ନୂଆଦିଲ୍ଲୀ: ଦୁନିଆକୁ ତେଲ ବାଣ୍ଟୁଥିବା ଦେଶରେ ସଙ୍କଟ!
ସଙ୍ଗେ ସଙ୍ଗେ ସାହାଯ୍ୟ ପଠାଇଲା ବନ୍ଧୁ ଭାରତ
ଦୁନିଆର ବଡ଼ ବଡ଼ ଦେଶକୁ ତୈଳ ରପ୍ତାନି କରୁଥିବା ରୁଷ ଆଜି ନିଜ ଦେଶରେ ପେଟ୍ରୋଲ ସଙ୍କଟର ସାମ୍ନା କରୁଛି। ୟୁକ୍ରେନର ଲଗାତାର ଆକ୍ରମଣରେ ରୁଷରେ ଇନ୍ଧନ ଅଭାବ ଦେଖାଦେଇଛି। ଏଭଳି ସମୟରେ ଦୀର୍ଘଦିନର ବନ୍ଧୁ ଭାରତ ସହାୟତାର ହାତ ବଢ଼ାଇଛି। ଭାରତରୁ ପେଟ୍ରୋଲ ଆମଦାନି କରି ସଙ୍କଟ ମୁକାବିଲା କରୁଛି ରୁଷ।
ଦୁନିଆର ଅନ୍ୟତମ ବଡ଼ ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ ଦେଶ ରୁଷ। ବର୍ଷ ବର୍ଷ ଧରି ବିଶ୍ୱ ବଜାରକୁ ଇନ୍ଧନ ଯୋଗାଇ ଆସୁଛି । ଏହି ଦେଶ ଏବେ ନିଜ ଦେଶରେ ପେଟ୍ରୋଲ ଅଭାବର ସାମ୍ନା କରୁଛି। ଘରୋଇ ବଜାରରେ ଇନ୍ଧନ ଯୋଗାଣ ବଜାୟ ରଖିବା ପାଇଁ ରୁଷ ଏବେ ବିଦେଶରୁ ପେଟ୍ରୋଲ କିଣିବାକୁ ବାଧ୍ୟ ହୋଇଛି। ୟୁକ୍ରେନର ଲଗାତାର ଡ୍ରୋନ ଆକ୍ରମଣରେ ରୁଷର ତୈଳ ରିଫାଇନେରୀ ଓ ଶକ୍ତି ଭିତ୍ତିଭୂମି ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଫଳରେ ରିଫାଇନିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଦେଶରେ ପେଟ୍ରୋଲ ଉତ୍ପାଦନ କମିଯାଇଛି। ଏହି କାରଣରୁ ରୁଷରେ ଗୁରୁତର ଇନ୍ଧନ ସଙ୍କଟ ସୃଷ୍ଟି ହୋଇଛି।
ଡ୍ରୋନ ଆକ୍ରମଣର ପ୍ରଭାବ ଏବେ ରୁଷର ବିଶାଳ ଅଞ୍ଚଳରେ ଅନୁଭୂତ ହେଉଛି। ରୁଷର ୧୧ଟି ଟାଇମ୍ ଜୋନରେ ଇନ୍ଧନ ସଙ୍କଟ ଅନୁଭୂତ ହେଉଛି। ଅନେକ ଅଞ୍ଚଳରେ ପେଟ୍ରୋଲ ରାସନିଂ କରାଯାଉଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଦୀର୍ଘ ସମୟ ଧରି ଧାଡ଼ି ଲାଗୁଥିବା ବେଳେ ପେଟ୍ରୋଲ ଦର ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି।
ଗ୍ରୀଷ୍ମ ଋତୁରେ ରୁଷରେ ପ୍ରତିଦିନ ୧ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ପେଟ୍ରୋଲର ଆବଶ୍ୟକତା ରହିଥାଏ। ଘରୋଇ ଯୋଗାଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପ୍ରତିମାସ ପ୍ରାୟ ୪ ଲକ୍ଷ ମେଟ୍ରିକ୍ ଟନ୍ ପେଟ୍ରୋଲ ବିଦେଶରୁ ଆମଦାନି କରିବାକୁ ମସ୍କୋ ଯୋଜନା କରିଛି।
