Latest Odisha News

BREAKING NEWS

ସେଲ ରାଉରକେଲା ଇସ୍ପାତ କାରଖାନାକୁ ଗ୍ରୀନଟେକ ପୁରସ୍କାର

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ଶିକ୍ଷାର ପ୍ରୋତ୍ସାହନରେ ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରୀନଟେକ୍ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସିଏସଆର ପୁରସ୍କାର ଲାଭ କରିଛି।

ଗତ ଅକ୍ଟୋବର ୧ ତାରିଖରେ ଅନଲାଇନରେ ଆୟୋଜିତ ହୋଇଥିବା ‘ସପ୍ତମ ବାର୍ଷିକ ସିଏସ୍ଆର୍ ଭାରତ ସମ୍ମିଳନୀ- ୨୦୨୦’ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି, ମାନ୍ୟବର ଦୀପକ ମିଶ୍ର ମୂଲ୍ୟାଙ୍କନ କମିଟିର ଅଧ୍ୟକ୍ଷ ଥିଲେ।

ଇସ୍ପାତ ସହର ଏବଂ ଏହାର ଆଖପାଖରେ ଅବହେଳିତ ବର୍ଗର ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଆରଏସପିକୁ ଏହି ପୁରସ୍କାର ଲାଭ କରିଛି।

ସୂଚନାଯୋଗ୍ୟ ଯେ, ଆରଏସପି ଦୀପିକା ଇସ୍ପାତ ଶିକ୍ଷା ସଦନ ସ୍ଥାପନା କରିଛି ଯେଉଁଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ପ୍ରାୟ ୬୦୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହି ଦେୟମୁକ୍ତ ବିଦ୍ୟାଳୟ ସହରର ଅଗ୍ରଣୀ ଜନହିତୈଷୀ ପ୍ରତିଷ୍ଠାନ ଦୀପିକା ମହିଳା ସଂଘତି ଦ୍ୱାରା ପରିଚାଳିତ ଅଟେ ।

ଉକ୍ତ ବିଦ୍ୟାଳୟ ବସ୍ତିର ପିଲାମାନଙ୍କୁ ଶିକ୍ଷାକୁ ପାଥେୟ କରି ସେମାନଙ୍କର ଭବିଷ୍ୟତ ଗଢିବା ପାଇଁ ଉତ୍ସାହିତ କରୁଛି। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଏବଂ ମାଗଣା ପୁସ୍ତକ, ପୋଷାକ ସାମଗ୍ରୀ ତଥା ଗୁଣାତ୍ମକ ଶିକ୍ଷାଦାନ ଇତ୍ୟାଦି ସୁବିଧା ପିଲାମାନଙ୍କୁ ବିଦ୍ୟାଳୟ ସହିତ ଯୋଡି ହୋଇରଖିବାରେ ସହାୟକ ହୋଇଛି ଏବଂ ବିଦ୍ୟାଳୟର ପିଲାମାନଙ୍କର ପ୍ରାୟ ଶୂନ୍ୟ ଡ୍ରପଆଉଟ୍ ହାର ହାସଲରେ ବହୁତ ଯୋଗଦାନ ଦେଇଛି। ବିଦ୍ୟାଳୟରେ ଅଧ୍ୟୟନ ପରିବେଶ ଏବଂ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ପ୍ରତିବର୍ଷ ନୂତନ ସୁବିଧାମାନ ଉପଲବ୍ଧ କରାଯାଉଛି ।

ବିଦ୍ୟାଳୟର ଅନ୍ୟ ଏକ ଉଲ୍ଲେଖନୀୟ ଉପଲବ୍ଧି ହେଉଛି କ୍ରମାଗତ ଛାତ୍ରୀମାନଙ୍କ ସଂଖ୍ୟାରେ ବୃଦ୍ଧି ଯାହାକି ବର୍ତ୍ତମାନ ବିଦ୍ୟାଳୟ କ୍ଷମତାର ୫୫% ରହିଛି । ଏହା ବସ୍ତିମାନଙ୍କରେ ମହିଳାଙ୍କ ଶିକ୍ଷାର ଧାରାରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିଛି, ଯେଉଁଠାରେ ପାରମ୍ପାରିକ ଭାବରେ ଝିଅମାନେ ଅଳ୍ପ ବୟସରୁ ଅଣକୁଶଳୀ କାର‌୍ୟ୍ୟ କରିଥାନ୍ତି ।

୨୦୧୬ରେ ପ୍ରଥମ ବ୍ୟାଚ ବିଦ୍ୟାର୍ଥୀମାନେ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାଠାରୁ ଆରମ୍ଭ କରି ଅଦ୍ୟାବଧି ପ୍ରତିବର୍ଷ ବିଦ୍ୟାଳୟ ୧୦୦% ପାସ୍ ହାର ହାସଲ କରିଆସୁଛି ।ଶିକ୍ଷାର ପ୍ରସାର ନିମନ୍ତେ ଆରଏସପିର ଅନ୍ୟ ଏକ ପ୍ରମୁଖ ପ୍ରୟାସ ହେଉଛି ଅକ୍ଷୟ ପାତ୍ର ପ୍ରକଳ୍ପ।

ଏହି ପ୍ରୟାସ ଅଧୀନରେ ଆରଏସପି ପ୍ରତି କାର୍ଯ୍ୟ ଦିବସରେ ୪୦୦୦୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦେଉଛି। ଏଥିସମେତ ଇସ୍ପାତ କାରଖାନା ପ୍ରଥମ ଶ୍ରେଣୀରୁ ବୃତ୍ତିଗତ ପାଠ୍ୟକ୍ରମ ପର୍ଯ୍ୟନ୍ତ ଅଧ୍ୟୟନ ନିମନ୍ତେ ବିବିଧ ଛାତ୍ରବୃତ୍ତି ଯୋଜନା କାର୍ଯ୍ୟକାରୀ କରିଛି ଯାହା ଦ୍ଵାରା ପାର୍ଶ୍ଵାଞ୍ଚଳ ଓ ପୁନର୍ବସତି କଲୋନୀର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.