ହାଇଦ୍ରାବାଦ: କାନାଡାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନରେ ରୁବି ଢଲ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି। ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ, କାନାଡାର ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି।
ଏହି ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ବଲିଉଡ୍ ଅଭିନେତ୍ରୀ ରୁବି ଢଲ୍ଲା। ତେବେ ରୁବି ଗତ ୨୦ ବର୍ଷ ଧରି କାନାଡା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ‘ଲିବରାଲ ପାର୍ଟି ଅଫ୍ କାନାଡା’ର ନେତା ହେବାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହ କାମ ମଧ୍ୟ କରିସାରିଛନ୍ତି।
ସୂଚନାଯୋଗ୍ୟ, ରୁବି ଢଲ୍ଲା ୨୦୦୪ ମସିହାରେ କାନାଡା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ସେହି ବର୍ଷ ହାଉସ ଅଫ୍ କମନ୍ସର ସଦସ୍ୟ ନିର୍ବାଚିତ ହୋଇ କାନାଡାରେ ତିନିଥର ସଂସଦର ସଦସ୍ୟ ମଧ୍ଯ ହୋଇସାରିଛନ୍ତି। ସେ ବର୍ତ୍ତମାନ କାନାଡାରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ରୁବି ଯଦି କାନାଡାର ପ୍ରଧାନମନ୍ତ୍ରୀ ହୋଇଯିବେ ତାହେଲେ ସେ କାନାଡାର ପ୍ରଥମ ଅଶ୍ୱେତ ମହିଳା ଭାବେ ଇତିହାସ ସୃଷ୍ଟି କରିବେ। ରୁବି ଖାଦ୍ୟର ମୂଲ୍ୟ ବୃଦ୍ଧି, ଘର ଖର୍ଚ୍ଚ, ସେଠାରେ ହେଉଥିବା ଅପରାଧ ଏବଂ ପଡ଼ୋଶୀ ଦେଶ ଆମେରିକାରୁ ଟିକସର ଧମକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି।
୫୦ ବର୍ଷୀୟ ରୁବି ଢଲ୍ଲା ଜଣେ ଗ୍ଲାମରସ୍ ମଡେଲ୍ ଏବଂ ଅଭିନେତ୍ରୀ ଥିଲେ। ରୁବି ୧୯୯୩ ମସିହାରେ ମିସ୍ ଇଣ୍ଡିଆ କାନାଡା ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ଥିଲେ। ରୁବି ୨୦୦୩ ମସିହାରେ ‘କ୍ୟୁଁ ଔର କିସଲିଏ?’ ନାମକ ଏକ ବଲିଉଡ୍ ଫିଲ୍ମରେ ଅଭିନେତ୍ରୀ ଭାବରେ କାମ କରିଥିଲେ। ଏହି ଫିଲ୍ମରେ ରୁବି ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ। ରୁବିଙ୍କ ସହିତ, ଚିକୋ ସହରା ଏବଂ ଜେସନ କ୍ରୁଟ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ରୁବି ବର୍ତ୍ତମାନ ରାଜନୀତି ଏବଂ ବ୍ୟବସାୟରେ ସକ୍ରିୟ ଅଛନ୍ତି ଓ ପେଶାରେ ସେ ଜଣେ ଡାକ୍ତର ମଧ୍ଯ ଅଟନ୍ତି। ତେବେ ରୁବି ପଞ୍ଜାବର ଏକ ପ୍ରବାସୀ ପରିବାରର ସଦସ୍ଯ ଅଟନ୍ତି।
Comments are closed.