Latest Odisha News

ୟୁକ୍ରେନର ୪ ରାଜ୍ୟକୁ ନିଜ ଦେଶରେ ସାମିଲ କଲା ରୁଷ

ମସ୍କୋ:ରୁଷିଆ ଶୁକ୍ରବାର ୟୁକ୍ରେନର ୪ଟି ଅଂଚଳ ଉପରେ କବଜା କରିଛି । ଡୋନେଟସ୍କ, ଲୁହାନ୍ସଖ, ଖେରସନ ଓ ଜପୋରଜିଆ ଏବେ ରୁଷର ଅଂଶବିଶେଷ ହୋଇଛି । କ୍ରେମଲିନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହା ଘୋଷଣା କରିଛନ୍ତି । ଚାରି ରାଜ୍ୟର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୁଝାମଣା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ରୁଷର କୋଟି କୋଟି ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ୪ ରାଜ୍ୟର ଲୋକ ମଧ୍ୟ ରୁଷ ସହିତ ରହିବାକୁ ଚାହୁଁଛନ୍ତି ବୋଲି ପୁତିନ ତାଙ୍କ ଭାଷଣରେ କହିଥିଲେ । ଜନମତ ସଂଗ୍ରହ କରାଯାଇ ସମ୍ପୂର୍ଣ୍ଣ ଗଣତାନ୍ତ୍ରିତ ବିଧିରେ ଏହାକୁ ସାମିଲ କରାଯାଇଛି । ଉପରୋକ୍ତ ୪ଟି ଅଂଚଳ ଉପରେ ଆକ୍ରମଣ ହେଲା ଏହା ରୁଷ ଉପରେ ବୋଲି ବିବେଚନା କରାଯିବ । ଏହା ମାଧ୍ୟମରେ ପୁତିନ ୟୁକ୍ରେନ ଏବଂ ୟୁରେପୀୟ ଦେଶଗୁଡିକୁ ଚେତାବନୀ ଦେଇଛନ୍ତି ।

ରୁଷର ବିଭିନ୍ନ ସ୍ଥାନରେ ଏହାର ସିଧା ପ୍ରସାରଣ କରାଯାଇଥିଲା । ୟୁକ୍ରେନର ଅନ୍ୟ ରାଜ୍ୟ ବି ଯଦି ଚାହିଁବେ ଆମେ ସହଯୋଗ କରିବୁ ବୋଲି ପୁତିନ ତାଙ୍କ ବାର୍ତାରେ କହିଥିଲେ । ପୂର୍ବରୁ କ୍ରିମିଆ ଏବଂ ଜର୍ଜିଆ କ୍ଷେତ୍ରରେ ମଧ୍ୟ ରୁଷ ସମାନ ରଣନୀତି ଆପଣାଇଥିଲା । ଲଢ଼େଇ ଜାରୀ ରହିବ ଏବଂ ଖୁବ ଶୀଘ୍ର ଆମେ ରୁଷ ହାତରୁ ଆମ ରାଜ୍ୟ ଛଡାଇ ଆଣିବୁ ବୋଲି ୟୁକ୍ରେନ ପକ୍ଷରୁ ଘୋଷଣା କରାଯାଇଛି । ବନ୍ଧୁକ ମୂନରେ ଜନମତ ସଂଗ୍ରହକୁ ଗ୍ରହଣ କରାଯିବ ନାହିଁ ବୋଲି ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି । ରିପୋର୍ଟ ମୁତାବକ ଏହି ୪ଟି ରାଜ୍ୟରେ ରୁଷ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ବସାଇବ ବୋଲି ଯୋଜନା ପ୍ରସ୍ତୁତ କରିସାରିଛି ।

Leave A Reply

Your email address will not be published.