ଭୁବନେଶ୍ୱର: ରାଜ୍ୟରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସେ ପ୍ରଭାବରୁ ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି l ଏଥିସହିତ ରଥଯାତ୍ରା ପରେ ୩୦ଟି ଜିଲ୍ଲା ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକି ଆଗାମୀ ଦିନରେ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ତ ପ୍ରକାର ବିପଦର ପରିଚାଳନା ନିମନ୍ତେ ବିସ୍ତ୍ରୁତ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l