୁଛନ୍ତି ଓ ତା’ର ଉଚ୍ଚତା ମଧ୍ୟ ବୃଦ୍ଧି କରୁଛନ୍ତି । ଏହି ନିର୍ଗତ ଗ୍ୟାସ୍‌ଗୁଡ଼ିକ ଯୋଗୁଁ ମନୁଷ୍ୟ ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ବହୁ ସଂଖ୍ୟାରେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ସେମାନଙ୍କର ଅକାଳ ବିୟୋଗ ଘଟୁଛି । ଏଥିଯୋଗୁଁ ଅନେକ ଦେଶରେ ର୍ବମାନ ସୂର୍ଯ୍ୟ, ପବନ ଓ ଜୈବପଦାର୍ଥ ଇତ୍ୟାଦିରୁ ନିର୍ମଳ ଓ ଅସରନ୍ତି ଶକ୍ତି କିଛି କିଛି ନିଷ୍କାସନ କରି ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିବାର ଚେଷ୍ଟା ଚାଲିଛି । ଆଶା କରାଯାଉଛି ଯେ, ନିକଟ ଭବିଷ୍ୟତରେ ଉଚ୍ଚ ଧରଣର ଜ୍ଞାନ କୌଶଳ ବ୍ୟବହାର କରି ଅଳ୍ପ ଖର୍ଚ୍ଚରେ ଏଗୁଡ଼ିକରୁ ବହୁ ପରିମାଣର ଶକ୍ତି ନିଷ୍କାସନ କରି ହେବ । ୨୦୧୫ ମସିହାରେ ପ୍ୟାରିସ୍ ଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ କନ୍‌ଫରେନସ୍‌ରେ ସବୁ ଦେଶର ସଭ୍ୟମାନେ ଫସିଲ୍ ଫୁଏଲ ବଦଳରେ ସୂର୍ଯ୍ୟ, ପବନ ଓ ଜୈବ ପଦାର୍ଥଗୁଡ଼ିକରୁ ଉଚ୍ଚଧରଣର ଜ୍ଞାନ କୌଶଳ ପ୍ରୟୋଗ କରି ଅଳ୍ପଖର୍ଚ୍ଚରେ ଶକ୍ତି ଉତ୍ପାଦନ କରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଯୋଜନାମାନ ପ୍ରଣୟନ କରି ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଥିଲେ ।

