ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହିଁ ବିରୋଧୀ ଗୃହରେ ହଲ୍ଲାବୋଲ କରିଥିଲେ । ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଏବଂ ନାରୀ ସୁରକ୍ଷାକୁ ନେଇ ଉଭୟ ବିଜେଡି କଂଗ୍ରେସ ଗୃହରେ ହଙ୍ଗାମା କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ମାତ୍ର ୬ ମିନିଟ ଚାଲିପାରିଥିଲା ଗୃହ । ଏହାପରେ ବାଧ୍ୟ ହୋଇ ବାଚସ୍ପତି ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ । ପରେ ସମାନ ପରିସ୍ଥିତି ହେବାରୁ ଅପରାହ୍ଣ ୪ଟା ଯାଏଁ ପୁଣି ଥରେ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଯାହାକୁ ନେଇ ଏବେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ବିଧାୟକ ।
ଏନେଇ ବିଜେଡିକୁ କଟାକ୍ଷ କରି ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ବିଜୁ ବାବୁଙ୍କ ସ୍ବପ୍ନ କହି ୨୫ ବର୍ଷ ରାଜ୍ୟବାସୀଙ୍କୁ ଠକିଲେ । ବିକାଶ କଲେନାହିଁ । ବିଜୁବାବୁଙ୍କ ଫଟୋ ନିର୍ବାଚନର ପୋଷ୍ଟରରୁ ହଟାଇଦେଲେ । ନିର୍ବାଚନ ବେଳେ ଗୁମାସ୍ତା କଥାରେ ତାଙ୍କର ଏବଂ ନବୀନଙ୍କ ଫଟୋ ରହିଲା । ଆଉ ଏବେ ଏଭଳି ନାଟକ କରିବା ପାଇଁ ଲଜ୍ଜା ମାଡିବା କଥା ବୋଲି କହିଛନ୍ତି ଈରାଶିଷ ।
ସେପଟେ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ବାତିଲ ହେବା ପରେ ବିଜେଡି ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ହଙ୍ଗାମା କରିବାକୁ ନେଇ କଡା ଟାର୍ଗେଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । କହିଛନ୍ତି, ବିଜେଡି ବିଜୁ ବାବୁଙ୍କୁ କେତେ ସମ୍ମାନ କରୁଛି, ତାହା ସାରା ଓଡିଶାବାସୀ ଦେଖିଛନ୍ତି । ବିଗତ ଇଲେକ୍ସନରେ ତାଙ୍କର ଗୋଟିଏ ଫଟୋ ବି ନଥିଲା । ଶଙ୍ଖ ଭବନରେ ବିଜୁ ବାୁଙ୍କ ପ୍ରତିମୂର୍ତ୍ତି ନାହିଁ । ଆଉ ବିଜୁ ବାବୁଙ୍କ ପ୍ରସଙ୍ଗ ନେଇ ଗୃହରେ ହଙ୍ଗାମା କରୁଛନ୍ତି? ବିଜୁ ବାବୁଙ୍କୁ ବିଜେଡି ସବୁବେଳେ ଅସମ୍ମାନ କରିଛି । ବିଜୁ ବାବୁଙ୍କ ସମ୍ମାନରେ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧୀ ଦଳ ନେତା ତଥା ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଆସିଲେନି । ଏମିତି କରି ନବୀନ ବିଜୁଙ୍ଣକ ପ୍ରତି ଅସମ୍ମାନ କରିଛନ୍ତି । ତେଣୁ ଏବେ ଗୃହରେ ଏଭଳି କାର୍ଯ୍ୟ ପ୍ରଦର୍ଶନ କରିବାରୁ ସେମାନେ ନିବୃତ ରୁହନ୍ତି ବୋଲି କହିଛନ୍ତି ।
ଆହୁରି ମଧ୍ୟ ଏନେଇ ବିଜେପି ବିଧାୟକ ବାବୁ ସିଂ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଯିଏ ନାଲି ଚଷମା ପିନ୍ଧିବ ତାକୁ ସାରା ସଂସାର ନାଲି ନାଲି ଦେଖାଯିବ । କଂଗ୍ରେସ ନିଜ ସରକାର ସମୟକୁ ଦେଖୁ, ଏଠି ନୂଆ ସରକାର ଆସିଛି, ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ସୁଧୁରିବ ସେ ନେଇ ତତ୍ପର ଅଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଦୋଷୀ କେମିତି ଖସିବେ ନାହିଁ ସେନେଇ ବ୍ୟବସ୍ଥା କରାଯାଉଛି ।
Comments are closed.