ଏହି ସଙ୍କଟ ସମୟରେ ରୁଷ ପାଇଁ ସହାୟତାର ହାତ ବଢ଼ାଇଛି ଭାରତ। ସୂଚନା ଅନୁସାରେ ସମୁଦ୍ର ପଥରେ ଭାରତରୁ ରୁଷକୁ ପେଟ୍ରୋଲ ପଠାଯିବା ଆରମ୍ଭ ହୋଇଛି। ଏହା ଏମିତି ଏକ ସମୟରେ ହୋଇଛି, ଯେତେବେଳେ ରୁଷ ଘରୋଇ ବଜାରରେ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିକଳ୍ପ ଖୋଜୁଛି। ରିପୋର୍ଟ ଅନୁସାରେ ଭାରତରୁ ଅତିକମରେ ୬୦ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ରୁଷକୁ ପଠାଯାଇଛି। ଏହାସହ ୩୦ରୁ ୪୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଟ୍ୟାଙ୍କର ମଧ୍ୟ ରୁଷ ଅଭିମୁଖେ ବାହାରିଛି । ତେବେ କେଉଁ ଭାରତୀୟ ରିଫାଇନାରୀ ଏହି ପେଟ୍ରୋଲ ଯୋଗାଉଛି, ତାହା ସ୍ପଷ୍ଟ କରାଯାଇନାହିଁ।
ଭାରତ ଓ ରୁଷ ଦଶନ୍ଧି ଧରି ପରସ୍ପରର ବିଶ୍ୱସ୍ତ କୌଶଳଗତ ସହଯୋଗୀ। ପ୍ରତିରକ୍ଷା, ଶକ୍ତି, ପରମାଣୁ ଶକ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କ ସବୁବେଳେ ମଜବୁତ ରହିଛି। ଏବେ ଇନ୍ଧନ ସଙ୍କଟ ସମୟରେ ମଧ୍ୟ ଭାରତର ସହଯୋଗ ଏହି ବନ୍ଧୁତ୍ୱକୁ ଆହୁରି ଦୃଢ଼ କରିଛି। କ୍ରେମଲିନ ନିଶ୍ଚିତ କରିଛି ଯେ, ଘରୋଇ ବଜାରରେ ଇନ୍ଧନ ଅଭାବ ଦୂର କରିବା ପାଇଁ ରୁଷ ଅନେକ ଦେଶ ସହ ପେଟ୍ରୋଲ କିଣିବା ନେଇ ଆଲୋଚନା କରୁଛି। ସେହି ପ୍ରକ୍ରିୟାରେ ଭାରତରୁ ପେଟ୍ରୋଲ ଆମଦାନି ଆରମ୍ଭ ହୋଇଛି। ସଙ୍କଟ ସମୟରେ ଭାରତ ପୁଣିଥରେ ବିଶ୍ୱସ୍ତ ବନ୍ଧୁର ପରିଚୟ ଦେଇଛି।
କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶ ବେଲାରୁସ ମଧ୍ୟ ରୁଷର ସହାୟତା ପାଇଁ ଆଗକୁ ଆସିଛି। ରୁଷର ଇନ୍ଧନ ଅଭାବ ଦୂର କରିବାକୁ ବେଲାରୁସ ନିଜର ଗ୍ୟାସୋଲିନ୍ ରପ୍ତାନି ବଢ଼ାଇଛି।
ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ଏବେ କେବଳ ରଣକ୍ଷେତ୍ରରେ ସୀମିତ ନାହିଁ। ଏହା ରୁଷର ଘରୋଇ ଇନ୍ଧନ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଛି। ଆଉ ଏଭଳି କଠିନ ସମୟରେ ଭାରତର ସହଯୋଗ ପୁଣି ଥରେ ଭାରତ-ରୁଷର ଦୀର୍ଘଦିନର ବନ୍ଧୁତ୍ୱ ଓ ପରସ୍ପର ବିଶ୍ୱାସର ଉଦାହରଣ ସୃଷ୍ଟି କରିଛି।