ଭୁବନେଶ୍ବର: ଆଉ ନାହାନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦ । ୭୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପୂର୍ବରୁ ତାଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ପୁଅ ରହିଛନ୍ତି । ତେବେ ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନା ଦେଇଛନ୍ତି ପରିବାର ଲୋକେ ।
ତେବେ ୧୯୭୫ ବ୍ୟାଚର ଆଇଏଏସ୍ ଥିବା ସତ୍ୟ ପ୍ରକାଶ ନନ୍ଦ, ନିଜ ଜୀବନର ଦୀର୍ଘ ୩୬ ବର୍ଷ ପ୍ରଶାସନିକ ସେବାରେ ଉତ୍ସର୍ଗୀକୃତ କରିଥିଲେ । ୧୯ ମାର୍ଚ୍ଚ ୧୯୫୨ରେ ଜନ୍ମଗ୍ରହଣ କରିଥିବା ନନ୍ଦ, ୧୯୭୫ରେ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଏହାପରେ ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା, ଉଚ୍ଚଶିକ୍ଷା, ଶିଳ୍ପ, ସାଧାରଣ ଉଦ୍ୟୋଗ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗରେ ଓଡ଼ିଶା ସରକାରଙ୍କ ସଚିବ ଭାବରେ ପ୍ରମୁଖ ପ୍ରଶାସନିକ କାର୍ଯ୍ୟ କରିଛନ୍ତି ।
ଓଡ଼ିଶା ସରକାରଙ୍କ ରାଜସ୍ୱ ବୋର୍ଡର ସଦସ୍ୟ ଭାବରେ ଅବସର ନେବା ପରେ ୧୩ ଅକ୍ଟୋବର, ୨୦୧୧ରେ ସେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ କୃଷି ଉତ୍ପାଦନ କମିଶନର ଏବଂ ବିକାଶ କମିଶନର ଭାବରେ କାର୍ଯ୍ୟ କରିଛନ୍ତି । ଏଥିସହିତ ଶିଳ୍ପ ବିକାଶ, ଶିଳ୍ପ ଭିତ୍ତିଭୂମି ବିକାଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।
ଓଡିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମର ଅଧ୍ୟକ୍ଷ ସହ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟକାଳ ମଧ୍ୟରେ, ସେ ରାଜ୍ୟର ବିଭିନ୍ନ ଶିଳ୍ପ କ୍ଷେତ୍ର ଏବଂ ଭିତ୍ତିଭୂମି ପ୍ରକଳ୍ପର ବିକାଶ, ଆର୍ଥିକ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ସେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିବା ବେଳେ ପ୍ରଥମ ଥର ପାଇଁ ‘ପ୍ରଦୂଷକ ଦେୟ ଦିଏ’ ନୀତି କାର୍ଯ୍ୟକାରୀ କରାଯାଇଥିଲା । ତେବେ ସେ ୧୨ ଅକ୍ଟୋବର, ୨୦୧୬ରେ ଓଇଆରସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।
Comments are closed.