Latest Odisha News

BREAKING NEWS

ସାମ୍ନାକୁ ଆସିଲା ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ରାଉରକେଲା:  ଭିଡିଓ କରି କାରଣ ଜଣାଇବା ପରେ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ । ପାରିବାରିକ କଳହ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦର ପରିଣାମ କେତେ ସାଂଘାତିକ ହୋଇପାରେ, ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ଜାମସେଦପୁରର ଏକ ୭ ମହଲା ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ । ଅଭିଯୋଗ ହୋଇଛି, ରାହୁଲ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

ଦୁଇ ଦିନ ତଳେ ସେ ଏମସି ମାନୋର ନାମକ ହୋଟେଲରେ ରହିଥିଲେ । ଗୁରୁବାର ଦିନ ହୋଟେଲରୁ ଚେକ୍ ଆଉଟ୍ କରିବା ପରେ ଆତ୍ମହତ୍ୟା କରିଛନ୍ତି ରାହୁଲ । ୧୦ ବର୍ଷ ତଳେ ଜାମସେଦପୁରର ବର୍ଷା ଚୁରିୱାଲାଙ୍କୁ ବିବାହ କରିଥିଲେ ରାହୁଲ । ସେମାନଙ୍କର ଦୁଇଟି ଯାଆଁଳା ପୁଅ-ଝିଅ ଅଛନ୍ତି । କିଛି ଦିନ ତଳେ ସେମାନଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପଘରକୁ ଚାଲି ଯାଇଥିଲେ ବର୍ଷା । ଏହା ପରେ ରାହୁଲ ଓ ତାଙ୍କ ବାପା-ମାଆଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ । ଏହା ପରେ ମାନସିକ ଚାପରେ ରହିଥିଲେ ରାହୁଲ । ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ ରାହୁଲ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯୌତୁକ ନିର୍ଯାତନା ମାମଲାରେ ତାଙ୍କ ବାପା-ମାଆ ଥାନାରେ  ଚକର କାଟିବାକୁ ସେ ବରଦାସ୍ତ କରିପାରିନଥିବା ଏହି ଭିଡିଓରେ କହିଛନ୍ତି । ସେ କହିଛନ୍ତି, ତାଙ୍କ ଶାଶୁ, ଶ୍ୱଶୁର ଓ ଶଶୁର ଘର ଲୋକ ଏହି ଘଟଣା ପାଇଁ ଦାୟୀ ।  ମରିଯିଵା ପରେ ଅସ୍ଥି ହରିଦ୍ଵାରରେ ବିସର୍ଜନ ନକରି ବ୍ୟାଙ୍କ ଲକରରେ ରଖିବାକୁ ସେ କହିଛନ୍ତି।

 

ଏହାସହ ସ୍ତ୍ରୀ କଥାରେ ପଡି ନିଜର ୨୦ ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ଦାଦାଙ୍କ ସହ ୧୦ ଜଣଙ୍କୁ ପରିବାରରୁ ବାହାର କରିଥିବାରୁ ପରିବାରକୁ ଏକଜୁଟ କରି ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। ସେପଟେ ଯୈାତୁକ କେସ ମିଛ ବୋଲି ମୃତ ରାହୁଲଙ୍କ ବାପା କହିଛନ୍ତି। ଛାଡ଼ପତ୍ର ପାଇଁ ରାହୁଲଙ୍କ ପତ୍ନୀ ଓ ତାଙ୍କ ବାପଘର ଲୋକେ ୫କୋଟି ଟଙ୍କା ଦାବି କରୁଥିବା ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି । ଏହାସହ ରାହୁଲଙ୍କୁ ହତ୍ୟା କରାଯାଇଥିଵା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏନେଇ ରାହୁଲଙ୍କ ପତ୍ନୀ କିମ୍ବା ଶ୍ବଶୂର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.