୨୦୧୫ ମସିହା ଜୁନ ୧୪ ତାରିଖରେ ଆନ୍ତର୍ଜାତୀୟ ନବୀକରଣକ୍ଷମ ଶକ୍ତି ସଙ୍ଗଠନ ଏକ ଦୀର୍ଘ ନବୀକରଣକ୍ଷମ ଶକ୍ତି ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ । ଏହାର ଲକ୍ଷ୍ୟ ଥିଲା ଯେ, ୨୦୩୦ ମସିହା ସୁଦ୍ଧା ବର୍ତ୍ତମାନ ନବୀକରଣ ଶକ୍ତିର ଦୁଇଗୁଣ ଉତ୍ପାଦନ ବୃଦ୍ଧି କରିବା, ଅର୍ଥାତ୍ ସେହି ସମୟ ବେଳକୁ ନବୀକରଣ ଶକ୍ତିକୁ ପୃଥିବୀର ସମୁଦାୟ ଶକ୍ତି ଉତ୍ପାଦନର ଶତକଡ଼ା ୨୧ ଭାଗକୁ ବୃଦ୍ଧି କରାଇବା । ସୁଖର କଥା ଯେ, ବିଭିନ୍ନ ଦେଶମାନଙ୍କର ମିଳିତ ଚେଷ୍ଟା ଫଳରେ ସାରା ପୃଥିବୀର ଶିଳ୍ପ କ୍ଷେତ୍ରରେ ୨୦୦୯ ମସିହାରେ ଯେତେ ଶକ୍ତି ନିୟୋଜିତ ହୋଇଥିଲା, ତାହାର ଏକ-ଚତୁର୍ଥାଂଶ ନବୀକରଣକ୍ଷମ ଶକ୍ତିରୁ ମିଳିଥିଲା । ଆସନ୍ତା କେତୋଟି ବର୍ଷ ଭିତରେ ଶିଳ୍ପ କାରଖାନାର ଉତ୍ପାଦନ କ୍ଷମତା ବହୁଗୁଣରେ ବୃଦ୍ଧି ପାଇବାର ଆଶା ଅଛି । ସେଥିପାଇଁ ଶିଳ୍ପ କାରଖାନାମାନଙ୍କର ବ୍ୟବହାର ପାଇଁ ଉଚ୍ଚ ଧରଣର ଜ୍ଞାନ କୌଶଳ ପ୍ରୟୋଗ କରି ସୂର୍ଯ୍ୟ, ପବନ, ଜୈବପଦାର୍ଥ, କ୍ଷୁଦ୍ର ଜଳଶକ୍ତି ଇତ୍ୟାଦିରୁ ବହୁପରିମାଣର ନିର୍ମଳ ଶକ୍ତି ନିଷ୍କାସନ କରିବା ପାଇଁ ଉନ୍ନତଗାମୀ ଦେଶମାନଙ୍କରେ ଗୁରୁତ୍ୱ ଦିଆଯାଉଛି । ଉଦାହରଣ ସ୍ୱରୂପ, ୨୦୦୭ ମସିହାରେ ପୃଥିବୀର ବିଭିନ୍ନ ଦେଶରେ ଜୈବପଦାର୍ଥର ସମୁଦାୟ ଉତ୍ପାଦିତ ଶକ୍ତିର ଶତକଡ଼ା ଆଠଭାଗ ଶକ୍ତି ନିଷ୍କାସନ କରି ଶିଳ୍ପ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିଥିଲା । ବିଭିନ୍ନ ଦେଶରେ ଉଚ୍ଚଧରଣର ଜ୍ଞାନ କୌଶଳ ପ୍ରୟୋଗ କରି ଶିଳ୍ପ କ୍ଷେତ୍ରରେ ସୂର୍ଯ୍ୟ, ପବନ ଓ ଜୈବପଦାର୍ଥ ପ୍ରଭୃତିରୁ ସମୁଦାୟ ଦରକାରୀ ଶକ୍ତିର ଶତକଡ଼ା ୨୧ ଭାଗ ୨୦୫୦ ମସିହା ସୁଦ୍ଧା ମିଳିବାପାଇଁ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ସବୁଠାରୁ ଜୈବପଦାର୍ଥରୁ ଅଧିକ ଶକ୍ତି ବିଭିନ୍ନ ଶିଳ୍ପ, କାରକାନାମାନଙ୍କରେ ବ୍ୟବହୃତ ହେଉଛି । ଆଶା କରାଯାଉଛି ଯେ ନିକଟ ଭବିଷ୍ୟତରେ କାଗଜ ତିଆରି, ରାସାୟନିକ ପଦାର୍ଥ, ସିମେ ଇତ୍ୟାଦି ଶିଳ୍ପ କ୍ଷେତ୍ରରେ ଜୈବପଦାର୍ଥରୁ ଦରକାର ମୁତାବକ ଉାପ ଶକ୍ତି ସ୍ୱଳ୍ପ ଖର୍ଚ୍ଚରେ ଉତ୍ପନ୍ନ କରାଯାଇ ବ୍ୟବହାର କରାଯାଇ ପାରିବ । ଅଟକଳ କରାଯାଇଛି ଯେ ୨୦୫୦ ମସିହା ବେଳକୁ ସୂର୍ଯ୍ୟ, ପବନ ଓ ଜୈବପଦାର୍ଥରୁ ଶକ୍ତି ଉତ୍ପାଦନ କରାଯାଇ ମନୁଷ୍ୟର ଦୈନନ୍ଦିନ ଜୀବନଯାପନ ଓ ପରିବହନ କ୍ଷେତ୍ରରେ ମଧ୍ୟ ବହୁପରିମାଣର ବ୍ୟବହାର ହୋଇପାରିବ ।

