ବର୍ଲିନ୍ : ଜର୍ମାନୀର କୋଲୋନ୍ ସହରରେ ଏକ ଅଭୂତପୂର୍ବ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଏକ ରୋବଟ୍ ଦ୍ୱାରା ଅଶ୍ଳୀଳ ଭାବରେ ସ୍ପର୍ଶ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାଟିର ସୋସିଆଲ ମିଡିଆରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା, ଯାହା ପରେ ପୋଲିସ ତତ୍ପରତା ପ୍ରକାଶ କରି ରୋବଟ୍ଟିକୁ ଜବତ କରିଛି।
ସୂଚନା ଅନୁଯାୟୀ, କୋଲୋନ୍ ସହରର ଏକ ଫାଷ୍ଟ-ଫୁଡ୍ ରେଷ୍ଟୁରାଣ୍ଟ ବାହାରେ ୧୬ ବର୍ଷୀୟା ନାବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହ ଠିଆ ହୋଇଥିବା ବେଳେ ପ୍ରାୟ ୧.୨ ମିଟର ଉଚ୍ଚତାର ଏହି ଲାଲ ଓ ସୁନା ରଙ୍ଗର ରୋବଟ ପଛପଟୁ ଆସି ତାଙ୍କୁ ଅନୁଚିତ୍ ଭାବରେ ସ୍ପର୍ଶ କରିଥିଲା। ଏପରିକି ରୋବଟ୍ ଅଶ୍ଳୀଳ ଭଙ୍ଗୀରେ ମଧ୍ୟ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।
ତଦନ୍ତରୁ ଜଣାପଡିଛି ଯେ, ରୋବଟ୍ଟିର ଜଣେ ୧୬ ବର୍ଷୀୟ ମାଲିକ ଏବଂ ତାଙ୍କର ଜଣେ ସହଯୋଗୀ ଏହି ସମଗ୍ର ଘଟଣାକୁ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଲାଇଭ୍ ପ୍ରସାରଣ କରୁଥିଲେ ଏବଂ ଏଥିରେ କମେଣ୍ଟ ମଧ୍ୟ ଦେଉଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲୋନ୍ ପୋଲିସ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି। ରୋବଟ୍ଟିକୁ କିଏ ଏବଂ କିପରି ରିମୋଟ୍ କଣ୍ଟ୍ରୋଲ୍ ମାଧ୍ୟମରେ ପରିଚାଳନା କରୁଥିଲା, ତାହା ସ୍ପଷ୍ଟ ଜାଣିବା ପାଇଁ ପୋଲିସ ସଂପୃକ୍ତ ରୋବଟ୍ ଏବଂ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଗୁଡ଼ିକୁ ଜବତ କରି ଅଧିକ ଖୋଳତାଡ଼ ଜାରି ରଖିଛି। ଟେକ୍ନୋଲୋଜିର ଏଭଳି ଅପବ୍ୟବହାର ଏବଂ ନାବାଳିକାଙ୍କୁ ଅସଦାଚରଣ ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଚର୍ଚ୍ଚାର ବିଷୟ ପାଲଟିଛି।

