Latest Odisha News

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସୌମ୍ୟଙ୍କ ଏହି କଟାକ୍ଷକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ବିଜେଡି ଏହାର ତେଢା ଜବାବ ଦେଇ ସୌମ୍ୟ ଜଣେ ଲୋଭି, କ୍ଷମତା ଲୋଭି ବୋଲି କହିଥିବାବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ କଂଗ୍ରେସ ବିଧାୟକ ତାଙ୍କୁ ପ୍ରଶଂସା କରିଛନ୍ତି ।

ଆଜି ସୌମ୍ୟ ପଟ୍ଟନାୟକଙ୍କ ଜନ୍ମଦିନ । ୭୦ ବର୍ଷରେ ପଦାର୍ପଣ କରିଛି ସୗେମ୍ୟ । ଏହି ଅବସରରେ  ନିଜ ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ‘ଜନ୍ମଦିନର  ଅନୁଚିନ୍ତା’ ଶୀର୍ଷକ ଏକ ଲେଖା ପ୍ରକାଶ କରିଛନ୍ତି । ଲେଖାରେ ସୌମ୍ୟ ପଟ୍ଟନାୟକ ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି । ଅବଶ୍ୟ ସୌମ୍ୟ ବାବୁଙ୍କର ଏପରି ଟାର୍ଗେଟ ଆଜି ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ତାଙ୍କ ସମ୍ପାଦକୀୟରେ ‘ଆମ ବ୍ୟବସ୍ଥାରେ ମନ୍ତ୍ରୀ ବଡ ନା ସଚିବ ବଡ ’ ବୋଲି ପ୍ରଶ୍ନ କରି ୫ଟି ସଚିବଙ୍କୁ ତୀର ମାରିଥିଲେ । ହେଲେ ଏଥର ପ୍ରଶ୍ନ ନୁହେଁ, ସମ୍ପାଦକୀୟରେ ରହିଛି ସିଧାସଳଖ ଅଭିଯୋଗ ।

ସଚିବଙ୍କ ଉଦ୍ଦେଶ୍ୟରେ ‘୫ଟି’ ବ୍ୟବହାର ନ କରି ‘୫ମ’ ଶବ୍ଦ ବ୍ୟବହାର କରିଛନ୍ତି ସୌମ୍ୟ । ସେ ଲେଖିଛନ୍ତି ‘ଯେମିତି ମା’, ମାଟି, ମାତୃଭାଷା, ମୋବାଇଲ ଏବଂ ମଦମୁକ୍ତ ଓଡ଼ିଶାର ପାଞ୍ଚୋଟି ‘ମ’ କଥାକୁ ସଚିବ ଅତ୍ୟନ୍ତ ଗୁରୁତ୍ୱ ସହକାରେ ଗ୍ରହଣ କରି ନେଇଛନ୍ତି ।’

ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଲୋକଙ୍କ ଦୁଃଖସୁଖ ବୁଝିବା ପାଇଁ ପଠାଉଥିବା କହୁଛନ୍ତି । ତେବେ ଲୋକଙ୍କ ଦୁଃଖସୁଖ ବୁଝିବା ପାଇଁ ସଚିବ ଯେପରି ଆଡମ୍ବରପୂର୍ଣ୍ଣ ଯାତ୍ରା କରୁଛନ୍ତି ତାହାକୁ ସମାଲୋଚନା କରିଛନ୍ତି ସୌମ୍ୟ ।  ସଚିବଙ୍କ ଏହି ଖର୍ଚ୍ଚ ୩୦୦ କୋଟିରୁ କମ ହେବନି । ୩୦୦ କୋଟି ଖର୍ଚ୍ଚ କରି ସଚିବ ଯେଉଁ କାମ କରୁଛନ୍ତି ତାହା କରିବା ପାଇଁ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆ ଯାଇଛି । ଏହା ସତ୍ତ୍ୱେ ସଚିବଙ୍କ ଏହି ବ୍ୟୟବହୁଳ, ବିଳାସପୂର୍ଣ୍ଣ ଗସ୍ତ କାହିଁକି ବୋଲି ସେ ପ୍ରଶ୍ନ କରୁଛନ୍ତି ।

ସୌମ୍ୟଙ୍କ କଟାକ୍ଷର  ଉତ୍ତର ରଖିଛନ୍ତି ବିଜେଡି ନେତା ତଥା   ଖଣ୍ଡପଡ଼ା ଟିକେଟ ପାଇଁ ଆଶାୟୀ ଅନୁଭବ ପଟ୍ଟନାୟକ  । ଅବଶ୍ୟ ସେ ନାଁ ନ ନେଇ ସୌମ୍ୟ ପଟ୍ଟନାୟକଙ୍କୁ  ସମାଲୋଚନା କରିଛନ୍ତି।   ସେ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ‘ନିଜ ଜନ୍ମ ଦିନରେ ସୌମ୍ୟ ସତ କୁହିବେ ବୋଲି ଆଶା କରୁଛି । ୨୦୧୯ରେ ବିଧାୟକ ଟିକଟ ପାଇଁ ସୌମ୍ୟ ନବୀନ ନିବାସରେ କିଭଳି ଅନୁରୋଧ କରିଥିଲେ ।  ତାହା ମୁଁ ଦେଖିଛି।  ବିଧାୟକ ହେବା ପରେ ତାଙ୍କର  ମନ୍ତ୍ରୀ ହେବାର ଇଚ୍ଛା ଅଛି ବୋଲି କିପରି ଅନୁରୋଧ କରୁଥିଲେ ତା ବି ଦେଖିଛି । ସେ ସୌମ୍ୟଙ୍କ ‘ମାଟି’ କଥାକୁ ନେଇ କହିଛନ୍ତି, ଏହା ସୈତାନର ବେଦପାଠ ସଦୃଶ । ସେତିକି ନୁହେଁ, ସୌମ୍ୟଙ୍କ ନାଁ ନେଇ ସେ ଜଣେ ଲୋଭି, କ୍ଷମତା ଲୋଭି, ଦୁଇମୁହାଁ ମଣିଷ ବୋଲି ମଧ୍ୟ ଟୁଇଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷେ ବିଜେପି ସାଂସଦ ଅପରାଜିତା ସୌମ୍ୟଙ୍କ ସମ୍ପାଦକୀୟକୁ ପ୍ରଶଂସା କରି କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଗଲେ ଶୋଭା ପାଇବ  । କିନ୍ତୁ ସଚିବ ଗଲେ ଶୋଭା ପାଇବ ନାହିଁ ବୋଲି କହିଛନ୍ତି । ୫ଟି ସଚିବଙ୍କ କାର୍ଯ୍ୟକଳାପକୁ ନେଇ ସେ ମଧ୍ୟ ଅନେକ ପୂର୍ବରୁ ସମାଲୋଚନା କରି ଆସୁଥିବା ମଧ୍ୟ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ନରସିଂହ ପଟ୍ଟନାୟକ ଯାହା ଲେଖିଛନ୍ତି ଭଲ ଲେଖିଛନ୍ତି ବୋଲି କହି ସୌମ୍ୟଙ୍କୁ ସମର୍ଥନ ଜଣାଇଛନ୍ତି ।

Comments are closed.