ଆଜିକାଲି ଅଳ୍ପ ଓ ମଧ୍ୟମ ମାନର ଉାପ ଦରକାର ହେଉଥିବା ଶିଳ୍ପ କାରଖାନାମାନଙ୍କରେ ସୂର୍ଯ୍ୟରୁ ଉତ୍ପନ୍ନ ଉତ୍ତାପ ଶକ୍ତି ବହୁଳ ଭାବରେ ବ୍ୟବହାର କରାଯାଉଛି । ପୃଥିବୀର ବିଭିନ୍ନ ଦେଶରେ ଏହି କେତେ ବର୍ଷ ହେବ ଖଣିଜପଦାର୍ଥ ନିଷ୍କାସନ କ୍ଷେତ୍ରରେ ସୂର୍ଯ୍ୟ ଓ ପବନରୁ ଶକ୍ତି ଆହରଣ କରାଯାଇ ବହୁ ପରିମାଣରେ ବ୍ୟବହାର କରାଯାଇପାରିଛି । ଚିଲ୍ଲି ଓ ଦକ୍ଷିଣ ଆଫ୍ରିକାର ଖଣିଖନନ ମ୍ପାନୀମାନେ ଏ ଦିଗରେ ବହୁତ ଆଗୁଆ । ସମଗ୍ର ପୃଥିବୀରେ ପବନରୁ ବିଦ୍ୟୁତ ଶକ୍ତି ଆହରଣ ୨୦୦୨ ମସିହାରେ ୬୦ ମେଗାୱାଟ୍ ଥିବାବେଳେ ତାହା ୨୦୧୦ ମସିହାରେ ୧୬୦ ମେଗାୱାଟ୍‌କୁ ବୃଦ୍ଧି ପାଇଛି । ୨୦୧୦ ମସିହାରେ ପୃଥିବୀରେ ସମୁଦାୟ ବିଜୁଳିଶକ୍ତି ଉତ୍ପାଦନର ୨.୫ ଶତାଂଶ ପବନ ଶକ୍ତିରୁ ସମ୍ଭବ ହୋଇପାରିଥିଲା । ଡେନ୍‌ମାର୍କ ଭଳି ଗୋଟିଏ ଛୋଟ ଦେଶରେ ସମୁଦାୟ ଉତ୍ପାଦିତ ବିଜୁଳି ଶକ୍ତିର ଏକ- ଚତୁର୍ଥାଂଶ ପବନରୁ ଉତ୍ପାଦିତ ହୋଇପାରିଛି । ସାରା ପୃଥିବୀରେ ମଧ୍ୟ ୨୦୧୩ ମସିହାରେ ପ୍ରାୟ ତିନିଶହ ହଜାର ମେଗାୱାଟ ବିଜୁଳି ଶକ୍ତି କେବଳ ପବନରୁ ଉତ୍ପାଦିନ ହୋଇପାରିଛି । ଆମେରିକା, ୟୁରୋପ ଓ ଚୀନ୍ ଭଳି ଦେଶମାନଙ୍କରେ ଆଧୁନିକ ଓ ଜ୍ଞାନକୌଶଳ ପ୍ରୟୋଗକରି ସୂର୍ଯ୍ୟ, ପବନ ଓ ଜୈବ ପଦାର୍ଥ ଇତ୍ୟାଦିରୁ ଅଧିକ ପରିମାଣର ଶକ୍ତି ଉତ୍ପାଦିତ ହେବାରେ ଲାଗିଛି । ର୍ବମାନ ଭାରତ, ଲାଟିନ୍ ଆମେରିକା ଓ ଦକ୍ଷିଣ ଆଫ୍ରିକାରେ ନବୀକରଣକ୍ଷମ ଶକ୍ତି ଯଥାକ୍ରମେ ଶତକଡ଼ା ପ୍ରାୟ ୨୪, ୩୫ ଓ ୪୨ ଭାଗ ବ୍ୟବହାର ହେଉଛି । ସୂର୍ଯ୍ୟ, ପବନ ଓ ଜୈବପଦାର୍ଥ ଇତ୍ୟାଦିରେ ଅସରନ୍ତି ଶକ୍ତି ନିହିତ ଥିବାରୁ ଏବଂ ଏସବୁ ବିନା ମୂଲ୍ୟରେ ମିଳିପାରୁଥିବାରୁ, ସାରା ପୃଥିବୀରେ ଉନ୍ନତ ଧରଣର ଟେକ୍ନୋଲୋଜି ବ୍ୟବହାର କରି ଶସ୍ତାରେ ସେଗୁଡ଼ିକରୁ ବହୁ ପରିମାଣର ବୈଦ୍ୟୁତିକ ଶକ୍ତି ଉତ୍ପାଦନ କରାଗଲେ, ଦୂଷିତକାରୀ କୋଇଲା ଓ ପେଟ୍ରୋଲିୟମର ବ୍ୟବହାର ବହୁପରିମାଣରେ କମିବ । ଏହା ପୃଥିବୀର ସବୁ ଦେଶର ମିଳିତ ସହଯୋଗରେ ସମ୍ଭବ ହୋଇପାରିବ ଏବଂ ନବୀକରଣକ୍ଷମ ଶକ୍ତିର ବହୁଳ ବ୍ୟବହାରରେ ସ୍ୱାସ୍ଥ୍ୟକର ଓ ଉନ୍ନତ ଧରଣର ଜୀବନଯାପନ ସଙ୍ଗେ ପରିବେଶ ଓ ଜୀବଜଗତ ସୁରକ୍ଷିତ ହୋଇପାରିବ ।

 

(ପୂର୍ବତନ ଡାଇରେକ୍ଟର ଜେନେରାଲ୍‌, ସି.ଏସ୍‌.ଆଇ.ଆର., ଇଣ୍ଡିଆ)
ଚେୟାରମ୍ୟାନ୍‌ଇନ୍‌ଷ୍ଟିଚ୍ୟୁଟ ଅଫ୍ ଆଡ଼ଭାନ୍ସ ଟେକ୍ନୋଲୋଜି ଏଣ୍ଡ ଏନ୍‌ଭାଇରନମୋଲ ଷ୍ଟଡ଼ିଜ୍‌
୮୦ଏ-୮୩ଏ, ଲୁଇସ୍‌ରୋଡ଼, ଭୁବନେଶ୍ୱର – ୭୫୧୦୦୨

 

Comments are closed.